ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ

Advertisment
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ

ଭୁବନେଶ୍ବର: ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ବିନ୍ଧାଣୀ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ରାଜଭବନ ସମ୍ମୁଖ ଓ ବିଧାନସଭା ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଉତ୍କଳ ସମ୍ମିଳନୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ବହୁମୁଖୀ ଅବଦାନ ସମ୍ପର୍କରେ ବିଶିଷ୍ଟ ଅତିଥିମାନେ ଆଲୋକପାତ କରିଥିଲେ।

ଓଡ଼ିଶା ସରକାରଙ୍କ ଲୋକସମ୍ପର୍କ ଓ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୁଳବୃଦ୍ଧ ଉତ୍କଳଗୌରବ ମଧୁସୂଦନଙ୍କ ସ୍ମରଣ ବିନା ଏକ ସମୃଦ୍ଧ ଓଡ଼ିଶାର ଚିତ୍ର କଳ୍ପନା କରିବା ସମ୍ଭବ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ତଥା ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସମ୍ପାଦକ ଲେନିନ୍‌ ମହାନ୍ତି କହିଥିଲେ, ମଧୁବାବୁ ଓଡ଼ିଆ ଜାତିକୁ ସ୍ବପ୍ନର ଭାଷା ଶିଖାଇଛନ୍ତି। ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅରୁଣ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍କଳ ଗୌରବଙ୍କ ଜୀବନୀ ଉପରେ ଆଲୋକପାତ କରିବା ସହ ଓଡ଼ିଶାର ସାଂସ୍କୃତିକ, ସାମାଜିକ ଓ ଅର୍ଥନୈତିକ ସମୃଦ୍ଧି ପାଇଁ ମଧୁବାବୁଙ୍କ ଅବାଦନ ଅତୁଳନୀୟ ବୋଲି ଦର୍ଶାଇଥିଲେ। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର କହିଥିଲେ, ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସହ ସଂଗ୍ରାମ କରି ମଧୁବାବୁ ଯେଉଁ ସ୍ବାଭିମାନର ବାର୍ତ୍ତା ଦେଇଛନ୍ତି, ତାକୁ ସମସ୍ତେ ଜୀବନର ଆଦର୍ଶ ଭାବେ ଗ୍ରହଣ କରିବା ଉଚିତ। ଏହା ହିଁ ତାଙ୍କର ଅମର ଆତ୍ମା ପ୍ରତି ହେବ ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଉପଲକ୍ଷେ ପୂର୍ବରୁ ଆୟୋଜିତ ଆନ୍ତଃବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ବିଭାଗୀୟ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ପ୍ରଦେଶ କଂଗ୍ରେସ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୬ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଛି। ମଙ୍ଗଳବାର ସକାଳେ ପିସିସି ପକ୍ଷରୁ କଂଗ୍ରେସ ନେତୃବୃନ୍ଦ ରାଜଭବନଛକ ସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସ୍ଥାନୀୟ କଂଗ୍ରେସ ଭବନରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସ୍ମୃତି ସଭାରେ ବହୁ ବରିଷ୍ଠ ନେତା ଓ କର୍ମୀ ମଧୁବାବୁଙ୍କ ସ୍ବାଭିମାନ, ତ୍ୟାଗ ତଥା ଜୀବନ ଦର୍ଶନ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ଥାନୀୟ ପିସିସି କାର୍ଯ୍ୟାଳୟରେ ମଧ୍ୟ କୁଳବୃଦ୍ଧଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe