ଭୁବନେଶ୍ବର : ରାଜଧାନୀକୁ ଛାଡ଼ି ଯାଉନି କରୋନା। କେତେବେଳେ କମିଯାଉଛି, କେତେବେଳେ ବଢ଼ୁଛି। ଗୁରୁବାର ସହରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏସ୍ପ୍ଲାନେଡ୍ ମଲ୍ କଡ଼ରେ ଥିବା ଲର୍ଡ ଗୁଞ୍ଜନ ପ୍ୟାଲେସ୍ରେ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହେବାରୁ ଏହାର ‘ବ୍ଲକ୍-ବି’କୁ ସିଲ୍ କରାଯାଇଛି। ଏହି ବ୍ଲକ୍ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ କିମ୍ବା ଏହି ବ୍ଲକ୍ର ବାସିନ୍ଦା ବାହାରକୁ ବାହାରି ପାରିବେ ନାହିଁ। ସ୍ବାସ୍ଥ୍ୟ ସେବା ସମେତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ବିଏମ୍ସି ପକ୍ଷରୁ ଯୋଗାଇଦିଆଯିବ। ୱାର୍ଡ ଅଫିସର ପ୍ରଫୁଲ୍ଲ ସ୍ବାଇଁ(୯୪୩୭୭୭୮୨୦୦) ଓ ଅମିୟ ସ୍ବାଇଁ (୯୯୩୭୪୮୧୧୬୪)ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଦାୟିତ୍ବରେ ଥିବା ବେଳେ ସ୍ବାସ୍ଥ୍ୟସେବା ନିଶ୍ଚିତ କରିବା ଦାୟିତ୍ବ ନେଇଛନ୍ତି ଡା. ଜ୍ୟୋତିର୍ମୟୀ ଜେନା(୯୭୭୬୯୨୩୧୭୮)।
ସେହିଭଳି ଖଣ୍ଡଗିରି ସତ୍ୟସାଇ ଏନ୍କ୍ଲେଭ୍କୁ ମଧ୍ୟ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହେବାରୁ ଏଠାକୁ ଯିବାଆସିବା ଉପରେ କଟକଣା ଲାଗିଛି। ଏଠାରେ ମଧ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ବିଏମ୍ସି ବ୍ୟବସ୍ଥା କରିବ। କଟକଣା ନ ମାନିଲେ ମହାମାରୀ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଏମ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଉଭୟ କଣ୍ଟେନମେଣ୍ଟ ଜୋନ୍ ଭିତରେ ଥିବା ସମସ୍ତ ଦୋକାନ ଯଦି କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା ଥାଏ; ତେବେ ତାହା ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଅତି କମ୍ରେ ଗୋଟିଏ ସପ୍ତାହରୁ ୧୦ ଦିନ ପର୍ଯ୍ୟନ୍ତ ଏଭଳି କଟକଣା ରହିବ। ବିଏମ୍ସି ପକ୍ଷରୁ ନୋଟିସ୍ ଲଗାଯାଇ କଣ୍ଟେନମେଣ୍ଟ ଜୋନ୍ ଭାବରେ ଚିହ୍ନଟ କରାଯାଇଛି। ଏହି ଦୁଇଟି ଜୋନ୍ରେ ରହୁଥିବା ସମସ୍ତ ବାସିନ୍ଦାଙ୍କର କରୋନା ପରୀକ୍ଷା କରାଯିବା ସହ ଆବଶ୍ୟକ ଔଷଧ ଯୋଗାଇ ଦିଆଯିବାକୁ ଯୋଜନା ହୋଇଛି।
Follow Us