ଏସ୍‌ପିଙ୍କ ଘରୁ ବି ଚୋରି, ଚୋରି ପରେ ଗ୍ଲୋବସ୍ ଫିଙ୍ଗି ଦେଇଗଲା ଦୁର୍ବୃତ୍ତ

Advertisment
ଏସ୍‌ପିଙ୍କ ଘରୁ ବି ଚୋରି, ଚୋରି ପରେ ଗ୍ଲୋବସ୍ ଫିଙ୍ଗି ଦେଇଗଲା ଦୁର୍ବୃତ୍ତ

ଭୁବନେଶ୍ବର: ଲକ୍‌ଡାଉନରେ ରାଜଧାନୀରେ ସିନ୍ଧିଚୋରଙ୍କ ଆତଙ୍କ ଜାରି ରହିଥିବା ବେଳେ ଜଣେ ଆଇପିଏସ୍‌ ଅଧିକାରୀଙ୍କ କ୍ବାର୍ଟର୍ସରୁ ଚୋରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣା ଘଟିଛି କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ୍-୧ ସରକାରୀ କ୍ବାର୍ଟର୍ସରେ। ଖବର ପାଇବା ପରେ କ୍ୟାପିଟାଲ ଥାନା ପୁଲିସ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି। ଗ୍ରିଲ୍ ଭଙ୍ଗାଯାଇ ଏହି ଚୋରି ହୋଇଥିବା ଜଣାପଡ଼ିଛି। ଘଣ୍ଟା, କିଛି ସାମଗ୍ରୀ ଓ ଡ୍ରେସ୍ ଚୋରି ହୋଇଥିବା ସୂଚନା ମିଳିଛି। ଏହି କ୍ବାର୍ଟର୍ସ ଆଇପିଏସ୍ ଅଫିସର ସତ୍ୟଜିତ ନାୟକଙ୍କର ବୋଲି ଜଣାପଡ଼ିଛି। ଶ୍ରୀ ନାୟକ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ)ର ଏସ୍‌ପି ଅଛନ୍ତି।

ସୂଚନା ଅନୁସାରେ, ପ୍ରାୟ ବର୍ଷେ ହେଲା ଶ୍ରୀ ନାୟକ ଡେପୁଟେସନ୍‌ରେ ରହିଛନ୍ତି। ୟୁନିଟ୍-୧ରେ ଥିବା କ୍ବାର୍ଟର୍ସରେ ତାଙ୍କର କିଛି ସାମଗ୍ରୀ ରହିଥିଲା। ଆଜି ସନ୍ଧ୍ୟାରେ ତାଙ୍କର ଜଣେ ବନ୍ଧୁ କ୍ବାର୍ଟର୍ସକୁ ଆସିଥିବା ବେଳେ ଚୋରି ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏ ନେଇ ସେ ଶ୍ରୀ ନାୟକଙ୍କୁ ଖବର ଦେବା ସହ କ୍ୟାପିଟାଲ ଥାନାକୁ ଜଣାଇଥିଲେ। ଚୋର ଅତି ଚତୁରତାର ସହ ହ୍ୟାଣ୍ଡ ଗ୍ଲୋବସ୍ ପିନ୍ଧି ଚୋରି କରିଛି। ଚୋରି କରିବା ପରେ ଗ୍ଲୋବସକୁ ଖଟ ଉପରେ ଫିଙ୍ଗି ଫେରାର ହୋଇଯାଇଛି। କ୍ବାର୍ଟର୍ସର ଆଉଟ୍‌ ହାଉସରେ କର୍ମଚାରୀ ରହୁଥିଲେ ମଧ୍ୟ କିପରି ଘଟଣା ସମ୍ପର୍କରେ ଜାଣି ପାରି‌ଲେ ନାହିଁ, ତାକୁ ନେଇ ପ୍ରଶ୍ନ ଉଠିଛି। ଆସନ୍ତାକାଲି ପୁଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରିବ ବୋଲି ଜଣାପଡ଼ିଛି।

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୯ ଅଗଷ୍ଟ ୨୩ ତାରିଖରେ ୟୁନିଟ୍-୮ ଅଞ୍ଚଳରେ ରହୁଥିବା ଆଇଏଏସ୍ ଅଫିସର ରେଘୁଜୀଙ୍କ ଘରୁ ଚୋରି ହୋଇଥିଲା। ଏହି ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିବା ସହ ଦୁଇଟି ଲାପଟପ୍ ଜବତ କରିଥିଲା। ୨୦୧୬ରେ ତତ୍କାଳୀନ ପୁଲିସ କମିସନର୍‌ ଵାଇ.ବି ଖୁରାନିଆଙ୍କ ସରକାରୀ କ୍ବାର୍ଟର୍ସ ମରାମତି ଚାଲୁଥିବା ବେଳେ କିଛି ନିର୍ମାଣ ସାମଗ୍ରୀ ଚୋରି ହୋଇଥିଲା। ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଥିଲା। ଲକ୍‌ଡାଉନ୍‌ ପରଠାରୁ ଏ ପର୍ଯ୍ୟନ୍ତ ରାଜଧାନୀରେ ୫୦ରୁ ଅଧିକ ଘର, ଦୋକାନରୁ ଚୋରି ଘଟଣା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe