ମହାଷ୍ଟମୀ ଉପଲକ୍ଷେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଜମିଲା ଭିଡ଼, ଘଉଡ଼ାଇଲା ପୁଲିସ

Advertisment
ମହାଷ୍ଟମୀ ଉପଲକ୍ଷେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ଜମିଲା ଭିଡ଼, ଘଉଡ଼ାଇଲା ପୁଲିସ

ଭୁବନେଶ୍ୱର : ମହାଷ୍ଟମୀ ଉପଲକ୍ଷେ ଆଜି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଭିଡ଼ ଜମିଥିବା ପରିଲକ୍ଷିତ ହୋଇଥିଲା। ଯଦିଓ କରୋନା ପାଇଁ ଚଳିତବର୍ଷ ଜନସାଧାରଣଙ୍କୁ ଦେବୀଦର୍ଶନ ବାରଣ କରାଯାଇଛି, ମା’ଙ୍କୁ ଦେଖିବାର ବ୍ୟାକୁଳତା ଭକ୍ତଙ୍କୁ ଅଟକାଇ ପାରିନଥିଲା। ବିଶେଷକରି ମହିଳା ଭକ୍ତମାନେ ଶାଢ଼ି, ଶଙ୍ଖା ପୂଜା ପାଇଁ ବିଭିନ୍ନ ମଣ୍ଡପ ନିକଟକୁ ଆସିଥିବା ଦେଖାଯାଇଥିଲା। ଦୁର୍ଗାପୂଜା ସମିତିର ସଦସ୍ୟମାନେ ଶ୍ରଦ୍ଧାଳୁଙ୍କଠାରୁ ଶାଢ଼ି, ଶଙ୍ଖା ନେଇ ମା’ଙ୍କ ନିକଟରେ ପୂଜା କରି ଆଣି ଦେଉଥିଲେ। କିନ୍ତୁ ଭକ୍ତମାନଙ୍କୁ ଦେବୀଦର୍ଶନ କରାଇ ଦିଆଯାଇ ନଥିଲା। ମଣ୍ଡପ ଚତୁଃପାର୍ଶ୍ବ କପଡ଼ା ଘେରା ଯାଇଥିବାରୁ କେହି କେହି ଫାଙ୍କ ମଧ୍ୟରୁ ମା’ଙ୍କ ମୃଣ୍ମୟ ମୂର୍ତ୍ତି ଦର୍ଶନ କରିଥିଲେ। କିଛି ଜାଗାରେ ଭିଡ଼ ସାମାନ୍ୟ ବଢ଼ୁଥିବା ଦେଖାଯିବାରୁ ପୁଲିସ୍‌ ମଣ୍ଡପ ନିକଟକୁ ଆସିବାକୁ ଶ୍ରଦ୍ଧାଳୁଙ୍କୁ ବାରଣ କରିଥିଲା। ସେହିଭଳି ଆଉ କିଛି ଜାଗାରେ କରୋନା ନିୟମାବଳୀ କଡ଼ାକଡ଼ି ପାଳନ କରାଯାଉଥିବାରୁ ଶାଢ଼ିପୂଜା ମଧ୍ୟ ବନ୍ଦ କରାଯାଇଥିଲା। କିଛି ଦୁର୍ଗାପୂଜା ସମିତି ପକ୍ଷରୁ ମା’ଙ୍କ ପାଦୁକ ଓ ଖେଚୁଡ଼ି ଭୋଗ ଲୋକଙ୍କ ଘରେ ଦିଆଯାଇଛି।

ନିରାଡ଼ମ୍ବର ପୂଜା ଆୟୋଜନ କଲା ମହାବୀର ପୂଜା କମିଟି
ନୂଆପଲ୍ଲୀସ୍ଥିତ ଶ୍ରୀଶ୍ରୀ ମହାବୀର ପୂଜା କମିଟିର ମହାବୀର ପୂଜା ଚଳିତବର୍ଷ ୧୧ ବର୍ଷରେ ପଦାର୍ପଣ କରିଛି। ପ୍ରଶାସନର କରୋନା ମାର୍ଗଦର୍ଶିକାକୁ ଅନୁପାଳନ କରି କମିଟି ପକ୍ଷରୁ ଏଥର ନିରାଡ଼ମ୍ବର ଭାବେ ମହାବୀରଙ୍କ ପୂଜା ଆୟୋଜନ କରାଯାଇଛି। ମଣ୍ଡପରେ ପୁରୋହିତଙ୍କ ସମେତ ମୋଟ ୭ ଜଣ ସଦସ୍ୟ ରହିଥିବା ବେଳେ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖୁଛନ୍ତି ବୋଲି କମିଟି ପକ୍ଷରୁ କୁହାଯାଇଛି। କମିଟିର କାର୍ଯ୍ୟକାରୀ ସଭାପତି ମିଲନ କୁମାର ପାଇକରାୟ କହିଛନ୍ତି, ଦଶମୀ ପର୍ଯ୍ୟନ୍ତ ମଣ଼୍ଡପ ନିକଟରେ ଜନସାଧାରଣଙ୍କୁ କରୋନା ସଚେତନତା କରାଇବା ସହ ମାସ୍କ୍ ଓ ସାନିଟାଇଜର୍‌ ବଣ୍ଟନ କରାଯିବ। ଏହାସହ ବୃକ୍ଷରୋପଣ କରାଯାଇ ପରିବେଶର ସନ୍ତୁଳନ ରକ୍ଷା କରିବାକୁ ବାର୍ତ୍ତା ଦିଆଯିବ ବୋଲି କହିଛନ୍ତି। ମଣ୍ଡପକୁ ନ ଆସି ଘରେ ରହି ପ୍ରଭୁ ମହାବୀରଙ୍କୁ ପୂଜା କରନ୍ତୁ ବୋଲି ଏକ ପୋଷ୍ଟର୍ ଲଗାଯାଇ ସଚେତନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe