ମଙ୍ଗୁଳା କନ୍ୟା ହାତ ଧରିଲେ ଯୁବ ସମାଜସେବୀ, ଗେଷ୍ଟ୍‌ ହାଉସ୍‌ରୁ ବର ଗାଏବ୍‌

Advertisment
ମଙ୍ଗୁଳା କନ୍ୟା ହାତ ଧରିଲେ ଯୁବ ସମାଜସେବୀ, ଗେଷ୍ଟ୍‌ ହାଉସ୍‌ରୁ ବର ଗାଏବ୍‌

ପୁରୁଣା ଭୁବନେଶ୍ବର: ବାଡ଼ୁଅ ପାଣିରେ ଗାଧୋଇବା ପରେ କନ୍ୟା ମଙ୍ଗୁଳା ହୋଇ ବର ଆସିବାକୁ ଅପେକ୍ଷା କରିଥିଲେ। ପରିବାର ଲୋକେ ଭୋଜିଭାତ ଓ ବାହାଘର ପାଇଁ ପ୍ରସ୍ତୁତ ହେଉଥିଲେ। ବର ସହ ବରଯାତ୍ରୀ ମଧ୍ୟ ନିକଟସ୍ଥ ଗେଷ୍ଟ୍‌ ହାଉସ୍‌ରେ ଥାଇ କନ୍ୟା ଘର ଅଭିମୁଖେ ବାହାରିବା ପାଇଁ ଲଗ୍ନବେଳାକୁ ଅପେକ୍ଷା କରିଥିଲେ। ଦୁଇ ପକ୍ଷରେ ଖୁସିର ମାହୋଲ୍‌। ଆଉ କିଛି ସମୟ ପରେ ହାତଗଣ୍ଠି ପଡ଼ିଥାନ୍ତା। ମାତ୍ର ହଠାତ୍ ଗେଷ୍ଟ୍‌ ହାଉସ୍‌ରୁ ବର ଗାଏବ୍ ହୋଇଗଲା। ବହୁ ଖୋଜାଖୋଜି କରିବା ପରେ ମଧ୍ୟ ବରପକ୍ଷ ବରକୁ ପାଇଲେ ନାହିଁ। କଥା ପୁଲିସ ପର୍ଯ୍ୟନ୍ତ ଗଲା। ମାତ୍ର କିଛି ଲାଭ ହେଲା ନାହିଁ। କନ୍ୟାଘର ଉପରେ ପଡ଼ିଗଲା ଚଡ଼କ। ମଙ୍ଗୁଳା କନ୍ୟାକୁ ଧରି ପରିବାର ଲୋକେ କେବଳ ଭାଗ୍ୟକୁ ଆଦରି କାନ୍ଦିବାରେ ଲାଗିଲେ। ତେବେ ଏତିକିବେ‌ଳେ ଜଣେ ଯୁବ ସମାଜସେବୀ ମଙ୍ଗୁଳା କନ୍ୟାଙ୍କ ହାତ ଧରିବାକୁ ଆଗେଇ ଆସିଲେ। ବିବାହ ସମ୍ପନ୍ନ ହେଲା। ଗତକାଲି ଜଗତସିଂହପୁରରେ ଘଟିଥିବା ଏହି ଦୁଃଖଦ ଘଟଣା ଆଜି ପୁରୁଣା ଭୁବନେଶ୍ବରରେ ହସଖୁସିରେ ସରିଛି।

ଘଟଣାଟି ଥିଲା ଏମିତି। ଜଗତସିଂହପୁର ଅଞ୍ଚଳର ଏହି ଯୁବତୀ ଜଣେ ଉଚ୍ଚ ଶିକ୍ଷିତା ଓ ସରକାରୀ ଚାକିରିଆ। ସେହି ଅଞ୍ଚଳର ଜଣେ ଯୁବକଙ୍କ ସହ ତାଙ୍କ ବାହାଘର ଗତକାଲି ହେବାର ଥିଲା। ବାହା ହେବା ପାଇଁ ଘରୁ ବାହାରି ଯୁବକ ଜଣକ କନ୍ୟା ଘର ନିକଟସ୍ଥ ଏକ ଗେଷ୍ଟ୍‌ ହାଉସ୍‌ରେ କିଛି ସମୟ ପାଇଁ ବିଶ୍ରାମ କରିଥିଲା। ବରଯାତ୍ରୀ ବାହାରିବାକୁ ଆଉ କିଛି ସମୟ ଥାଏ। ଗେଷ୍ଟ୍‌ ହାଉସ୍‌ରେ ବୁଲାବୁଲି କରୁ କରୁ ହଠାତ୍ ବର ଗାଏବ୍ ହୋଇଗଲା। ମୋବାଇଲ୍‌ ଫୋନ୍‌ ଅଫ୍ କରି ବର ନିଖୋଜ ହୋଇଗଲା। ପରେ ଜଣାଗଲା ଯେ ବର ନିଜ ଇଛାରେ ଗାଏବ୍‌ ହୋଇଯାଇଛି। ଏ ପଟେ ମଙ୍ଗୁଳା କନ୍ୟାକୁ ଧରି ପରିବାର ଲୋକେ ଚିନ୍ତାରେ ପଡ଼ିଗଲେ। ବାପାମା’ ଝିଅର ଭବିଷ୍ୟତ କଥା ଚିନ୍ତା କରି ସଂଜ୍ଞାହୀନ ହୋଇପଡ଼ିଲେ। ସବୁ କିଛି ଠିକ୍‌ଠାକ୍‌ ଥିବାବେଳେ ହଠାତ୍ ଏଭଳି ଅଘଟଣ ଘଟିବ ବୋଲି ସେମାନେ କେବେ ବି ସ୍ବପ୍ନରେ ଭାବିନଥିଲେ। ବନ୍ଧୁବାନ୍ଧବ ଧରାବର ଯୋଗାଡ଼ରେ ଲାଗି ପଡ଼ିଥିଲେ। ମାତ୍ର ଜଣେ ଉଚ୍ଚ ଶିକ୍ଷିତ ପୁଣି ସରକାରୀ ଚାକିରିଆ ଯୁବତୀଙ୍କ ପାଇଁ ହଠାତ୍ ଯୋଗ୍ୟ ତଥା ଭଲ ପାତ୍ରଟିଏ ପାଇବା ଅସମ୍ଭବ ହୋଇପଡ଼ିଥିଲା। ତେବେ ପୁରୁଣା ଭୁବନେଶ୍ବରର ଜଣାଶୁଣା ଯୁବ ସମାଜସେବୀ ଭୀଷ୍ମନାରାୟଣ ନାୟକଙ୍କ ନିକଟରେ ଏହି ପ୍ରସ୍ତାବ ପହଞ୍ଚିଲା। ଚିରଦିନ ଅବିବାହିତ ରହି ସମାଜସେବାରେ ନିଜକୁ ଉତ୍ସର୍ଗ କରିବାକୁ ନିଷ୍ପତ୍ତି ନେଇଥିବା ଭୀଷ୍ମ ପ୍ରଥମେ ଅମଙ୍ଗ ହୋଇଥି‌ଲେ ବି ପରେ ନିଜ ପ୍ରତିଜ୍ଞା ଭଙ୍ଗ କରିଥିଲେ। ଆଜି ଭୀଷ୍ମଙ୍କୁ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe