youtube.com
ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ କୂଳସାହି ଗ୍ରାମର ନାରାୟଣ ପଣ୍ଡା ବର୍ଷାଧିକ କାଳ ଧରି ପଞ୍ଚାୟତ ଓ ପଞ୍ଚାୟତ ସମିତିକୁ ଦୌଡ଼ିଥିଲେ ହେଁ ତାଙ୍କ ନାମ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରି ନଥିଲା। ଏବେ ଲକ୍ଡାଉନ୍ ଯୋଗୁଁ ଚା’ ଦୋକାନ କରି ପରିବାର ଚଳାଉଥିବା ନାରାୟଣଙ୍କ ୫ ପ୍ରାଣୀ କୁଟୁମ୍ବ ଚଳିବା କଷ୍ଟକର ହୋଇପଡ଼ିଥିଲା। ତୁରନ୍ତ ସରକାରୀ ସହାୟତା ଯୋଗାଇ ଦିଆ ନଗଲେ ପରିବାର ସମୂହ ଆତ୍ମହତ୍ୟା କରିବା ନେଇ ଗତକାଲି ଖୋର୍ଧା ଜିଲ୍ଲାପାଳକଙ୍କୁ ଡାକ ଯୋଗେ ସେ ଚିଠି ଲେଖିଥିଲେ। ଏ ସଂପର୍କିତ ଖବର ଆଜି ସମ୍ବାଦରେ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି। ଅପରାହ୍ଣରେ ବ୍ଲକ ଯୋଗାଣ ନିରୀକ୍ଷକ ଧୀରଜ ଭୂୟାଁ ଗ୍ରାମରେ ପହଞ୍ଚି ଉକ୍ତ ପରିବାରକୁ ଭେଟି ସମସ୍ୟା ପଚାରି ବୁଝିଥିଲେ। ତାଙ୍କ ଆଧାରକାର୍ଡ ଗ୍ରହଣ କରି ପ୍ରତାପରୁଦ୍ରପୁର ସେବା ସମବାୟ ସମିତି ସଂପାଦକ ବିଶ୍ବନାଥ ପଣ୍ଡା ୩ ମାସ ପାଇଁ ୭୫କେଜି ଚାଉଳ, ୧୦୦୦ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଓ କିରାସିନି ୨ଲିଟର ପ୍ରଦାନ କରିଥିଲେ। ଏଥିସହ ଖୁବ୍ଶୀଘ୍ର ତାଙ୍କୁ ରାସନ୍ କାର୍ଡ ଯୋଗାଇ ଦିଆଯିବ ବୋଲି ଦାୟିତ୍ବରେ ଥିବା ଅଧିକାରୀଦ୍ବୟ ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷେ ବିଭିନ୍ନସ୍ତରରୁ ବେଣୁଧରଙ୍କ ପରିବାରକୁ ଅନୁକମ୍ପାର ସୁଅ ଛୁଟିଛି। ଆଜି ସକାଳେ ସମାଜସେବୀ ରଂଜନ କୁମାର ମହାପାତ୍ର ଓ ଦିନବନ୍ଧୁ ଭୋଇ ପ୍ରମୁଖ ପହଞ୍ଚି ଡାଲି, ଅଟା ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ।
Follow Us