ଏକାମ୍ରରୁ ଉଭାନ ହୋଇଯିବ ଆମ୍ବଗଛ! ରାସ୍ତା ପାଇଁ ବଳି ପଡ଼ିଲା ଆଉ ୫ ବଡ଼ ଗଛ

Advertisment
ଏକାମ୍ରରୁ ଉଭାନ ହୋଇଯିବ ଆମ୍ବଗଛ! ରାସ୍ତା ପାଇଁ ବଳି ପଡ଼ିଲା ଆଉ ୫ ବଡ଼ ଗଛ

ପୁରୁଣା ଭୁବନେଶ୍ବର : ଏକାଧିକ ଆମ୍ର କୁଞ୍ଜ ଥିବାରୁ ଏହି ଅଞ୍ଚଳର ନାଁ ଦିଆଯାଇଥିଲା ଏକାମ୍ରକ୍ଷେତ୍ର। କିନ୍ତୁ ଏବେ ବିକାଶ ନାଁରେ ସେହି ଏକାମ୍ରକ୍ଷେତ୍ରକୁ ଆମ୍ବଗଛ ଶୂନ୍ୟ କରିଦେବାକୁ ବସିଛି ପ୍ରଶାସନ। ରାଜ୍ୟ ସରକାର ‘ଏକାମ୍ର’ ପ୍ରକଳ୍ପ‌ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଓ ସଂଲଗ୍ନ ଐତିହ୍ୟସଂପନ୍ନ ମନ୍ଦିରଗୁଡ଼ିକର ବିକାଶ ଓ ସୌନ୍ଦର୍ଯ୍ୟୀକରଣ କରୁଥିବା ବେଳେ ଶହଶହ ବର୍ଷର ପୁରୁଣା ଆମ୍ବ ଗଛଗୁଡ଼ିକୁ ବିନା ଦ୍ବିଧାରେ କାଟି ଦିଆଯାଉଛି। ଆଜି ମଧ୍ୟ ବଡ଼ବଡ଼ ୫ଟି ଆମ୍ବଗଛ ବଳି ପଡ଼ିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକାମ୍ର କ୍ଷେତ୍ରର ଏ କେମିତିକା ବିକାଶ ବୋଲି କିଛି ବୁଦ୍ଧିଜୀବୀ ବୋଲି ପ୍ରଶ୍ନ କରିଛନ୍ତି।

ସୂଚନାନୁଯାୟୀ, କେଦାରଗୌରୀ ଛକରୁ ସାନେଟାରିୟମ୍‌ ଛକ ରାସ୍ତା ଚଉଡ଼ା କରିବା ପାଇଁ ବହୁ ଗଛ ବଳି ପଡ଼ିଲାଣି। ରାସ୍ତାର ଦୁଇ ପାର୍ଶ୍ବରେ ଥିବା ବହୁ ବଡ଼ବଡ଼ ଗଛକୁ ବିନା ଦ୍ବିଧା‌ରେ କାଟି ସଫା କରି ଦିଆଯାଉଛି। ଏଗୁଡ଼ିକ ମଧ୍ୟରେ ବହୁ ଆମ୍ବ ଗଛ ରହିଛି। ଆଜି ମଧ୍ୟ ବିନ୍ଦୁସାଗରର ଉତ୍ତରପାର୍ଶ୍ବ କେଦାରନାଥ ଗବେଷଣା ପ୍ରତିଷ୍ଠାନ ସମ୍ମୁଖରେ ଥିବା ବହୁ ପୁରାତନ ୫ଟି ଆମ୍ବଗଛକୁ କାଟି ଦିଆଯାଇଛି। ୩୦ରୁ ୪୦ଫୁଟ୍‌ ଲମ୍ବର ଏହି ଗଛଗୁଡ଼ିକ ଆଜି ଧରାଶାୟୀ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆମ୍ବଗଛରେ ଭରପୂର ହୋଇଥିବାରୁ ଅଞ୍ଚଳର ନାମ ଏକାମ୍ର କ୍ଷେତ୍ର ହୋଇଥିଲା। କିନ୍ତୁ ଏବେ ଆଗପଛ ବିଚାର ନ କରି ସେହି ଆମ୍ବଗଛକୁ ଏବେ ପ୍ରଶାସନ ମାଟିରେ ଶୁଆଇ ଦେଉଛି। ଏ ସଂପର୍କରେ ବରିଷ୍ଠ ଲେଖକ ଭାଗୀରଥି ମହାସୁଆର କହିଛନ୍ତି ଯେ ଏକାମ୍ରକ୍ଷେତ୍ର ଆମ୍ବ ଗଛର ବଣ ଥିଲା। ଏଥିପାଇଁ ଏହାକୁ ଏକାମ୍ରକ୍ଷେତ୍ର କୁହାଯାଏ। ଏଠାକାର ଶୁଦ୍ଧ ପରିବେଶ ପାଇଁ ଏହି ତୀର୍ଥ କ୍ଷେତ୍ରରେ ବହୁ ସଂଖ୍ୟାରେ ଲୋକ ବସବାସ କରୁଥିଲେ। କିନ୍ତୁ ଏମିତି ଯଦି ଗଛକଟା ଜାରି ରହେ, ତେବେ ଏକାମ୍ରକ୍ଷେତ୍ର ଆମ୍ବଗଛ ଶୂନ୍ୟ ହୋଇଯିବ। ଏନେଇ ଏକାମ୍ର ପ୍ରକଳ୍ପର ଠିକା ସଂସ୍ଥା ଓବିସିସିର ପରିଚାଳନା ନିର୍ଦ୍ଦେଶକ ଜୟକୃଷ୍ଣ ଦାସ କହିଛନ୍ତି, ଓବିସିସି ପକ୍ଷରୁ ଗଛଗୁଡ଼ିକୁ କଟାଯାଇନାହିଁ। ବିଏମ୍‌ସି ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇନଥିଲା। ତେବେ ସିଟି ଡିଏଫ୍‌ଓ ଯଶୋବନ୍ତ ବରିହା କହିଛନ୍ତି ଯେ ଗଛ କାଟିବା ପାଇଁ ଅନୁମତି ଦିଆଯାଇନାହିଁ। ଏମିତି ବିନା ଅନୁମତିରେ କେହି ଗଛ କାଟିଲେ ଥାନାରେ ଅଭିଯୋଗ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe