ଅଜଣା ଗଛ ମୂଳେ ମାଇପି ମେଳା

Advertisment

ଏଥର ବି ଫିକା ପଡ଼ିଲା

ଏଥର ବି ଫିକା ପଡ଼ିଲା

ଅଜଣା ଗଛ ମୂଳେ ମାଇପି ମେଳା

ବାଲିପାଟଣା : ପବିତ୍ର ବାରୁଣୀ ସ୍ନାନ ଅବସରରେ ସ୍ଥାନୀୟ ନରିଶୋସ୍ଥିତ ବନବିହାରୀ ଦେବଙ୍କ ପୀଠରେ ଶହ ଶହ ବର୍ଷ ହେଲା ଚାଲି ଆସିଛି ମାଇପି ମେଳା। ହଜାର ହଜାର ଲୋକଙ୍କ ଭିଡ଼ରେ ଅନୁଷ୍ଠିତ ହେଉଥିବା ଏହି ମେଳା କିନ୍ତୁ ଗତ ବର୍ଷଠାରୁ ବିନା କୋଳାହଳରେ ସମ୍ପନ୍ନ ହେଉଛି। କରୋନା କଟକଣା ପାଇଁ ଗତବର୍ଷ ମେଳାରେ କେବଳ ମାନସିକଧାରୀମାନେ ଉପସ୍ଥିତ ଥିଲେ। ଚଳିତ ବର୍ଷ ମଧ୍ୟ ‌ଅନୁରୂପ ଭାବେ କେବଳ ଅଧିଆ ପଡ଼ିଥିବା ଶ୍ରଦ୍ଧାଳୁଙ୍କୁ ନେଇ ଏହି ମେଳା ଅନୁଷ୍ଠିତ ହୋଇଛି। ଫଳରେ ବର୍ଷକର ଏହି ଉତ୍କଣ୍ଠିତ ମେଳା ପୂର୍ବର ଚମକ ହରାଇଛି।

ବାଲିପାଟଣା, ବାଲିଅନ୍ତା, ନିମାପଡ଼ା ଓ ନିଆଳି ଆଦି ବ୍ଲକ ଅଞ୍ଚଳର ଲୋକମାନେ ଏହି ମେଳାରେ ଭିଡ଼ ଜମାଇଥାନ୍ତି। ପ୍ରଭୁ ବନ ବିହାରୀଙ୍କ କୃପା ଲାଭ ପାଇଁ ଏହି ସବୁ ଅଞ୍ଚଳର ମହିଳାମାନେ ବ୍ରତ ରଖି ଅଧିଆ ପଡ଼ନ୍ତି। ଚୈତ୍ର ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଏହି ମେଳା ଅନୁଷ୍ଠିତ ହୋଇଥାଏ। ନରିଶୋ ପଞ୍ଚାୟତ ବନବିହାରୀଙ୍କ ପୀଠରେ ଅନୁଷ୍ଠିତ ହେଉଥିବା ଏହି ମେଳାକୁ ‘ମାଇପି ମେଳା’ ବା ‘ବନବିହାରୀ ମେଳା’ ବୋଲି କୁହାଯାଏ। ବିଭିନ୍ନ ରୋଗ, ସନ୍ତାନପ୍ରାପ୍ତି, ପିଲାଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତ ପାଇଁ ମାନସିକ କରି ମହିଳାମାନେ ବ୍ରତ କରନ୍ତି। ଅଧିଆ ପଡ଼ିବାକୁ ମାନସିକ କରିଥିବା ମହିଳାଙ୍କୁ ବାଦ୍‌ ଦେଲେ ଠାକୁରଙ୍କ କରୁଣା ଲାଭ କରିବାକୁ ଅନ୍ୟ ଲୋକମାନେ ଆସନ୍ତି। ମାନସିକଧାରୀ ପୂର୍ବ ଦିନ ଅର୍ଦ୍ଧରାତ୍ରରୁ ଏହି ପୀଠରେ ମୁଣ୍ଡ ଉପରେ ନଡ଼ିଆ ରଖି ସାଷ୍ଟାଙ୍ଗ ଗୁହାରିଆ ପଡ଼ନ୍ତି। ଅପରାହ୍‌ଣରେ ଠାକୁରଙ୍କ ପୂଜକ ସେମାନଙ୍କୁ ଜଳ ଓ ତୁଳସୀ ଦେବା ପରେ ସେମାନେ ବ୍ରତ ସମାପନ କରନ୍ତି। ଚଳିତ ବର୍ଷ ୪୫ଜଣ ମାନସିକଧାରୀ ଗୁହାରିଆ ପଡ଼ିଥିଲେ। ମଧ୍ୟାହ୍ନ ୧୨ଟାରେ ପୂଜକ ଜଳ ଓ ତୁଳସୀ ଦେବା ପରେ ସେମାନେ ଅଧିଆ ବ୍ରତ ସାରିଥିଲେ। କରୋନା କଟକଣା ପାଇଁ ମାନସିକଧାରୀଙ୍କ ଛଡ଼ା ଅନ୍ୟ କାହାକୁ ଏଠାରେ ରହିବାକୁ ଅନୁମତି ମିଳିନଥିଲା। ବନବିହାରୀ ମେଳା କମିଟି ସଭାପତି ସୀତାକାନ୍ତ ରାଉତ, ଉପସଭାପତି କୈଳାସଚନ୍ଦ୍ର ସ୍ୱାଇଁ, ସଂପାଦକ ଅକ୍ଷୟ କୁମାର ଜେନା ଓ କୋଷାଧ୍ୟକ୍ଷ ଜଟାଧାରୀ ପଲେଇ ପ୍ରମୁଖ ମେଳା ପରିଚାଳନା ଦାୟିତ୍ୱରେ ଥିଲେ।

ଅଜଣା ଗଛର ମାହତ୍ମ୍ୟ
ଆଶ୍ଚର୍ଯ୍ୟର କଥା ହେଉଛି ବନବିହାରୀଙ୍କ ଆସ୍ଥାନ ପାଲଟିଥିବା ବୃକ୍ଷ। ଶହ ଶହ ବର୍ଷର ଏହି ବୃକ୍ଷଟିର ନାମ ଆଜି ଯାଏ ଜଣା ପଡ଼ିନାହିଁ। ଏମିତିକି ବନବିଭାଗ ମଧ୍ୟ ଏହି ଗଛକୁ ଚିହ୍ନଟ କରିପାରିନାହିଁ। ଏହି ଅଞ୍ଚଳରେ ଅନେକ ଛୋଟଛୋଟ ଜଙ୍ଗଲ ଥିଲେ ମଧ୍ୟ ଏଭଳି ଗଛ କେଉଁ ଜଙ୍ଗଲରେ ବି ଦେଖିବାକୁ ମିଳେନି। ତେଣୁ ଏକମାତ୍ର ଏହି ଅଜଣା ଗଛ ଓ ତା’ ତଳେ ପ୍ରକଟ ଲାଭ କରିଥିବା ବନବିହାରୀଙ୍କୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅଗାଧ ବିଶ୍ବାସ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe