‘ମନନ’ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ: ସ୍ବପ୍ନ ଓ ବାସ୍ତବତାର ଅନ୍ତର ଦେଖାଇଲା ‘ମାୟା’

Advertisment
‘ମନନ’ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ: ସ୍ବପ୍ନ ଓ ବାସ୍ତବତାର ଅନ୍ତର ଦେଖାଇଲା ‘ମାୟା’

ଭୁବନେଶ୍ୱର: ସ୍ଵପ୍ନ ଖୁବ୍‌ ସୁନ୍ଦର। ସେଇ ସ୍ବପ୍ନ କେବେ ଭାଙ୍ଗି ଯାଉଥିବା ମନରେ ଆନନ୍ଦ ଭରିଦିଏ ତ କେବେ ନିଃସ୍ବକୁ ଇନ୍ଦ୍ରାସନରେ ବସାଇଦିଏ। ସେଥିପାଇଁ ସ୍ବପ୍ନ ଦେଖିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ଅଧା ସ୍ବପ୍ନରେ ଯଦି ନିଦ ଭାଙ୍ଗିଯାଏ, ତାହାଲେ ମଣିଷ କେତେ କ’ଣ ହଜେଇ ଦେଲା ପରି ମନେ କରେ। ସେମିତି କିଛି ସ୍ବପ୍ନକୁ ନେଇ ନାଟକର ଚରିତ୍ରମାନେ ବିଭୋର୍‌ ହୋଇ ଉଠିଥିଲେ।

ସ୍ବପ୍ନ ସେମାନଙ୍କୁ ବାସ୍ତବତାର ମଧୁର ଅନୁଭବ ଭଳି ଲାଗୁଥିଲା। କିନ୍ତୁ ଶେଷରେ ବାସ୍ତବତାର ନିଷ୍ଠୁର ସତ୍ୟ ଆଗରେ ସେମାନଙ୍କ ସ୍ବପ୍ନ ହଜିଗଲା। ବାସ୍ତବତାକୁ ଦେଖି ସେମାନେ ବାକ୍‌ଶୂନ୍ୟ ହୋଇ ନିଜକୁ ଧିକ୍‌କାର କରୁଛନ୍ତି। ସ୍ବପ୍ନ ଓ ସ୍ବପ୍ନଭଙ୍ଗକୁ ନେଇ ନାଟକ ‘ମାୟା’ ଆଜି ଦର୍ଶକଙ୍କୁ ଆମୋଦିତ କରିଥିଲା। ନାଟ୍ୟସଂସ୍ଥା ‘ମନନ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ନାଟ୍ୟ ମହୋତ୍ସବର ଶେଷ ସଂଧ୍ୟାରେ ଢେଙ୍କାନାଳ ଅଲଟରନେଟିଭ୍‌ ରିଦିମ୍ ଥିଏଟର୍‌ର କଳାକାରମାନେ ଆଜି ଭିନ୍ନଧରଣର ଏହି ନାଟକ ପରିବେଷଣ କରି ଦର୍ଶକଙ୍କ କରତାଳି ସାଉଁଟିଥିଲେ। ନାଟକର ରଚନା, ପରିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ ଦୀନେଶ ଦାସ।

ଉଦ୍‌ଯାପନୀ ସଭାରେ ନାଟ୍ୟ କଳାକାର ରାମଚନ୍ଦ୍ର ଭୋଳଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ମନନ ସମ୍ମାନରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ସାମ୍ବାଦିକ ବଙ୍କିମ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ମନୋଜ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା ଓ ନାଟ୍ୟକାର ଗୋପୀନାଥ ବାରିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe