ସରିଲା ‘ମନନ’ ନାଟ୍ୟ ମହୋତ୍ସବ: ମଞ୍ଚସ୍ଥ ହେଲା ‘ଡେଣା’

Advertisment
ସରିଲା ‘ମନନ’ ନାଟ୍ୟ ମହୋତ୍ସବ: ମଞ୍ଚସ୍ଥ ହେଲା ‘ଡେଣା’

ଭୁବନେଶ୍ୱର: ନାଟକର ଚରିତ୍ର ଥିଲେ ଜଣେ ନାଟ୍ୟକାର। ନାଟକ ଲେଖିବାକୁ ବସିବା ବେଳେ ନିଜ ପରିବାରର ସମସ୍ତ ଚରିତ୍ର ତାଙ୍କ ମାନସପଟ୍ଟରେ ଉଙ୍କିମାରେ। ବିଶେଷ କରି ପାରିବାରିକ ବନ୍ଧନରୁ ମୁକ୍ତ ହୋଇ ଉଡ଼ିଯିବାକୁ ତାଙ୍କ ପତ୍ନୀଙ୍କ ମନରେ କଅଁଳୁଥିବା ଛୋଟ ଡେଣାରେ ନାଟ୍ୟକାରଙ୍କ ଭାବନା କେନ୍ଦ୍ରୀଭୂତ ହୁଏ। ସେ ଡେଣା ଆଉ କିଛି ନ ଥିଲା ସ୍ବାଧୀନତାର ଡେଣା। କିନ୍ତୁ ଯେତେବେଳେ ସେ ଡେଣା କଅଁଳି ସାରିଛି, ନାଟ୍ୟକାରଙ୍କ କଳ୍ପନାର ପତ୍ନୀ ଘରଛାଡ଼ି ମୁକ୍ତ ହେବାକୁ ଚାହୁଛି। ଏ ସମାଜ ପାଇଁ କିଛି କରିବାକୁ ଚାହୁଛି। ହେଲେ ସେ ଡେଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି। କଳ୍ପନାର ଚରିତ୍ରଟି କାଠଗଡ଼ାରେ ଛିଡ଼ା ହୋଇଛି। କଳ୍ପନା କ’ଣ ଡେଣା ମେଲାଇ ଉଡ଼ି ପାରିଛି? ଏମିତି ଏକ ପ୍ରଶ୍ନର ଉତ୍ତ‌ର ନେଇ ଆଜି ମଞ୍ଚସ୍ଥ ହୋଇଛି ନାଟକ ‘ଡେଣା’।ଉତ୍ସବର ଶେଷ ସଂଧ୍ୟାରେ ଏଭଳି ଏକ ସମାଜିକ କଥାବସ୍ତୁକୁ ନେଇ ନାଟକ ଭେଟି ଦେଇଛି ‘ମନନ ନାଟ୍ୟସଂସ୍ଥା’।

ମନନ ନାଟ୍ୟ ସଂସ୍ଥାର ୪୧ତମ ଜନ୍ମବାର୍ଷିକୀ ଅବସରରେ ୫ ଦିନ ଧରି ଆୟୋଜିତ ନାଟକ ମହୋତ୍ସବ-୨୦୨୦ର ଆଜି ପରଦା ନଇଁଛି। ଏହି ଅବସରରେ ଭବାନୀପାଟଣାର ‘ସ୍ମାରକୀ ନାଟ୍ୟ ସଂସଦ’ ପକ୍ଷରୁ ପରିବେଷିତ ଏହି ନାଟକର ରଚନା ମନୋଜ ରଥ କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ପ୍ରମୋଦ ଓ ମନୋଜ। ନାଟକରେ ବିଭିନ୍ନ ଚରିତ୍ରରେ ସୁଧିର, ଶୁଭେନ୍ଦୁ, ସୌରଭ, ରାମେଶ୍ୱର, ଦେବୀପ୍ରସାଦ, ଭାନୁ ପ୍ରକାଶ, ପୁଷ୍ପା, ଆଲୋକ, ତଥାଗତ, ସସ୍ମିତା, ପ୍ରଜ୍ଞା ପ୍ରମୁଖ ଅଭିନୟ କରିଥିଲେ। ଆଜି ସଂଧ୍ୟାର ଅତିଥି ଭାବେ ଯୋଗ ଦେଇଥିଲେ ନାଟ୍ୟ ବ୍ୟକ୍ତିତ୍ବ ଶଙ୍କର ପ୍ରସାଦ ତ୍ରିପାଠୀ, ଲାଲା ବୀରେନ୍ ରାୟ, ଅଭିନେତା ମୁନ୍ନା ଖାଁ ପ୍ରମୁଖ। ମନନର ସଭାପତି ମନୋଜ ପଟ୍ଟନାୟକ ଓ ଉପସଭାପତି ବଙ୍କିମ୍ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ ଓ ଅଭିନେତା ଶ୍ରୀକାନ୍ତ ମିଶ୍ରଙ୍କୁ ‘ମନନ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏଥିରେ ରବୀନ୍ଦ୍ର ନାଥ ମହାନ୍ତିଙ୍କ ଇଂରାଜୀ ପୁସ୍ତକ ‘ଏ ଷ୍ଟଡି ଅନ୍‌ ଟିଚିଂ ଅଫ୍‌ କମ୍ୟୁନିକେଟିଭ୍‌ ଇଂଲିସ୍‌ ଆଟ୍‌ ସେକେଣ୍ଡାରି ଲେବୁଲ୍‌’ ଏବଂ ମନନ ନାଟ୍ୟସଂସ୍ଥାର ସ୍ମରଣିକା ‘ମନନ’ ଉନ୍ମୋଚନ କରାଯାଇଥିଲା। ଏହା ବିଶିଷ୍ଟ କଥାକାର ଗୌରହରି ଦାସ, ଶଙ୍କର ପ୍ରସାଦ ତ୍ରିପାଠୀ, ଲାଲା ବୀରେନ୍ ରାୟ ଓ ଅଭିନେତା ମୁନ୍ନା ଖାଁଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe