ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତା ଉପରକୁ ପାଣି ଛାଡ଼ିଲା ମଲ୍‌

ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତା ଉପରକୁ ପାଣି ଛାଡ଼ିଲା ମଲ୍‌

ଭୁବନେଶ୍ୱର: ରସୁଲଗଡ଼ ଶିଳ୍ପାଞ୍ଚଳ ପ୍ରବେଶ ପଥର ମୁଖ୍ୟ ରାସ୍ତାରେ ଡ୍ରେନ୍‌ ପାଣିର ସୁଅ। ଶିଳ୍ପାଞ୍ଚଳରେ ନୂଆ କରି ଖୋଲିଥିବା ଏସ୍‌ପ୍ଲାନେଡ୍‌ ମଲ୍‌ର ପଛ ଫାଟକରୁ ପମ୍ପ ଯୋଗେ ପାଣିକୁ ମୁଖ୍ୟ ରାସ୍ତାକୁ ଛଡ଼ା ଯିବାରୁ ଏପରି ସ୍ଥିତି ଉପୁଜିଥିଲା। ଦୀର୍ଘ ସମୟ ଧରି ପାଣି ଛଡ଼ା ଯିବାରୁ, ରସୁଲଗଡ଼-ଲକ୍ଷ୍ମୀସାଗର ମୁଖ୍ୟ ରାସ୍ତାରେ ମଧ୍ୟ ପାଣି ଜମିଥିଲା। ଖବର ନେବାରୁ ଜଣାପଡ଼ିଛି ଯେ ଏସ୍‌ପ୍ଲାନେଡ୍‌ ନିକଟରେ ଥିବା ବୈଷ୍ଣବ ମୋନାର୍କ ଆପାର୍ଟମେଣ୍ଟରେ ବର୍ଷା ଜଳ ନିଷ୍କାସନ ପାଇଁ ଏକ ଡ୍ରେନ୍‌ ରହିଛି। ମଲ୍‌ ନିର୍ମାଣ କାମ ଚାଲିଥିବା ବେଳେ ସେହି ଡ୍ରେନ୍‌ର ଚାମ୍ବର କୌଣସି କାରଣରୁ ଭାଙ୍ଗି ଯାଇଥିଲା। ଫଳରେ ଗତ ଦୁଇଦିନର ଲଗାଣ ବର୍ଷା ଯୋଗୁ ଆପାର୍ଟମେଣ୍ଟ ପରିସରରୁ ଜଳ ନିଷ୍କାସନ ହୋଇ ପାରିନଥିଲା। ଆପାର୍ଟମେଣ୍ଟର ବାସିନ୍ଦାମାନେ ସ୍ଥାନୀୟ କର୍ପୋରେଟର୍‌ ଓ ମଲ୍‌ କର୍ତ୍ତୃପକ୍ଷଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ। ଏହା ପରେ ମଲ୍‌ କର୍ତ୍ତୃପକ୍ଷ ପାଣି ପମ୍ପ ଲଗାଇ ପଛ ଫାଟକ ବାଟେ ଡ୍ରେନ୍‌ରୁ ରାସ୍ତା ଉପରକୁ ବର୍ଷା ଜଳ ଛାଡ଼ି ଦେଇଥିଲେ। କିନ୍ତୁ ସେହି ରାସ୍ତାରେ ବହୁସଂଖ୍ୟାରେ ଗାଡ଼ି ଓ ଲୋକ ଯାତାୟାତ କରୁଥିଲେ ବି କର୍ତ୍ତୃପକ୍ଷଙ୍କ ସେଥିପ୍ରତି ନଜର ନଥିଲା। ରାସ୍ତା ଉପରେ ପାଣି ରହିବା ଫଳରେ ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଅନ୍ୟପକ୍ଷରେ ରସୁଲଗଡ଼ ଶିଳ୍ପାଞ୍ଚଳର ମୁଖ୍ୟରାସ୍ତା ଗତ କିଛି ଦିନ ହେବ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ନୂଆ ମଲ୍‌ ନିର୍ମାଣ ହେଲା ପରେ ଏହି ରାସ୍ତା ଦେଇ ମଲ୍‌ରୁ ଶହ ଶହ ଗାଡ଼ି ମୁଖ୍ୟ ରାସ୍ତାକୁ ବାହାରୁଛି। ଫଳରେ ଦିନକୁ ଦିନ ରାସ୍ତା ଅବସ୍ଥା ସଙ୍ଗିନ ହୋଇପଡ଼ୁଛି। ସୋମବାର ରାସ୍ତାରେ ଏଭଳି ଭାବେ ପାଣି ଛାଡ଼ିବା ଦ୍ୱାରା ଗାଡ଼ିମଟର ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଏଥିପାଇଁ ମଲ୍‌କୁ ଆସୁଥିବା ଗ୍ରାହକ, ରସୁଲଗଡ଼ ଶିଳ୍ପାଞ୍ଚଳର ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଯାତାୟାତ କରୁଥିବା ଲୋକ ଓ ସ୍ଥାନୀୟ ବାସିନ୍ଦା ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe