India Today
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ୯ ନମ୍ବର ଜୋନ୍ ସଭାପତି ତଥା ସ୍ଥାନୀୟ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟାର ୧ ବର୍ଷ ବିତିଛି। ଏଯାଏଁ ଏହାର ହତ୍ୟାକାରୀ ଧରାପଡ଼ିନାହାଁନ୍ତି କି ତଦନ୍ତକୁ ତ୍ବରାନ୍ବିତ କରିବାକୁ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଏଥିରୁ ହତ୍ୟା ପଛରେ ରାଜନୈତିକ ହସ୍ତକ୍ଷେପ ବାରି ହେଉଛି ବୋଲି ଆଜି ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି।
ଆଜି ମଙ୍ଗୁଳି ଜେନାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ କେତେକ ଜିଲ୍ଲାସ୍ତରୀୟ ନେତା ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିରେ ବଡ଼ପୋଖରୀଆ ମଣ୍ତଳ ସଭାପତି ବିପିନ କୁମାର ପାଲଟାସିଂହ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଚରଣ ଖଣ୍ତାୟତରାୟ, ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଶ୍ରୀରଂଜନ ମଙ୍ଗରାଜ, ମଣ୍ତଳ ସଭାପତି ମାନସ ରଂଜନ ପଟ୍ଟନାୟକ, ସୀତାରାମ ରାଉତରାୟ, କିଶୋର ବରାଳ ଓ ରାମଚନ୍ଦ୍ର ପରିଡ଼ା ଯୋଗ ଦେଇଥିଲେ। ସୂଚନାଯୋଗ୍ୟ, ୨୦୧୯ ଅପ୍ରିଲ୍ ୧୪ ତାରିଖ ରାତି ୧୧ଟା ବେଳେ ୩ ଜଣ ଅଜଣା ଦୁବୃର୍ତ୍ତ ଖୋର୍ଦ୍ଧା ନବୀନାବାଗରେ ଥିବା ବିଜେପି ବିଧାୟକ ପ୍ରାର୍ଥୀ କାଳୁ ଖଣ୍ତାୟତରାୟଙ୍କ ଘର ସମ୍ମୁଖରେ ମଙ୍ଗୁଳି ଜେନାଙ୍କୁ ଗୁଳି କରି ଫେରାର୍ ହୋଇଯାଇଥିଲେ। ନିର୍ବାଚନ ସମୟରେ ଏହି ହତ୍ୟାକାଣ୍ତ ହୋଇଥିବା ବେଳେ ଏହାକୁ ନେଇ ସମଗ୍ର ରାଜ୍ୟରେ ବେଶ୍ ଆଲୋଡ଼ନ ସୃଷ୍ଟି ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ସାହା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଏହି ଘଟଣାର ନିନ୍ଦା କରିବା ସହ ଏହାର ତ୍ବରିତ ତଦନ୍ତ ପାଇଁ ଦାବି କରିଥିଲେ। ପରେ ରାଜ୍ୟ ସରକାର ଏହି ମାମଲାର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚ୍କୁ ହସ୍ତାନ୍ତର କରିଥିଲେ। ପ୍ରଥମ ଚରଣରେ ତଦନ୍ତ ଜୋରସୋରରେ ଆଗେଇ ଥିବା ବେଳେ ପରବର୍ତ୍ତୀ ସମୟରେ ହଠାତ୍ ତଦନ୍ତରେ ଶିଥିଳତା ଦେଖାଦେଇଥିଲା।
Follow Us