ଆସିଲା ଲୋଗୋ, ଆଜି ପୂର୍ବାଭ୍ୟାସ

Advertisment

ରାତି ପାହିଲେ ମନ କଥା କହିବେ ନବୀନ

ରାତି ପାହିଲେ ମନ କଥା କହିବେ ନବୀନ

ଆସିଲା ଲୋଗୋ, ଆଜି ପୂର୍ବାଭ୍ୟାସ

ଭୁବନେଶ୍ୱର: ଶିଶୁ ଦିବସରେ ଶିଶୁଙ୍କୁ ମନର କଥା କହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏହି କାର୍ଯ୍ୟକ୍ରମର ଲୋଗୋ ପ୍ରକାଶ ପାଇଥିବାବେଳେ ଏଥିପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସମେତ ପୂର୍ତ୍ତ ବିଭାଗ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିକାରୀ, ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ଆଜି କ୍ୟାପିଟାଲ ହାଇସ୍କୁଲ ପଡ଼ିଆକୁ ଘନଘନ ଗସ୍ତ କରି ଯାଞ୍ଚ କରିଛନ୍ତି। ପିଲାଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଯେପରି କଡ଼ାକଡ଼ି ହେବ ସେ ନେଇ ଆଲୋଚନା କରିଛନ୍ତି। ଅଧିକାରୀମାନେ ପ୍ରସ୍ତୁତିର ଯାଞ୍ଚ କରିଥିବା ବେଳେ ସୋମବାର ଦୁଇଟି ପର୍ଯ୍ୟାୟରେ ପୂର୍ବାଭ୍ୟାସ କରାଯିବ।

ରାଜଧାନୀର ୨୪ଟି ସରକାରୀ ବିଦ୍ୟାଳୟର ପ୍ରାୟ ୪୫୦୦ ଛାତ୍ରଛାତ୍ର୍ରୀ ଏଥିରେ ଅଂଶଗ୍ରହଣ କରିବେ। ଏହାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ୨୪ଟି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଆଜି ତାଲିମ ଦିଆଯାଇଛି। ପିଲାମାନେ ବସ୍‌ରେ ଆସି ପହଞ୍ଚିବା ପରେ କିଭଳି ସୁରକ୍ଷିତ ଭାବେ ମଞ୍ଚ ସମ୍ମୁଖରେ ବସିବେ ସେନେଇ ଗୁରୁତ୍ୱ ଦିଆଯାଇଛି। କ୍ୟାପିଟାଲ ହାଇସ୍କୁଲ୍‌ ପଡ଼ିଆର ମୁଖ୍ୟ ଫାଟକ ଦେଇ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ଅତିଥିମାନେ ପ୍ରବେଶ କରିବେ। ପଛ ପାର୍ଶ୍ୱରେ ଦୁଇଟି ଫାଟକ କରାଯାଇଛି। ଏଥିମଧ୍ୟରୁ ଏଣ୍ଟ୍ରାନ୍ସ ଫଟକ ଦେଇ ପିଲାମାନେ ପ୍ରବେଶ କରିବେ। ପ୍ରବେଶ ସମୟରେ ସେମାନଙ୍କୁ ଖାଦ୍ୟ ସାମଗ୍ରୀ, ପାଣି ବୋତଲ ଆଦି ଦିଆଯିବା। ପରେ ସେମାନେ ମଞ୍ଚ ନିକଟରେ ବସିବେ।

ପୂର୍ବାହ୍ଣ ୧୧ଟା ସୁଦ୍ଧା ପିଲାମାନେ ନିଜ ସିଟ୍‌ରେ ବସିବେ। ୧୧ଟା ୧୫ରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଟିଭି, ରେଡିଓ, ସୋସିଆଲ୍‌ ମିଡିଆ ମାଧ୍ୟମରେ କରାଯିବ। ୩୦ ମିନିଟ୍‌ର ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ରଙ୍ଗାରଙ୍ଗ ନୃତ୍ୟ ସାଙ୍ଗକୁ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ନିର୍ଦେଶନାରେ ଓଡ଼ିଶା ଡ୍ୟାନ୍ସ ଏକାଡେମିର କଳାକାର ନୃତ୍ୟ ପରିବେଷଣ କରିବେ। ଏଥିସହ ଇଣ୍ଡିଆନ୍‌ ଆଇଡଲ୍‌ ଜୁନିଅର କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ୍‌୍‌ ନନ୍ଦ ଏବଂ ସତ୍ୟଜିତ୍‌ ସଙ୍ଗୀତ ପରିବେଷଣ କରିବେ। ଏହାକୁ ଦୃଷ୍ଟିରେ ରଖି ସୋମବାର ସକାଳେ ଏବଂ ଅପରାହ୍ଣରେ ଦୁଇଥର ଅଭ୍ୟାସ କରାଯିବ। କାର୍ଯ୍ୟକ୍ରମ ସମୟରେ ଯେପରି କୌଣସି ପ୍ରକାର ଅବ୍ୟବସ୍ଥା ନ ହୁଏ ସେଥିପ୍ରତି ଦୃଷ୍ଟି ଦେଇ ଆଗୁଆ ଅଭ୍ୟାସ କରିବାକୁ ସମସ୍ତ ବିଭାଗକୁ କଡ଼ା ନିର୍ଦେଶ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe