ଭାଙ୍ଗିଯିବ ଲିଙ୍ଗରାଜଙ୍କ ସିଂହଦ୍ବାର ମୁଖ୍ୟ କବାଟ!

Advertisment
ଭାଙ୍ଗିଯିବ ଲିଙ୍ଗରାଜଙ୍କ ସିଂହଦ୍ବାର ମୁଖ୍ୟ କବାଟ!

ପୁରୁଣା ଭୁବନେଶ୍ବର : ଏକାମ୍ର ପ୍ରକଳ୍ପ ଯୋଜନା କାର୍ଯ୍ୟକ୍ରମ ଜୋର୍‌ଦାର୍‌ ଚାଲିଛି। ମନ୍ଦିର ଚତୁଃପାର୍ଶ୍ବକୁ ସୁନ୍ଦର କରିବା ପାଇଁ ଉଚ୍ଛେଦ କାମ ପୁଣି ଆରମ୍ଭ ହୋଇଛି। କିନ୍ତୁ ମନ୍ଦିରର ସମସ୍ୟା ସମାଧାନ ହୋଇପାରୁନାହିଁ। ପୂର୍ବରୁ ମୁଖ୍ୟ ମନ୍ଦିରରୁ ପାଣି ଗଳିବା ଓ ଆର୍ଥିଂ ନ ଥିବା ସମସ୍ୟା ଥିଲା। ଏବେ ଆଉ ଏକ ସମସ୍ୟା ଦେଖା ଦେଇଛି। ସିଂହଦ୍ବାର ମୁଖ୍ୟ ଦୁଇ କବାଟରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଫାଟ ଯୋଗୁଁ ଏହା ଭାଙ୍ଗି ପଡ଼ିବା ସ୍ଥିତିରେ ରହିଛି। କୌଣସି ସମୟରେ ଏହା ଭୁଶୁଡ଼ି ପଡ଼ିବ ବୋଲି ଆଶଙ୍କା ଦେଖାଦେଇଛି।

ସେବାୟତମାନଙ୍କ ସୂଚନାନୁସାରେ, ଶହଶହ ବର୍ଷର ଏହି କବାଟରେ ପିତ୍ତଳ ଚଦର ଦିଆଯାଇଛି। ୧୯୮୦ ମସିହାରେ ଜଣେ ବଦାନ୍ୟ ବ୍ୟକ୍ତି ସିଂହଦ୍ବାର କବାଟ ଦୁଇଟିକୁ ପିତ୍ତଳ ଚଦରରେ ଘୋଡ଼ାଇବା ପାଇଁ ଅର୍ଥଦାନ କରିଥିଲେ। ଫଳରେ ସିଂହଦ୍ବାର କବାଟ ଖୁବ୍‌ ଆକର୍ଷଣୀୟ ହୋଇଛି। କିନ୍ତୁ ଏହି ଚଦର ତଳେ ଥିବା କାଠ ଦୁର୍ବଳ ହୋଇ ପଡ଼ିଲାଣି। ପିତ୍ତଳ ପ୍ଲେଟ୍ ତଳେ କାଠ ଫାଟି ଆଁ କରିଛି। ଫଳରେ କବାଟ ବନ୍ଦ କଲା ବେଳକୁ ଏହି ଫାଟ ବାହାରକୁ ଦେଖାଗଲାଣି। ମରାମତି ହେଉ ନଥିବାରୁ ଏହି ଫାଟ ଦିନକୁ ଦିନ ବଡ଼ ଦେଖାଯାଉଛି। ବରିଷ୍ଠ ସେବାୟତମାନଙ୍କ କହିବା କଥା, ଏହି କବାଟ ବହୁ ବର୍ଷ ପୂର୍ବରୁ ଲାଗିଛି। ଏବେ ସିନା ପିତ୍ତଳ ଚଦର ଢ଼ଙ୍କା ଯାଇଛି, କିନ୍ତୁ କାଠ ବଦଳା ଯାଇ ନାହିଁ। ଫଳରେ କିଛି କିଛି ଅଂଶ ଦୁର୍ବଳ ହୋଇ ଫାଟ ସୃଷ୍ଟି ହେଲାଣି। ଏନେଇ ସେବାୟତଗଣ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ଏଥିସହିତ ସେମାନେ ଏଏସ୍ଆଇକୁ ମଧ୍ୟ ଜଣାଇଥିଲେ। ତେବେ ଏହି ସମସ୍ୟାର ସମାଧାନ ରାସ୍ତା ସେମିତି ଫାଇଲ୍‌ ଭିତରେ ଚାପି ହୋଇ ରହିଯାଇଛି।

publive-image

ବରିଷ୍ଠ ସେବାୟତ ତଥା ପୂଜାପଣ୍ଡା ନିଯୋଗର ସଭାପତି କାଶୀନାଥ ପୂଜାପଣ୍ଡା କହିଛନ୍ତି ଯେ ତାଙ୍କ ପିଲାବେଳୁ ସେ ଏହି କବାଟ ଲାଗିଥିବା ଦେଖି ଆସୁଛନ୍ତି। ଏବେ ଏହି କବାଟ ଦୋହଲିଲାଣି। କେତେବେଳେ ଭାଙ୍ଗି ତଳେ ପଡ଼ିବ, କହି ହେବ ନାହିଁ। ସେହିଭଳି ବଡୁ ନିଯୋଗ ସଭାପତି ଅଞ୍ଚଳ ବଟୁ ଓ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ ମନ୍ଦିର ପ୍ରଶାସନ ଓ ଏଏସ୍‌ଆଇକୁ ଜଣାଇବା ପରେ ମଧ୍ୟ ପଦକ୍ଷେପ ଶୂନ। ତେଣୁ ନେଡ଼ିଗୁଡ଼ କହୁଣୀରେ ପହଞ୍ଚିଲେ ଯାଇ ଚେତିବେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ କହିବା କଥା ଏହି ସମସ୍ୟା ନେଇ ଏଏସ୍ଆଇକୁ ଜଣାଇଛୁ। ଏନେଇ ଟ୍ରଷ୍ଟବୋର୍ଡରେ ଆଲୋଚନା ହେବ। ଏଏସ୍ଆଇର ଭୁବନେଶ୍ବର ସଂଗ୍ରାଧୀକ୍ଷକ ସୁଶାନ୍ତ କୁମାର ଗୋଚ୍ଛାୟତ କହିଛନ୍ତି, ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ। ଏହା ବହୁ ପୁରୁଣା କବାଟ। ଏଏସ୍ଆଇର ନିୟମ ଅନୁଯାୟୀ, ଏହା ନୂଆ ଲାଗି ପାରିବ ନାହିଁ। ଏହାକୁ ମରାମତି କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe