୮ ବର୍ଷର ଲଢ଼େଇ, ହାରିଗଲା ଜାତିଭେଦ : ବିବାହ ବନ୍ଧନରେ ପ୍ରେମୀଯୁଗଳ

Advertisment
୮ ବର୍ଷର ଲଢ଼େଇ, ହାରିଗଲା ଜାତିଭେଦ : ବିବାହ ବନ୍ଧନରେ ପ୍ରେମୀଯୁଗଳ

ଖଣ୍ଡଗିରି : ଦୀର୍ଘ ୮ ବର୍ଷର ଲଢ଼େଇ ପରେ ବିଜୟୀ ହେଲା ପ୍ରେମ। ଜାତିଗତ ବିଭେଦ ହାର୍‌ ମାନିଲା। ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉପଯୁକ୍ତ ମାର୍ଗରେ ପରଚାଳିତ କରାଯିବାରୁ ପୂର୍ବରୁ ପ୍ରତିବାଦ କରୁଥିବା ଲୋକେ ବି ଶେଷରେ ବାଟ ଛାଡ଼ିଦେଲେ। ତେଣୁ ପ୍ରେମୀଯୁଗଳ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇ ନିଜ ସଂସାର ଗଢ଼ିବାର ସୁଯୋଗ ପାଇଛନ୍ତି। ଘଟଣାଟି ଯାଜପୁର ଜିଲ୍ଲା ବିଂଝାରପୁର ଅଞ୍ଚଳର ହୋଇଥିଲେ ବି ଖୋର୍ଧା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ନୂଆପଲ୍ଲା ଗାଁର ଦୀପକ ସେଠୀ ଓ ଉର୍ମିଳା ସାହୁ ପରସ୍ପରକୁ ଭଲ ପାଉଥିଲେ। ଦୀର୍ଘ ଦିନ ଧରି ସେମାନଙ୍କ ଭିତରେ ପ୍ରେମ ସମ୍ପର୍କ ଲାଗି ରହିଥିଲା। କିନ୍ତୁ ଜାତିଗତ ଫରକ୍‌ ଥିଲା ସେମାନଙ୍କ ବିବାହ କରିବା ବାଟର କଣ୍ଟା। ତେଣୁ ଦୀପକ ଉର୍ମିଳାଙ୍କୁ ବିବାହ କରି ପାରିନଥିଲେ। ଦୀପକଙ୍କୁ ବିବାହ କରି ନ ପାରି ପରେ ଉର୍ମିଳା ବିଭିନ୍ନ ଫୋରମ୍‌ରେ ନ୍ୟାୟ ପାଇଁ ଆଶ୍ରୟ ନେଇଥିଲେ। ଶେଷରେ ସେ କ୍ୟାପିଟାଲ ହସ୍ପିଟାଲରେ ଥିବା ପିପୁଲ୍‌ସ ଫୋରମ୍‌ ପରିଚାଳିତ ‘ସଖୀ’ର ଦ୍ୱାରସ୍ଥ ହୋଇଥିଲେ। ଉର୍ମିିଳାଙ୍କୁ ନେଇ ସଖୀ କର୍ମକର୍ତାମାନେ ଖୋର୍ଧା ଜିଲ୍ଲା ଭୁବନେଶ୍ୱର ଆଇନ୍‌ ସେବା ପ୍ରାଧିକରଣକୁ ଯାଇଥିଲେ।

ଉର୍ମିଳାଙ୍କ କାହାଣୀ ଶୁଣିବା ପରେ ଅଧ୍ୟକ୍ଷ ତଥା ମାନ୍ୟବର ବିଚାରପତି ଆର୍‌ କେ ପଟ୍ଟନାୟକ, ସମ୍ପାଦିକା ମଧୁମିତା ମହାନ୍ତି ଓ ଆଇନ୍‌ଜୀବୀ ହରପ୍ରିୟା ସାମନ୍ତରାୟ ମାମଲାକୁ ଗୁରୁତ୍ୱର ସହ ନେଇଥିଲେ। ପରେ ଆଇନଜୀବୀ ଶ୍ରୀମତୀ ସାମନ୍ତରାୟ ଉର୍ମିଳାଙ୍କ ଗାଁକୁ ଯାଇ ଲୋକମାନଙ୍କ ସହ ଆଲୋଚନା କରିବା ସହ ପଞ୍ଚାୟତର ଲୋକପ୍ରତିନିଧିମାନଙ୍କୁ ଏ ବାବଦରେ ଜଣାଇଥିଲେ। ଥରେ ନୁହେଁ ଅନେକ ଥର ଏ ନେଇ ଆଲୋଚନା ହେବା ପରେ ଗ୍ରାମବାସୀମାନେ ହିଁ ଏହି ବିବାହକୁ ସ୍ୱୀକୃତି ଦେବାକୁ ରାଜି ହୋଇଥିଲେ। ଆଇନଜୀବୀ ଶ୍ରୀମତୀ ସାମନ୍ତରାୟଙ୍କ ସୂଚନାନୁସାରେ ଗ୍ରାମବାସୀଙ୍କ ସହଯୋଗରେ ହିଁ ଆଜି ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ଭୁବନେଶ୍ୱରର ଏକ ମନ୍ଦିରରେ ସେମାନେ ସବୁଦିନ ପାଇଁ ବନ୍ଧନରେ ଆବଦ୍ଧ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe