ରାଜଧାନୀରେ ହାଓଲା ନାଁରେ ବ୍ୟବସାୟୀଙ୍କୁ ଲୁଟ୍ ମାମଲା: ବଦଳିରେ ଅଟକି ଗଲା କି ପୁଲିସ ତଦନ୍ତ?

Advertisment

ପୂର୍ବରୁ ଏମିତି ଅନେକ ଘଟଣାକୁ ଚାପି ଦିଆଯାଇଛି

ପୂର୍ବରୁ ଏମିତି ଅନେକ ଘଟଣାକୁ ଚାପି ଦିଆଯାଇଛି

ରାଜଧାନୀରେ ହାଓଲା ନାଁରେ ବ୍ୟବସାୟୀଙ୍କୁ ଲୁଟ୍ ମାମଲା: ବଦଳିରେ ଅଟକି ଗଲା କି ପୁଲିସ ତଦନ୍ତ?

ଭୁବନେଶ୍ବର: ରାଜଧାନୀରେ ହାଓଲା ନାଁରେ ମୟୂରଭଞ୍ଜରୁ ଜଣେ ବ୍ୟବସାୟୀଙ୍କୁ ଡକାଇ କୋଟିଏ ଟଙ୍କା ଲୁଟ୍ କରିବାର ଷଡଯନ୍ତ୍ରକୁ କମିସନରେଟ ପୁଲିସ ପର୍ଦ୍ଦାଫାସ୍ କଲା। ପ୍ରଥମ ଥର ଏଭଳି ଏକ ଗ୍ୟାଙ୍ଗର ୮ ଜଣଙ୍କୁ ଗିରଫ କରି ଡିସିପି ଓ ତାଙ୍କ ଟିମ୍ ବାହାବା ନେଲେ। କିନ୍ତୁ ଘଟଣାକୁ ୬ ଦିନ ବିତି ଯାଇଥିଲେ ବି ପୂରା ରହସ୍ୟ ଉପରୁ ପରଦା ଉଠାଇବାରେ ଫେଲ୍ ମାରିଛି ପୁଲିସ। ଖାଲି ସେତିକି ନୁହେଁ, ସମ୍ପୃକ୍ତ ଥିବା ସବ୍‌ଇନ୍ସପେକ୍ଟର ବିଜୟ ଦାସଙ୍କୁ କେବଳ ବଦଳି କରାଯାଇଥିବା ବେଳେ ବରିଷ୍ଠ ପୁଲିସ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଟାଣି ହୋଇ ଆସିଛି।

ପଳାସପଲ୍ଲୀସ୍ଥିତ ବିଜୟ ପ୍ୟାଲେସ ଓୟୋ ହୋଟେଲରୋ ବ୍ୟବସାୟୀ କମଲ ଶାହାଙ୍କ ଟଙ୍କା ଲୁଟିବା ଅଭିଯୋଗରେ ତିନି ଜଣ ପୁଲିସ କର୍ମଚାରୀଙ୍କୁ ତତକ୍ଷଣାତ୍ ଗିରଫ କରାଗଲା। କମିସନରେଟ ପୁଲିସ ପୁଲିସ କର୍ମଚାରୀଙ୍କୁ ଗିରଫ କରି ନିଜ ସ୍ବଚ୍ଛତାର ପ୍ରମାଣ ଦେଲା। କିନ୍ତୁ ସବ୍‌ଇନ୍ସପେକ୍ଟର ବିଜୟ ଦାସ ମଧ୍ୟ ସମାନ ଅପରାଧରେ ସମ୍ପୃକ୍ତ ଥିଲେ ମଧ୍ୟ ତାଙ୍କୁ ସୁରକ୍ଷା ଦେବା ଆରମ୍ଭ ହୋଇଗଲା। ଘଟଣା ଜଣାପଡ଼ିବା ପରେ ତୁରନ୍ତୁ ତାଙ୍କୁ ସ୍ପେସାଲ ସ୍କ୍ବାଡ୍‌ରୁ ରିଜର୍ଭ ପୁଲିସକୁ ବଦଳି କରାଗଲା। କିନ୍ତୁ ତାଙ୍କ ବିରୋଧରେ ସେମିତି କିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ସୁରକ୍ଷା ଦେବା ଆରମ୍ଭ ହୋଇଗଲା। ବରିଷ୍ଠ ଅଧିକାରୀ ସୁରକ୍ଷା ଯୋଗାଇ ଦେଉଥିବା ମଧ୍ୟ କୁହାଯାଉଛି। ପରବର୍ତ୍ତୀ ସମୟରେ ଅତିରିକ୍ତ ଡିସିପି(କ୍ରାଇମ) ରାଜକିଶୋର ପାଇକରାୟଙ୍କୁ ତଦନ୍ତଭାର ଦିଆଗଲା। ସେ ଘଟଣାର ତଦନ୍ତ ଚଳାଇଥିଲେ ମଧ୍ୟ ଘଟଣା ଅଧିକ ରହସ୍ୟମୟ ହେବାରେ ଲାଗିଛି।

ଅନ୍ୟପକ୍ଷରେ ଏହି ମାମଲାର ଅଧିକ ଖୋଳତାଡ଼ କରିବା ଲାଗି ଗଠନ ହୋଇଥିବା ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ରେ ଦୁଇଜଣ ଆଇଆଇସି ରହିଛନ୍ତି। ଏୟାରପୋର୍ଟ ଥାନା ଆଇଆଇସି ଉମାକାନ୍ତ ପ୍ରଧାନ ଓ ଏୟାରଫିଲ୍ଡ ଥାନା ଆଇଆଇସି ଦୀପକ ମିଶ୍ର। ସେମାନେ ଉଭୟ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଲିଙ୍କ୍‌ ଖୋଜିବେ। ସେହିପରି ଦୁଇ ପ୍ରମୁଖ ଅଭିଯୁକ୍ତ ପ୍ରଶାନ୍ତ ପଣ୍ଡା ଓ ପ୍ରଶାନ୍ତ ପାଢ଼ୀକୁ ତିନି ଦିନିଆ ରିମାଣ୍ଡରେ ଆଣି ପୁଲିସ ଅଧିକ ଛାନଭିନ୍ କରିବ ବୋଲି ଯୋଜନା ରଖିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପୂର୍ବରୁ ଅନ୍ତଃରାଜ୍ୟ ଚୋରା ଗାଡ଼ି ବିକ୍ରିରେ ସମ୍ପୃକ୍ତ ଏସ୍‌ଆଇଙ୍କୁ ମିଳିଥିଲା ସୁରକ୍ଷା
ପୂର୍ବରୁ ଏମିତି ଅନେକ ଉଦାହରଣ ରହିଛି ଯେଉଁଥିରେ ତଳତଳିଆଙ୍କୁ ବଳି ପକାଇ ଉପରିସ୍ଥ ଅଧିକାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଏ। ପ୍ରାୟ ବର୍ଷେ ତଳେ ଏମିତି ଏକ ଘଟଣା ଘଟିଥିଲା। ଚୋରା ସେକେଣ୍ଡ ହ୍ୟାଣ୍ଡ ଚାରି ଚକିଆ ଗାଡ଼ି ବିକ୍ରି ଓ ଠକେଇ ଗ୍ୟାଙ୍ଗରେ ଜଣେ ସବ୍‌ଇନ୍ସପେକ୍ଟରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ପଦାକୁ ଆସିଥିଲା। ସେ ଯେଉଁ ଥାନାରେ ଚାକିରି କରିଥିଲେ, ଗ୍ୟାଙ୍ଗର ଗିରଫ ହୋଇଥିବା ସଦସ୍ୟଙ୍କ ଭିତରୁ ଜଣେ ସେହି ଥାନାର ବାରାକରେ ରହୁଥିଲା। ଗାଡ଼ି କିଣିବା ପାଇଁ ଆସୁଥିବା ଗ୍ରାହକଙ୍କୁ ସେହି ଥାନାରେ ଚୋରା ଗାଡ଼ି ଦେଖାଇ ଠକେଇ କରା ଯାଉଥିଲା। ସବୁଠୁ ବଡ଼ କଥା ହେଲା, ସବ୍‌ଇନ୍ସପେକ୍ଟର ଜଣଙ୍କ ଭିଆଇପି କାର୍‌କେଡ୍‌ରେ ଗଲାବେଳେ ଅଭିଯୁକ୍ତ ତାଙ୍କ ସାଙ୍ଗରେ ଯାଉଥିଲା।

ଫୋନରେ ବାର୍ତ୍ତାଳାପର ସିଡିଆର୍‌ ମଧ୍ୟ ପୁଲିସ ହାତରେ ଲାଗିଥିଲା। ଚୋରି ଗାଡ଼ି ସମ୍ପର୍କରେ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତାର ଅଡିଓ ଭାଇରାଲ୍ ହେବା ଘଟଣା କମିସନରେଟ ପୁଲିସରେ ଆଲୋଡ଼ନ ସୃଷ୍ଟି କରିଥିଲା। ଅନ୍ତଃରାଜ୍ୟ ଚୋରା ଗାଡ଼ି ଓ ବିକ୍ରି ନାଁରେ ଠକେଇ ଘଟଣାର ପର୍ଦ୍ଦାଫାସ୍ କରିଥିଲା ସ୍ପେସାଲ ସ୍କ୍ବାଡ୍। କିନ୍ତୁ ସମ୍ପୃକ୍ତ ଏସଆଇଙ୍କୁ ମିଳିଥିଲା ସୁରକ୍ଷା। ଅଡିଓ ଭାଇରାଲ୍ ହେବା ପରେ ଅତିରିକ୍ତ ଡିସିପି(କ୍ରାଇମ) ରାଜକିଶୋର ପାଇକରାୟଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ବର୍ଷେ ପରେ ମଧ୍ୟ ତଦନ୍ତର ଫଳାଫଳ କିଛି ବାହାରି ପାରିଲା ନାହିଁ। କେବଳ ସମ୍ପୃକ୍ତ ଏସ୍‌ଆଇଙ୍କୁ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜିଲ୍ଲା ବାହାରକୁ ବଦଳି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe