ଭୁବନେଶ୍ବର: ‘ନିରାମୟ’ରେ ପୁଣିଥରେ ୨ଟି ନିମ୍ନମାନର ଔଷଧ ଧରା ପଡ଼ିଛି। ଧରା ପଡ଼ିଥିବା ଦୁଇ ଔଷଧ କମ୍ପାନି ଉତ୍ତରାଖଣ୍ଡ ଓ ପଞ୍ଜାବର। ଔଷଧର ଏକାଧିକ ବ୍ୟାଚ୍ ନିମ୍ନମାନର ବୋଲି ଜଣାପଡ଼ିବା ପରେ ଏହି ଦୁଇ ଔଷଧକୁ କଳା ତାଲିକାଭୁକ୍ତ କରାଯାଇଛି। ପଞ୍ଜାବର ଜାକସନ୍ ଲାବରୋଟାରିଜ୍ ରାଜ୍ୟ ଔଷଧ ନିଗମକୁ ୨ ମି.ଗ୍ରାର ଓଡାସେଟ୍ରୋନ୍ ଇଞ୍ଜେକସନ୍ ଯୋଗାଉଥିଲା। ବାନ୍ତି ରୋକିବା ପାଇଁ ଏହି ଇଞ୍ଜେକସନ୍ର ଦରକାର ପଡ଼ିଥାଏ। ତେବେ ଫେବ୍ରୁଆରି ମାସରେ କମ୍ପାନି ପକ୍ଷରୁ ଦିଆଯାଇଥିବା ୨ଟି ବ୍ୟାଚ୍ର ଔଷଧ ନିମ୍ନମାନର ରହିଥିବା ପରୀକ୍ଷାରେ ସାମ୍ନାକୁ ଆସିଛି। ୨ଟି ବ୍ୟାଚ୍ର ଔଷଧ ଷ୍ଟେରିଲିଟି ଓ ବ୍ୟାକ୍ଟେରିଆ ଏଣ୍ଡୋଟକ୍ସିନ୍ ପରୀକ୍ଷାରେ ବିଫଳ ହୋଇଥିଲା। ଏଥିପାଇଁ ନିଗମ ପକ୍ଷରୁ କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ପରବର୍ତୀ ସମୟରେ କମ୍ପାନିର ଏହି ଇଞ୍ଜେକସନ୍କୁ ଆସନ୍ତା ୩ବର୍ଷ ପାଇଁ ନିଗମର କୌଣସି ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବ ନାହିଁ ବୋଲି କୁହାଯାଇଛି। ପୂର୍ବରୁ କମ୍ପାନିର ପାଣ୍ଟୋପ୍ରାଜୋଲ ବଟିକା ମଧ୍ୟ ନିମ୍ନମାନର ଜଣାପଡ଼ିବା ପରେ ଏହାକୁ କଳା ତାଲିକାଭୁକ୍ତ କରାଯାଇ ସାରିଛି।ସେହିପରି ଉତ୍ତରାଖଣ୍ଡର ମ୍ୟାକ୍ସସେମ୍ ଫାର୍ମାସ୍ୟୁଟିକାଲ ନିଗମକୁ କ୍ୟାଲସିୟମ୍ ଓ ଭିଟାମିନ୍ ଡି୩ ଟାବଲେଟ୍ ମଧ୍ୟ ନିମ୍ନମାନର ଥିବା ସାମ୍ନାକୁ ଆସିଥିଲା। କମ୍ପାନି ପକ୍ଷରୁ ମେ’ ମାସରେ ଦିଆଯାଇଥିବା ୪ଟି ବ୍ୟାଚ୍ର ଔଷଧ ନିମ୍ନମାନର ରହିଥିବା ନିଗମ ପକ୍ଷରୁ ସ୍ବୀକୃତିପ୍ରାପ୍ତ ପରୀକ୍ଷାଗାରରେ ଜଣା ପଡ଼ିଥିଲା। ଭିଟାମିନ୍ ଡି୩ ଏସ ପରୀକ୍ଷାରେ ବିଫଳ ହୋଇଥିଲା। ତେଣୁ କମ୍ପାନିର ଏହି ଔଷଧ କଳା ତାଲିକାଭୁକ୍ତ ହୋଇଥିବା ଜଣାପଡ଼ିଛି। ନିଗମର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଯେଉଁ କମ୍ପାନିଗୁଡ଼ିକ ଟେଣ୍ଡର୍ ଅନୁସାରେ ଔଷଧ ଯୋଗାଉଛନ୍ତି, ସେମାନଙ୍କ ଔଷଧକୁ ବିଭିନ୍ନ କ୍ଷେତ୍ରରେ ପରୀକ୍ଷା ହୋଇଥାଏ। ନିଗମକୁ ଆସିବା ପରେ ସ୍ବୀକୃତିପ୍ରାପ୍ତ ପରୀକ୍ଷାଗାର କିମ୍ବା ଔଷଧ ଯୋଗାଣ ସମୟରେ ମଧ୍ୟ ଔଷଧର ପରୀକ୍ଷା ହୋଇଥାଏ। ଏହାସହ ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲର କାର୍ଯ୍ୟାଳୟ ମଧ୍ୟ ଏହାର ପରୀକ୍ଷା କରିପାରିବ। ୨ଟି ବ୍ୟାଚ୍ର ଔଷଧ ନିମ୍ନମାନର ଜଣାପଡ଼ିଲେ ଆଇଟମ୍ ଅନୁଯାୟୀ ଏହାକୁ କଳାତାଲିକାଭୁକ୍ତ କରାଯାଇଥାଏ। ଯଦି ଦୁଇରୁ ଅଧିକ ଆଇଟମ୍ ବା ଔଷଧ ନିମ୍ନମାନର ଜଣାପଡ଼ିବ, ତେବେ ସଂପୃକ୍ତ କମ୍ପାନିକୁ କଳାତାଲିକାଭୁକ୍ତ କରିବାର ନିୟମ ରହିଛି। ତେବେ ଏହି ଔଷଧ କୌଣସି ଡାକ୍ତରଖାନାକୁ ଯୋଗାଣ ହୋଇନାହିଁ। ନିଗମକୁ ଆସିବା ପରେ ହୋଇଥିବା ପରୀକ୍ଷାରେ ଏହା ନିମ୍ନମାନର ଜଣାପଡ଼ିବା ଯୋଗୁଁ ସେହିଠାରୁ ହିଁ ଔଷଧକୁ ଫେରାଇନେବାକୁ ସଂପୃକ୍ତ କମ୍ପାନିକୁ କୁହାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us