ଫାଶରେ ପଡ଼ିଗଲା ମଣିଷ କାମୁଡ଼ା ହନୁ, ବନ ବିଭାଗ ଯନ୍ତାରେ କିଏ?

Advertisment
ଫାଶରେ ପଡ଼ିଗଲା ମଣିଷ କାମୁଡ଼ା ହନୁ, ବନ ବିଭାଗ ଯନ୍ତାରେ କିଏ?

ବାଲିଅନ୍ତା: ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ଗୋଡ଼ାଇ ‌ଗୋଡ଼ାଇ କାମୁଡ଼ା ରାମ୍ପୁଡ଼ା କରି ଉତ୍ପାତ କରୁଥିବା ଏକ ହନୁକୁ ଗତକାଲି ବନ ବିଭାଗ ଯନ୍ତାରେ ଧରି ଜଙ୍ଗଲରେ ଛାଡ଼ିଥିଲା। କିନ୍ତୁ ଆଜି ସକାଳୁ ପୁଣି ବାଳକାଟି ବଜାରରେ ମାଙ୍କଡ଼ ଆତଙ୍କ ଦେଖାଦେଲା। ତିନିଜଣ ଲୋକ ମାଙ୍କଡ଼ ଆକ୍ରମଣରେ ଆହତ ହେଲେ। ତେଣୁ ବନ ବିଭାଗକୁ ଖବର ଦେବା ସହ ଲୋକେ ଫାଶ ବସାଇ ମାଙ୍କଡ଼କୁ ଧରିବା ପାଇଁ ଲାଗି ପଡ଼ିଲେ। ବିସ୍କୁଟ୍‌ ଓ ଚିନାବାଦାମ ଖାଇବା ଲୋଭ‌ରେ ବିଚରା ଉତ୍ପାତିଆ ହନୁ ଫାଶରେ ପଡ଼ିଗଲା। ଲୋକେ ରାଗରେ ତା’ ଗୋଡ଼ ବାନ୍ଧି ଗ୍ରିଲ୍‌ରେ ଲଟକାଇ ଦେଲେ। ଶେଷରେ ବନ କର୍ମଚାରୀ ତାକୁ ନେଇ ଜଙ୍ଗଲରେ ଛାଡ଼ିଲେ। ‌ତେବେ ଏହି ଘଟଣା ଭିତରେ ଲୋକେ ବନ କର୍ମଚାରୀଙ୍କୁ ଗତକାଲି ଯନ୍ତାରେ ପଡ଼ିଥିବା ମାଙ୍କଡ଼ ବାବଦରେ ପଚାରିଥିଲେ। ସେଇଟି କେଉଁ ମାଙ୍କଡ଼ ବୋଲି ଲୋକଙ୍କ ପ୍ରଶ୍ନରେ ବନ କର୍ମଚାରୀମାନେ କିଛି ସନ୍ତୋଷଜନକ ଉତ୍ତର ଦେଇନପାରି ହରଡ଼ଘଣାରେ ପଡ଼ିଥିଲେ। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ବେଶ୍‌ ରୋଚକ ଚର୍ଚ୍ଚା ସୃଷ୍ଟି କରିଛି।

ଗତକାଲି ବନ କର୍ମଚାରୀମାନେ ଯନ୍ତାରେ ଧରିଥିବା ମାଙ୍କଡ଼କୁ ଜଙ୍ଗଲରେ ଛାଡ଼ିବା ପରେ ଲୋକମାନେ ଆଶ୍ବସ୍ତ ହୋଇଥିଲେ। କାମୁଡ଼ା ହନୁ ନଥିବାରୁ ଲୋକେ ବିନା ଶଙ୍କାରେ ଚଳପ୍ରଚଳ କରିଥିଲେ। କିନ୍ତୁ ଆଜି ସକାଳୁ ସକାଳୁ ପୁଣି ୩ଜଣ ଲୋକ ମାଙ୍କଡ଼ ଆକ୍ରମଣରେ ଆହତ ହେଲେ। ଏକ ଜଳଖିଆ ଦୋକାନର କର୍ମଚାରୀ ଭଗବାନ ଗୁରୁତର ଆହତ ହୋଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି ହେଲେ। ଫୁଲ ତୋଳୁଥିବା ବେଳେ ଜଣେ ମହିଳା ମଧ୍ୟ ହନୁ ଆକ୍ରମଣର ଶିକାର ହେଲେ। ତେଣୁ ଲୋକେ ବନ କର୍ମଚାରୀଙ୍କୁ ଜଣାଇବା ସହ ମାଙ୍କଡ଼କୁ ଧରିବା ପାଇଁ ଛକି ରହିଲେ। ବିସ୍କୁଟ ଓ ଚିନାବାଦାମ ଖାଇବାକୁ ଦେବା ବାହାନାରେ ଫାଶରେ ଧରି ପକାଇଲେ। ତା’ ଗୋଡ଼ ଓ ବେକକୁ ଲୁହା ଶିକୁଳି ଓ ରଶିରେ ବାନ୍ଧି ପକାଇଲେ। ଏକ ଲୁହା ଗ୍ରିଲ୍‌ରେ ତାକୁ ଲଟକାଇ ରଖିଲେ। ବାଡ଼ିରେ ଖେଞ୍ଚାଖେଞ୍ଚି କଲେ। ଦୀର୍ଘ ସମୟ ପରେ ବନ ବିଭାଗର କର୍ମଚାରୀମାନେ ତାକୁ ଉଦ୍ଧାର କରି ପୁଣି ଜଙ୍ଗଲରେ ଛାଡ଼ିଲେ। ତେବେ ଗତକାଲି ବନ ବିଭାଗ ଯନ୍ତାରେ ପଡ଼ିଥିବା ହନୁ ଓ ଆଜି ଲୋକଙ୍କ ଫାଶରେ ପଡ଼ିଥିବା ହନୁ ଏକ କି ଭିନ୍ନ, ତାହା ସ୍ପଷ୍ଟ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe