ଗୋଟିଏ ରାତିରେ ୨ଘରୁ ଲୁଟ୍‌

ଗୋଟିଏ ରାତିରେ ୨ଘରୁ ଲୁଟ୍‌

NBT

ଧଉଳି : ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ଅଞ୍ଚଳରେ ଦୁଇଟି ଘରୁ ଗତକାଲି ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଲୁଟେରାମାନେ ଲକ୍ଷାଧିକ ଟଙ୍କା ମୂଲ୍ୟର ବିଭିନ୍ନ ସାମଗ୍ରୀ ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଶିକ୍ଷକ ଅପୂର୍ବ ସେନାପତି ଓ ସେଲୁନ ବ୍ୟବସାୟୀ କହଲା ବାରିକ ଏ ସଂପର୍କରେ ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ଧଉଳି ଥାନା ପୁଲିସ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ ମଧ୍ୟ ଲୁଟେରାଙ୍କ କୌଣସି ସୁରାକ୍‌ ପାଇ ପାରିନି। ଅପୂର୍ବଙ୍କ ଅଭିଯୋଗ ମୁତାବକ, ସେମାନେ ଡାଇନିଂ ରୁମ୍‌ରେ ଶୋଇଥିଲେ। ଲୁଟେରାମାନେ ପଡ଼ୋଶୀଙ୍କ ନିର୍ମାଣାଧୀନ ଘର ଭାରାରେ ଚଢ଼ି ୩ୟ ମହଲାକୁ ଯାଇଥିଲେ। ଅପୂର୍ବଙ୍କ ୩ୟ ମହଲା କାମ ଚାଲିଥିବାରୁ ଖୋଲା ଥିବା ଶିଡ଼ି ଘର ବାଟେ ତଳ ମହଲାରେ ଓହ୍ଲାଇ ସେଠାରେ ଥିବା ତାଙ୍କ ଲାପଟପ୍‌, ଦାମୀ ମୋବାଇଲ ଓ ୩ହଜାର ଟଙ୍କା ଲୁଟି ନେଇଛନ୍ତି। ସେହିପରି କହଲାଙ୍କ ପିଲାମାନେ ଶୋଇଥିବା ଘରେ ପଶି ଆଲମିରା ଭାଙ୍ଗି ସେଥିରେ ଥିବା ତାଙ୍କର ସୁନା ଓ ରୁପା ଅଳଙ୍କାର, ଗୋଟିଏ ମୋବାଇଲ ଫୋନ ଓ ୭ହଜାର ଟଙ୍କା ଲୁଟି ନେଇଛନ୍ତି। ଏକ ସପ୍ତାହ ପୂର୍ବେ ଅନ୍ୟ ଜଣେ ବ୍ୟକ୍ତିଙ୍କର ସୁନା ଗହଣା, ମୋବାଇଲ ଫୋନ ସମେତ ୫ହଜାର ଟଙ୍କା ଲୁଟ୍‌ ହୋଇଥିଲା। ହେଲେ ସଂପୃକ୍ତ ବ୍ୟକ୍ତି ଥାନାରେ ଅଭିଯୋଗ କରିନଥିବା ସୂଚନା ମିଳିଛି। ପୁଲିସର ଦୁର୍ବଳ ପାଟ୍ରୋଲିଂ ଯୋଗୁ ଶିଶୁପାଳଗଡ଼ ଅଞ୍ଚଳରେ ବାରମ୍ବାର ଚୋରି ବଢ଼ୁଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏ ଦିଗରେ ଡିସିପି ଓ ପୁଲିସ କମିସନର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe