Times of India
ବାଲିପାଟଣା: କିଛି ଦିନର ନିରବତା ପରେ ପୁଣି ବାଲିପାଟଣା ଅଞ୍ଚଳରେ ଛିନ୍ତାଇ ଗ୍ୟାଙ୍ଗ୍ ସକ୍ରିୟ ହୋଇଛି। ଆଜି ମକର ସଂକ୍ରାନ୍ତି ଅବସରରେ ଶିବ ମନ୍ଦିର ଯାଉଥିବା ଜଣେ ମହିଳାଙ୍କ ତଣ୍ଟି ଚିପି ଦୁର୍ବୃତ୍ତମାନେ ସୁନା ହାର ଲୁଟି ନେଇଛନ୍ତି। ଲୁଟ୍ର ଶିକାର ହୋଇଥିବା ମହିଳା ହେଲେ, ବନମାଳିପୁର ଗାଁର ଗୋଲକ ଚନ୍ଦ୍ର ସାହୁଙ୍କ ଝିଅ ଅମ୍ବିକା ଓରଫ୍ ରୋଜି। ଦୁର୍ବୃତ୍ତମାନେ ତାଙ୍କ ବେକରୁ ୧୭ ଗ୍ରାମ୍ ଓଜନର ହାର ଛିଡ଼ାଇ ନେଇଛନ୍ତି। ବାଲିପାଟଣା ଥାନା ପୁଲିସ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରି ଛାନ୍ଭିନ୍ ଚଳାଇଥିଲେ ହେଁ ଲୁଟେରାମାନଙ୍କ ଟେର୍ ପାଇନାହିଁ।
ସୂଚନାନୁସାରେ, ଚାରିଛକ ଅଞ୍ଚଳରେ ବିବାହ କରିଥିବା ରୋଜି ମକର ସଂକ୍ରାନ୍ତି ଅବସରରେ ଅଲଣା ଓଷା ପୂଜା ଲାଗି ବାପଘରକୁ ଆସିଥିଲେ। ଆଜି ସକାଳୁ ସେ ତାଙ୍କ ୨ ବର୍ଷର ଝିଅ ଏବଂ ପୁତୁରା ସହିତ ସ୍ଥାନୀୟ ଖଇରିପୁର ବେଲେଶ୍ୱର ମହାଦେବଙ୍କ ମନ୍ଦିରକୁ ପୂଜା କରିବା ପାଇଁ ବାହାରିଥିଲେ। ଖଇରିପୁର ପଣ୍ଡାସାହି ରାସ୍ତାରେ ଯାଉଥିବା ସମୟରେ ହଠାତ୍ ଏକ ବାଇକ୍ ତାଙ୍କ ନିକଟରେ ଅଟକିଥିଲା। ବାଇକ୍ରେ ଥିବା ୨ ଦୁର୍ବୃତ୍ତ ରୋଜିଙ୍କ ପାଖକୁ ଆସି ତାଙ୍କୁ ଓ ତାଙ୍କ ସହ ଥିବା ଦୁଇ ପିଲାଙ୍କୁ ଆକ୍ରମଣ କରିଥିଲେ। ଜଣେ ରୋଜିଙ୍କ ତଣ୍ଟିକୁ ଚିପି ଧରିବା ବେଳେ ଅନ୍ୟ ଜଣେ ତାଙ୍କ ଝିଅକୁ ଟାଣି ନେବା ପାଇଁ ଉଦ୍ୟମ କରିଥିଲା। ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରୁ କରୁ ରୋଜି ହାର ପ୍ରତି ଧ୍ୟାନ ଦେଇପାରିନଥିଲେ। ଏହି ମଉକାରେ ତଣ୍ଟି ଧରିଥିବା ଦୁର୍ବୃତ୍ତ ସୁନା ହାର ଛିଣ୍ଡାଇ ନେଇଥିଲା। ଏହା ପରେ ଦୁର୍ବୃତ୍ତଦ୍ବୟ ଦ୍ରୁତବେଗରେ ବାଇକ୍ ଧରି ବନମାଳିପୁର ବଜାର ଦିଗରେ ପଳାଇଥିଲେ।
Follow Us