ଭୁବନେଶ୍ବର : ପୁଲିସ ଚାକିରି ନାଁରେ ପ୍ରାୟ ଦେଢ଼ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ବୈକୁଣ୍ଠନାଥ ନାୟକକୁ ଦୁଇଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ରାଜଧାନୀ ଛାତି ଉପରେ ହୋଇଥିବା ବଡ଼ଧରଣର ଠକେଇର ଚେର ଖୋଜୁଛି ତଦନ୍ତକାରୀ ଟିମ୍। କେମିତି ଠକେଇ କରିଥିଲେ, ଠକେଇ ଅର୍ଥ କେଉଁଠି ଅଛି, ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତା’ର ଖୋଳତାଡ଼ ଆରମ୍ଭ ହୋଇଛି। ଏହା ଭିତରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।
ପୁଲିସ ଚାକିରି ଆଶାୟୀମାନଙ୍କୁ ବୈକୁଣ୍ଠନାଥ ଗୃହ ବିଭାଗର ନକଲି ଏଏସ୍ଓ କହି ଠକେଇ କରିଥିଲା। ତେବେ ବୈକୁଣ୍ଠନାଥ ନାୟକ ନାମରେ ଜଣେ ଏଏସ୍ଓ ଗୃହ ବିଭାଗରେ ଚାକିରି କରିଛନ୍ତି। ତାଙ୍କ ନାଁରେ ଜାଲ୍ ପରିଚୟପତ୍ର ବନାଇଥିଲା ଗିରଫ ହୋଇଥିବା ଠକ ବୈକୁଣ୍ଠନାଥ। ସେ କେମିତି ଏହି ତଥ୍ୟ ପାଇଲା, କେଉଁଠି ଜାଲ୍ ପରିଚୟପତ୍ର ତିଆରି କଲା, ତାହାର ତଦନ୍ତ ଜାରି ରହିଛି। ଏହା ପଛରେ ଆଉ କାହାର ଲିଙ୍କ୍ ଅଛି, ସେନେଇ ମଧ୍ୟ ତନାଘନା ଚଳାଇଛି ଟିମ୍। ପଚରାଉଚରାରୁ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଏହି ଠକେଇ ମାମଲାରେ ବୈକୁଣ୍ଠନାଥ ନାୟକ ଓ ଭୀମସେନ୍ ମହାରଣାଙ୍କୁ ଗିରଫ କରିଥିଲା ଇଓଡବ୍ଲୁ। ଆଉ ଦୁଇଜଣ ଫେରାର୍ ଅଛନ୍ତି।
Follow Us