ବୀମା କରିବା ଆଳରେ କଳାକନା ବୁଲାଇଲେ ଯୁବତୀ

ନେଇଗଲେ ୨୦ହଜାର ଟଙ୍କା, ସୁନାହାର, ବ୍ରେସ୍‌ଲେଟ୍‌ ଓ ମୋବାଇଲ୍‌

ବୀମା କରିବା ଆଳରେ କଳାକନା ବୁଲାଇଲେ ଯୁବତୀ

bhubaneswarcuttackpolice.gov.in

ଭୁବନେଶ୍ବର : ନକଲି ଏଜେଣ୍ଟ ସାଜି ବୀମା କରିବାକୁ ଆସିଥିବା ଜଣେ ଯୁବତୀ ବାଙ୍କୁଆଳ ସ୍ଥିତ ଜୟକୃଷ୍ଣ ଦାସମହାପାତ୍ରଙ୍କ ଘରେ କଳାକନା ବୁଲାଇଛନ୍ତି। ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

ସୂଚନା ମୁତାବକ, ଗୁରୁବାର ଦିନ ଜୟକୃଷ୍ଣ ଘରେ ଥିବା ବେଳେ ଜଣେ ଯୁବତୀ ତାଙ୍କ ଘରକୁ ଆସି ଏକ ପ୍ରତିଷ୍ଠିତ ଘରୋଇ ଶିକ୍ଷାନୁଷ୍ଠାନରେ ଚାକିରି କରୁଥିବା କହିଥିଲେ। ଏହାଛଡ଼ା ସେ ବୀମା ଏଜେଣ୍ଟ ବୋଲି ମଧ୍ୟ ପରିଚୟ ଦେଇଥିଲେ। ଆଉ କିଛି ସମୟର ବାର୍ତ୍ତାଳାପ ମଧ୍ୟରେ ଜୟକୃଷ୍ଣଙ୍କ ନାମରେ ଏକ ବୀମା ପଲିସି କରିବାକୁ ଲୋଭନୀୟ ଅଫର୍ ଦେଇଥିଲେ। ଜୟକୃଷ୍ଣ ମଧ୍ୟ ଯୁବତୀଙ୍କ କଥାରେ ବିଶ୍ବାସ କରି ରାଜି ହୋଇ ଯାଇଥିଲେ। ତେବେ ଜୟକୃଷ୍ଣଙ୍କ ସରଳତାର ସୁଯୋଗ ନେଇ ତାଙ୍କର ବିଭିନ୍ନ ସମସ୍ୟା ଆଳ ଦେଖାଇ ସେ ରାତିକ ପାଇଁ ତାଙ୍କ ଘରେ ରହିବା ପାଇଁ କହିଥିଲେ। ଯୁବତୀଙ୍କ ସମସ୍ୟା ଜାଣିବା ପରେ ଜୟକୃଷ୍ଣ ମନା କରିପାରି ନ ଥିଲେ। ଆଉ ସୁଯୋଗ ଦେଖି ଜୟକୃଷ୍ଣଙ୍କ ରାତି ଖାଇବାରେ ନିଶାଦେଇ ଦେଇଥିଲେ। ଜୟକୃଷ୍ଣ ଚେତାଶୂନ୍ୟ ହେବାପରେ ତାଙ୍କ ଘରୁ ନଗଦ ୨୦ହଜାର ଟଙ୍କା, ୩ଟି ଚେନ୍, ୨ଟି ବ୍ରେସ୍‌ଲେଟ୍‌ ଏବଂ ୨ଟି ଦାମୀ ମୋବାଇଲ୍‌ ନେଇ ପଳାଇ ଯାଇଥିଲେ। ପରଦିନ ସକାଳୁ ଏହା ଜାଣିବା ପରେ ଜୟକୃଷ୍ଣ ଏ ନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ମଧ୍ୟ ଏଯାଏ ଏହି ଧୂର୍ତ୍ତ ଯୁବତୀର ପରିଚୟ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe