ମାଲେସିଆ ଓଡ଼ିଆ ସମାଜର ‘ଅନ୍ତରଙ୍ଗ’ କାର୍ଯ୍ୟକ୍ରମ: ଓଡ଼ିଶା ସାରା ବିଶ୍ବକୁ ତ୍ୟାଗ, ସମନ୍ବୟ ଶିକ୍ଷା ଦେଇଛି

ମାଲେସିଆ ଓଡ଼ିଆ ସମାଜର ‘ଅନ୍ତରଙ୍ଗ’ କାର୍ଯ୍ୟକ୍ରମ: ଓଡ଼ିଶା ସାରା ବିଶ୍ବକୁ ତ୍ୟାଗ, ସମନ୍ବୟ ଶିକ୍ଷା ଦେଇଛି

ଭୁବନେଶ୍ବର: ଓଡ଼ିଆ କବି ଭୀମ‌ ଭୋଇ ସମଗ୍ର ବିଶ୍ବକୁ ଅପୂର୍ବ ତ୍ୟାଗ ଓ ମଣିଷ ପଣିଆର ଶିକ୍ଷା ଦେଇଥିବା ବେଳେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ବକୁ ସମନ୍ବୟର ଶିକ୍ଷା ଦେଇଛି। ମାଲେସିଆ ଓଡ଼ିଆ ସମାଜ ପକ୍ଷରୁ କ୍ବାଲାଲମ୍ପୁରସ୍ଥିତ ନେତାଜୀ ସୁଭାଷ ବୋଷ ଇଣ୍ଡିଆନ୍‌ କଲ୍‌ଚରାଲ୍‌ ସେଣ୍ଟର ପ୍ରେକ୍ଷାଳୟରେ ଅନୁଷ୍ଠିତ ‘ଅନ୍ତରଙ୍ଗ’ କାର୍ଯ୍ୟକ୍ରମରେ ଓଡ଼ିଆ ଲେଖକମାନେ ଏପରି ମତ ରଖିଛନ୍ତି।

ବିଶିଷ୍ଟ ସାହିତ୍ୟିକ ବିଭୂତି ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କହିଲେ, ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ କେବଳ ଓଡ଼ିଆ ସମାଜକୁ ନୁହେଁ ଓଡ଼ିଆ ଭାଷାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା। ସେ ଏକଥା ବି କହିଲେ, ମାତୃଭାଷାକୁ ଭଲ ନପାଇଲେ କୌଣସି ଜାତି ଆଗକୁ ବଢ଼ିପାରିବ ନାହିଁ। ଶିକ୍ଷାବିତ୍‌ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମାଲେସିଆ ସମାଜର ଏହି ଅଭିନବ କାର୍ଯ୍ୟକ୍ରମକୁ ପ୍ରଶଂସା କରି କହିଲେ, ଏହାର ସଦସ୍ୟମାନେ ଓଡ଼ିଶାଠାରୁ ଦୂରରେ ରହିଥିଲେ ମଧ୍ୟ ଓଡ଼ିଶାକୁ ନିଜ ହୃଦୟରୁ ଦୂରେଇନାହାନ୍ତି। ସେ କହିଲେ ‌ଯେ, ପ୍ରାଥମିକ ଶିକ୍ଷା ଓଡ଼ିଶା ପ୍ରଗତିର ଚାବିକାଠି। ଏଥିସହ ଓଡ଼ିଶାର ଭଲକଥାକୁ ନେଇ ପ୍ରଶଂସା କରିବା ଉଚିତ୍‌ ବୋଲି ସେ କହିଥିଲେ। ମାଲେସିଆର ଭାରତୀୟ ଦୂତାବାସ ଆଗ୍ରହ କ୍ରମେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ କଥାକାର ଗୌରହରି ଦାସ ଅତିଥି ଭାବେ ଯୋଗଦେଇ କହିଲେ, ଏକଦା ଓଡ଼ିଶା ତାହାର ମନ୍ଦିର ଭାସ୍କର୍ଯ୍ୟରେ ନିଜର ପରାକାଷ୍ଠା ଦେଖାଇଥିଲା ଏବଂ ଏହା ଭବିଷ୍ୟତରେ ଭାରତର ସାଂସ୍କୃତିକ ଜଗତରେ ନେତୃତ୍ବ ନେଇପାରିବ। ଭାଷଣ ପ୍ରସଙ୍ଗରେ ସେ ଓଡ଼ିଶୀ ନୃତ୍ୟ, ଓଡ଼ିଆ ସାହିତ୍ୟର ଉତ୍କର୍ଷର ବିଭିନ୍ନ ଉଦାହରଣ ଦେଇଥିଲେ। ଭାରତୀୟ ଦୂତାବାସର ଡେପୁଟି ହାଇକମିସନର ନିଖିଳେଶ ଚନ୍ଦ୍ର ଗିରି ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ସମୃଦ୍ଧ ଅତୀତ ସତ୍ତ୍ବେ ଓଡ଼ିଶା ଦରିଦ୍ର ଏବଂ ପଛୁଆ ହୋଇ ରହିବା ଦୁଃଖଦାୟକ। ଏହି ଅବସ୍ଥାର ପରିବର୍ତନ ଲାଗି ତରୁଣ ପିଢ଼ି ଉଦ୍ୟମ କରିବା ଆବଶ୍ୟକ। ଓଡ଼ିଆ ସମାଜର ଉପସଭାପତି ଏକାମ୍ର ମହାପାତ୍ର ଅତିଥିଙ୍କୁ ଉପହାର ପ୍ରଦାନ ସହ ଡେପୁଟି ହାଇକମିସନରଙ୍କୁ ବିଦାୟ ସମ୍ବର୍ଧନା ଜଣାଇଥିଲେ। କ୍ବାଲାଲମ୍ପୁରରେ ରହୁଥିବା ତରୁଣ ଲେଖିକା ବୀଣପାଣି ପ୍ରଧାନ ସ୍ବରଚିତ ଗଳ୍ପ ଓ କବିତା ପାଠ କରିଥିବା ବେଳେ ସୌମ୍ୟ ସାରସ୍ବତ ଦାଶ କବିତା ପାଠ କରିଥିଲେ। ପ୍ରଣତି ମିଶ୍ର ସମାରୋହ ସଂଚାଳନ କରିଥିବା ବେଳେ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ବାଲାଲମ୍ପୁରରେ ରହୁଥିବା ବିଶିଷ୍ଟ ଶିଳ୍ପପତି ଏସ୍‌ ଦାସ, ‌ସତ୍ୟବ୍ରତ ନାୟକ, ଭାରତୀୟ ବୈଦେଶିକ ସେବାର ଅଧିକାରୀ ଲକ୍ଷ୍ମୀକାନ୍ତ କୁମ୍ଭାର, ସୌମ୍ୟରଂଜନ, ଦୀପକ, ଆର୍ଯ୍ୟବେଦାନ୍ତ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ମହେନ୍ଦ୍ର ପ୍ରସାଦ ଉପସ୍ଥିତ ରହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଯାହା ଅତ୍ୟନ୍ତ ପ୍ରଭାବଶାଳୀ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe