ଦୁର୍ଘଟଣାରେ ଆଖି ହରାଇଲେ, ନ୍ୟାୟ ମିଳିଲାନି; ମାସକ ପରେ ବି ସରୁନି ପୁଲିସ ତଦନ୍ତ

ମାସକ ପୂର୍ବେ ଅଟୋ ଧକ୍କାରେ ଯୁବକଜଣକ ଗୋଟିଏ ଆଖି ହରାଇଲେ। ନିଜ ଆଡ଼ୁ ଅଟୋକୁ ଚିହ୍ନଟ କରି ଥାନାରେ ଦୁଇ ଦୁଇ ଥର ଅଭିଯୋଗ କଲେ। ମାତ୍ର ପୁଲିସ ତଦନ୍ତ ସାରିବା ଆଳରେ ଅଟୋଚାଳକକୁ ଗିରଫ କରୁନାହିଁ।

accident

ବାଲିପାଟଣା: ମାସକ ପୂର୍ବେ ଅଟୋ ଧକ୍କାରେ ଯୁବକଜଣକ ଗୋଟିଏ ଆଖି ହରାଇଲେ। ନିଜ ଆଡ଼ୁ ଅଟୋକୁ ଚିହ୍ନଟ କରି ଥାନାରେ ଦୁଇ ଦୁଇ ଥର ଅଭିଯୋଗ କଲେ। ମାତ୍ର ପୁଲିସ ତଦନ୍ତ ସାରିବା ଆଳରେ ଅଟୋଚାଳକକୁ ଗିରଫ କରୁନାହିଁ। ତେଣୁ ବାଲିପାଟଣା ଥାନା ପୁଲିସଠାରୁ ସେ ନ୍ୟାୟ ପାଇବା ଆଶା ଛାଡ଼ିଦେଇଛନ୍ତି ବୋଲି ଯୁବକଜଣକ କହିଛନ୍ତି। ଆଗକୁ ସେ ଭୁବନେଶ୍ବର ଡିସିପିଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ମଝିହରା ପଞ୍ଚାୟତ ଧାନହରା ଗାଁର ଚିନ୍ମୟ ବାରିକ(୨୩) ସେପ୍ଟେମ୍ବର ୬ ରାତି ପ୍ରାୟ ସାଢ଼େ ୯ଟା ବେଳେ କୌଣସି କାମରେ ସ୍ଥାନୀୟ ବଜାରକୁ ଆସିଥିଲେ। ସେ ରାସ୍ତାରେ ଠିଆ ହୋଇଥିବା ବେଳେ ଏକ ଯାତ୍ରୀବାହୀ ଅଟୋ ତାଙ୍କୁ ଧକ୍କା ଦେଇଥିଲା। 

ଦୁର୍ଘଟଣାରେ ଚିନ୍ମୟ ସଂଜ୍ଞାହୀନ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ତାଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୧୫ ଦିନ ମେଡିକାଲ‌୍‌ରେ ରହିବା ପରେ ଚିନ୍ମୟ ସୁସ୍ଥ ହେଲେ ମାତ୍ର ଗୋଟିଏ ଆଖି ନଷ୍ଟ ହୋଇଗଲା। ଦୁର୍ଘଟଣା ନେଇ ଚିନ୍ମୟଙ୍କ ବାପା ରାଜକୁମାର ସେହି ମାସ ୯ ତାରିଖରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେହିପରି ଅଟୋକୁ ଚିହ୍ନଟ କରିଥିବା ଦାବି କରି ଚିନ୍ମୟ ସେହି ମାସ ୨୦ ତାରିଖରେ ଦ୍ୱିତୀୟ ଅଭିଯୋଗ କଲେ। ମାତ୍ର ପୁଲିସ ଅଟୋଚାଳକକୁ ଗିରଫ କରିନାହିଁ। କେବଳ ଜଣେ ବ୍ୟବସାୟୀଙ୍କୁ ଡାକି ପଚରାଉଚରା କରି ଛାଡ଼ିଦେଇଛି। ଏ ସଂକ୍ରାନ୍ତରେ ତଦନ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଏହି ମାମଲାର ତଦନ୍ତ ଚାଲିଛି ବୋଲି ହାଲୁକା ଭାବେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe