ଭୁବନେଶ୍ୱର : ଜୈନ ତେରାପନ୍ଥ ଧର୍ମଗୁରୁ ଆଚାର୍ଯ୍ୟ ମହାଶ୍ରମଣଙ୍କ ପବିତ୍ର ଅହିଂସା ଯାତ୍ରା ଓ ବର୍ଦ୍ଧମାନ ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ଆଚାର୍ଯ୍ୟ ମହାଶ୍ରମଣଙ୍କ ସ୍ୱାଗତ ପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ସ୍ଥାନୀୟ ରସୁଲଗଡ଼ଠାରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ ଜଣାଇଛନ୍ତି। ସେହିପରି ଲକ୍ଷ୍ମୀସାଗରସ୍ଥିତ ଫାଲକନ୍ ହାଉସ୍ ସମ୍ମୁଖରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଆଚାର୍ଯ୍ୟଙ୍କୁ ସ୍ୱାଗତ କରିଥିଲେ।
ସଦ୍ଭାବନା, ନୈତିକତା ଓ ନିଶା ନିବାରଣ ବାର୍ତ୍ତା ନେଇ ୨୦୧୪ରୁ ଦିିଲ୍ଲୀ ଲାଲ୍କିଲ୍ଲାରୁ ବାହାରିଥିବା ଜୈନ ଅନୁଗାମୀଙ୍କ ପଦଯାତ୍ରା ଏବେ ଓଡ଼ିଶାରେ ପହଞ୍ଚିଛି। ଆଚାର୍ଯ୍ୟ ମହାଶ୍ରମଣ ରସୁଲଗଡ଼ ଅତିକ୍ରମ କରି ତେରାପନ୍ଥ ଭବନ ଦେଇ ଲକ୍ଷ୍ମୀସାଗରସ୍ଥିତ ମେଲଣ ପଡ଼ିଆଠାରେ ପ୍ରବଚନ ଓ ସତ୍ସଙ୍ଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଥିରେ ଆଚାର୍ଯ୍ୟ ମହାଶ୍ରମଣ ନୈତିକ ମୂଲ୍ୟର ବିକାଶ, ସାମ୍ପ୍ରଦାୟିକ ସଦ୍ଭାବ, ମାନବିକତା, ନିଶାମୁକ୍ତି ଓ ଅହିଂସା ଚେତନା ଜାଗରଣ ପାଇଁ ଆହ୍ଵାନ ଦେଇଥିଲେ। ସମ୍ବର୍ଦ୍ଧନା ଉତ୍ସବ ପରେ ଆଚାର୍ଯ୍ୟ ମହାଶ୍ରମଣ ନିଜ ଅନୁଗାମୀମାନଙ୍କ ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦୦ ଦିନ ଧରି ଏହି ଅହିଂସା ପଦଯାତ୍ରା ଚାଲୁ ରଖିବେ। ସମାଜକୁ ଅହିଂସାର ବାର୍ତ୍ତା ବାଣ୍ଟିବା ଶାନ୍ତିମୈତ୍ରୀର ଜ୍ଞାନ ଦେବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆଚାର୍ଯ୍ୟ କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମହାଶ୍ରମଣ ବ୍ୟବସ୍ଥା ସମିତି ଭୁବନେଶ୍ୱରର ସଭାପତି ପ୍ରକାଶ ଚନ୍ଦ୍ର ବେତାଲା, ମନ୍ସୁଖ୍ ସେଠୀଆ ଓ ସୁଭାଷ ଭୋରାଙ୍କ ସମେତ ଶହ ଶହ ସଂଖ୍ୟାରେ ଜୈନ ସଭା, ତେରାପନ୍ଥ ଯୁବକ ପରିଷଦ ଓ ତେରାପନ୍ଥ ମହିଳା ମଣ୍ଡଳ ସଦସ୍ୟମାନେ ଉପସ୍ଥିତ ଥିଲେ।
Follow Us