ରଷିଆନ୍‌ ପ୍ୟାଲେସ୍‌ରେ ପୂଜା ପାଇବେ ମା’, ଦଶମୀରେ ଜମିବ ସିନ୍ଦୂର ଖେଳ

ଶୈଳଶ୍ରୀବିହାର ଫେଜ୍‌-୭ କମିଟି

ରଷିଆନ୍‌ ପ୍ୟାଲେସ୍‌ରେ ପୂଜା ପାଇବେ ମା’, ଦଶମୀରେ ଜମିବ ସିନ୍ଦୂର ଖେଳ

ଚନ୍ଦ୍ରଶେଖରପୁର: ଚଳିତବର୍ଷ ଶୈଳଶ୍ରୀବିହାର ଫେଜ୍-୭ ଦୁର୍ଗାପୂଜା ସମିତି ପକ୍ଷରୁ ମହାଆଡ଼ମ୍ବରରେ ମା’ଙ୍କ ପୂଜା କରାଯାଉଛି। ସିନ୍ଦୂର ଖେଳ ପାଇଁ ଜଣାଶୁଣା ଏହି ପୂଜାରେ ଏଥର ଏଠାରେ ମୁଖ୍ୟ ଆକର୍ଷଣ ପାଲଟିବ ରଷିଆନ୍‌ ପ୍ୟାଲେସ ଢାଞ୍ଚାର ତୋରଣ। ରଷିଆନ୍‌ ପ୍ରାସାଦରେ ମା’ ପୂଜା ପାଇବେ। ଢେଙ୍କାନାଳରୁ ଆସିଥିବା ୧୨କାରିଗର ଓ ସେମାନଙ୍କ ସହଯୋଗୀମାନେ ଏହି ସୁନ୍ଦର ଆକର୍ଷଣୀୟ ତୋରଣ ତିଆରି କରୁଛନ୍ତି। ଏହି ତୋରଣ ତିଆରି ପାଇଁ ଅଢ଼େଇ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି। ସେହିପରି ମା’ଙ୍କ ମୂର୍ତ୍ତି ତିଆରି କାମ ଆଗେଇ ଚାଲିଛି। ମୂର୍ତ୍ତି ନିର୍ମାଣ କାର୍ଯ୍ୟ‌ରେ ବାରଙ୍ଗ ଅଞ୍ଚଳର ଜଣାଶୁଣା ଶିଳ୍ପୀ ରବୀନ୍ଦ୍ର ମୁଦୁଲିଙ୍କୁ ଦିଆଯାଇଛି। ଏଥିପାଇଁ ୧ ଲକ୍ଷ ଟଙ୍କା ବଜେଟ୍ ରଖାଯାଇଛି।

୨୦୦୫ ମସିହାରୁ ହୋଇ ଆସୁଥିବା ଏହି ପୂଜା ୧୭ ବର୍ଷରେ ପଦାର୍ପଣ କରୁଛି। ଏବର୍ଷ ୮ ଫୁଟ୍ ଉଚ୍ଚତାର ମୂର୍ତ୍ତି ତିଆରି କରାଯିବ। ମା’ଙ୍କୁ ସୁନା ଓ ରୁପା ଅଳଙ୍କାରରେ ଭୂଷିତ କରାଯିବ। ପରମ୍ପରା ଅନୁସାରେ ଚଳିତ ବର୍ଷ ମଧ୍ୟ ସିନ୍ଦୂର ଖେଳ ହେବ। ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦାଣ୍ଡିଆ, ମେଲୋଡି ଓ ଭଜନ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଛି। ମହାଷ୍ଟମୀରେ ୪ଶହ ଶ୍ରଦ୍ଧାଳୁଙ୍କ ପାଇଁ ଖେଚୁଡ଼ି ଭୋଗର ବ୍ୟବସ୍ଥା କରାଯାଇଛି। ସେହିପରି ଭସାଣି ଦିନ ୭ଶହରୁ ଊର୍ଦ୍ଧ୍ବ ଲୋକଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯିବ। ଚଳିତ ବର୍ଷ ମା’ଙ୍କ ଏହି ପୂଜା ପାଇଁ ୧୫ଲକ୍ଷ ଟଙ୍କାର ବଜେଟ୍‌ ରହିଛି ଏବଂ ଶ୍ରଦ୍ଧାଳୁମାନଙ୍କ ବ୍ୟବସ୍ଥିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯିବ।

ବ୍ୟବସ୍ଥିତ ଦର୍ଶନ ଉପରେ ଗୁରୁତ୍ବ

publive-image

କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ଲୋକେ ମା’ଙ୍କ ଦର୍ଶନ କରିନାହାନ୍ତି। ହଜାର ହଜାର ଭକ୍ତ ମା’ଙ୍କ ସୁନ୍ଦର ମୃଣ୍ମୟୀ ମୂର୍ତ୍ତି ଦେଖିବାରୁ ବଞ୍ଚିତ ହୋଇଥିଲେ। ତେଣୁ ଚଳିତ ବର୍ଷ ଭକ୍ତମାନେ ଯେମିତି ଭଲ ଭାବେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବୁ। ଚଳିତବର୍ଷ ଆମ ତୋରଣ ଆକର୍ଷଣର କେନ୍ଦ୍ର ପାଲଟିବ।
ହେମନ୍ତ କୁମାର ମହାପାତ୍ର, ସଭାପତି

ସିନ୍ଦୂର ଖେଳ ପୂଜାର ବଡ଼ ଆକର୍ଷଣ

publive-image

କର୍ମକର୍ତ୍ତାଙ୍କ ନିରନ୍ତର ଉଦ୍ୟମ ଓ ଲୋକଙ୍କ ଭଲ ପାଇବା ଯୋଗୁଁ ୧୭ବର୍ଷ ହେଲା ସୁରୁଖୁରୁରେ ମା’ଙ୍କ ପୂଜା ହେଉଛି। ସିନ୍ଦୁର ଖେଳ ହେଉଛି ଆମ ପୂଜାର ବଡ଼ ଆକର୍ଷଣ। ସ୍ବେଚ୍ଛାସେବୀମାନେ ଶ୍ରଦ୍ଧାଳୁଙ୍କ ଦର୍ଶନରେ ଲାଗି ରହିବେ। ଚଳିତବର୍ଷ ଜାକଜମକରେ ଭସାଣ ଉତ୍ସବ କରାଯିବ।
ଗୋପାଳକୃଷ୍ଣ ପଟ୍ଟନାୟକ, ସାଧାରଣ ସମ୍ପାଦକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe