ମଞ୍ଚେଶ୍ୱର ଷ୍ଟେସନ୍‌ ରାସ୍ତା ନା ମରଣଯନ୍ତା

ମଞ୍ଚେଶ୍ୱର ଷ୍ଟେସନ୍‌ ରାସ୍ତା ନା ମରଣଯନ୍ତା

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱର ରେଲ୍‌େଓ୍ଵ ଷ୍ଟେସନ୍‌କୁ ଯୋଗାଯୋଗ କରୁଥିବା ଏକମାତ୍ର ରାସ୍ତା ଏବେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହି ରାସ୍ତାରେ ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ଯାତାୟାତ କରିବାରେ ସମସ୍ୟା ସୃଷ୍ଟି ହୋଇଛି। ବିଏମ୍‌ସି ଓ୍ଵାର୍ଡ ନମ୍ବର ୧୦ ଅଧୀନରେ ଥିବା ମଞ୍ଚେଶ୍ୱର ଭୋଟପଡ଼ା ଯୋଗାଯୋଗ ରାସ୍ତାରେ ବର୍ଷାପାଣି ଜମି କାଦୁଅ ଜମିଛି। ଫଳରେ ରାସ୍ତାରେ କେବଳ ହାଇଓ୍ଵା, ଟ୍ରକ ଓ କଲେଜ୍‌ ବସ୍‌ ଯାଉଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ଗତବର୍ଷ ଏହି ରାସ୍ତାକୁ ସ୍ଥାନୀୟ କର୍ପୋରେଟର୍‌ ପ୍ରମଣ ନାୟକ କିଛି ଠିକାଦାରଙ୍କ ଦ୍ୱାରା ମାଟି, ଗୋଡ଼ି ଓ ପିଚୁ ପକାଇ ପକ୍କା ରାସ୍ତା ତିଆରି କରିଥିଲେ। ହେଲେ ରୋକଟ୍‌ ନିକଟରେ ସ୍ୱେରେଜ କାମ କରୁଥିବା ଟ୍ରକ୍‌, ସିମେଣ୍ଟ ବୋଝେଇ ଗାଡ଼ି ଓ ଏକ ଘରୋଇ ଇଂଜିନିୟରିଂ କଲେଜ୍‌ ବସ୍‌ ଯାତାୟାତ ଫଳରେ ରାସ୍ତାଟି ଖାଲଖମାରେ ଭର୍ତି ହୋଇଯାଇଛି। ରାସ୍ତାର ସମସ୍ୟା ନେଇ କର୍ପୋରେଟର୍‌ ଶ୍ରୀମତୀ ନାୟକ ଓ ଯୁବ ନେତା ଦାଶରଥୀ ନାୟକ କହନ୍ତି, ରାସ୍ତାରେ ଭାରୀଯାନ ଚଳାଚଳ କରୁଥିବାରୁ ଏଠାରେ ଢ଼ଳେଇ ରାସ୍ତାର ଆବଶ୍ୟକତା ରହିଛି। ଏନେଇ ସ୍ୱତନ୍ତ୍ର ଟେଣ୍ଡର୍‌ କରିବା ନେଇ ବିଏମ୍‌ସିକୁ ଅବଗତ କରାଯାଇଛି। ଆଗାମୀ ଦଶହରା ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଯିବ। ସୂଚନା ଥାଉକି ମଞ୍ଚେଶ୍ୱର ରେଲ୍‌େଓ୍ଵ ଅନ୍‌ଲୋଡିଂ ସେକ୍‌ସନ୍‌ର ସିମେଣ୍ଟ ବୋଝେଇ ଟ୍ରକ୍‌ ଶିଳ୍ପାଞ୍ଚଳ ରାସ୍ତାରେ ଯିବା ପରିବର୍ତେ ଭୋଟପଡ଼ା ଓ ରଙ୍ଗମାଟିଆ ଗ୍ରାମ ରାସ୍ତାରେ ଯାତାୟାତ କରୁଥିବାରୁ ଏବେ ଏହି ଅଞ୍ଚଳର ପିଚୁ ପକ୍କା ରାସ୍ତାରେ ଖାଲ ହୋଇ ସମସ୍ୟା ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe