ମନୀଷ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

Advertisment
ମନୀଷ ହତ୍ୟା ମାମଲା: ୩ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର : ବହୁଚର୍ଚ୍ଚିତ ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ଓରଫ୍ ଗୁଡୁ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଇନ୍‌ଫୋସିଟି ଥାନା ପୁଲିସ। ହତ୍ୟା ମାମଲାରେ ଆସନ୍ତାକାଲି (ଶନିବାର) ନିର୍ଦ୍ଧାରିତ ସମୟ (୧୨୦ ଦିନ) ଶେଷ ପୂର୍ବରୁ ଆଜି ମାମଲାର ତଦନ୍ତକାରୀ ଅଧିକାରୀ ତଥା ଇନ୍‌ଫୋସିଟି ଥାନା ଆଇଆଇସି ସମିତା ମିଶ୍ର ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ଏସଡିଜେଏମ୍‌ଙ୍କ କୋର୍ଟରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛନ୍ତି। ଅଭିଯୁକ୍ତମାନେ ହେଲେ, ମନୀଷଙ୍କ ସାଙ୍ଗ ତଥା ନୂଆପଲ୍ଲୀର ଅମ୍ରିତ ପ୍ରୀତମ ବିଶ୍ବାଳ, କନ୍ଧମାଳ ଅଁଳାପଡ଼ାର ଦୀନେଶ କୁମାର ମହାପାତ୍ର ଓ ପିଅନପଡ଼ାର ମୃତ୍ୟୁଞ୍ଜୟ ମିଶ୍ର ଓରଫ୍ ମୁନା। ସେମାନଙ୍କ ବିରୋଧରେ ଆଇପିସି ଦଫା-୩୬୪ (ଏ) (ଟଙ୍କା ପାଇଁ ଅପହରଣ), ୩୦୨ (ହତ୍ୟା), ୨୦୧ (ପ୍ରମାଣ ନଷ୍ଟ), ୩୪ (ସମସ୍ତ ଅଭିଯୁକ୍ତଙ୍କ ଅପରାଧ ସମାନ)ରେ ଚାର୍ଜସିଟ୍ କରାଯାଇଥିବା ସୂଚନା ମିଳିଛି। ତଦନ୍ତ ଜାରି ରହିଥିବା ବେଳେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ ହେବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ୩ ଅଭିଯୁକ୍ତ ଓ ମନୀଷ ଘଟଣା ଦିନ ବି​ଳମ୍ବିତ ରାତିରେ ଅର୍ଥାତ୍ ଗତବର୍ଷ ଅକ୍ଟୋବର ୯ ତାରିଖରେ ପାତ୍ରପଡ଼ାସ୍ଥିତ ସାଉଥ୍ ସିଟି ହୋଟେଲ୍‌ ଓ ବାର୍‌ରେ ଖିଆପିଆ କରିଥିଲେ। ତେବେ ବିଲ୍‌ ଦେବାକୁ ନେଇ ସେମାନଙ୍କ ଭିତରେ ବଚସା ଓ ହାତାହାତି ହୋଇଥିଲା। ମନୀଷ ଘରୁ ଟଙ୍କା ମଗାଇ ବିଲ୍ ପୈଠ କରିଥିଲେ। ଏହା ପରେ ବାହାରକୁ ଚାଲି ଚାଲି ଆସିଥିଲେ। ପଛେପଛେ ଅଭିଯୁକ୍ତମାନେ ବାହାରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଜାତୀୟ ରାଜପଥ କଡ଼ରେ ସେମାନଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଅଭିଯୁକ୍ତଙ୍କ ଆକ୍ରମଣରେ ମନୀଷଙ୍କ ମୃତ୍ୟୁ ହୋଇଥିଲା। ପ୍ରମାଣ ନଷ୍ଟ କରିବା ପାଇଁ ଅମ୍ରିତଙ୍କ ମାରୁତି ସିଆଜ କାର୍ (ଓଡି୦୨-ଏକ୍ସ୯୬୯୬)ରେ ମୃତଦେହକୁ ନେଇ ପାତ୍ରପଡ଼ା ନମ୍ରକାନି ପୋଖରୀରେ ଫିଙ୍ଗି ଦେଇଥିଲେ। ମନୀଷଙ୍କ ପରିବାରଲୋକ ଭୋର୍‌ରୁ ଇନ୍‌ଫୋସିଟି ଥାନାରେ ପୁଅକୁ ଅପହରଣ ଅଭିଯୋଗ ଆଣିଥିଲେ। ୧୦ ତାରିଖରେ ପୂର୍ବାହ୍ନରେ ମନୀଷଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପ୍ରଥମେ ଅମ୍ରିତକୁ ଗିରଫ କରିଥିଲା। ପରେ କନ୍ଧମାଳରୁ ଅନ୍ୟ ସହଯୋଗୀଙ୍କୁ ଉଠାଇଥିଲା ପୁଲିସ। ଘଟଣା ଘଟାଇବା ପରେ ସେମାନେ ୟୁନିଟ୍-୪ସ୍ଥିତ ଏକ ହୋଟେଲରେ ଆଶ୍ରୟ ନେଇଥିଲେ। ପରଦିନ କନ୍ଧମାଳ ଚାଲି ଯାଇଥିଲେ।

ଘଟଣା ଥିଲା ଏମିତି

୯ ଅକ୍ଟୋବର ୨୦୨୧। ବାହାଘର ପାଇଁ ଗୁଡୁ ଡ୍ରେସ କିଣିବା ଲାଗି ସକାଳୁ ଘରୁ ଆସିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ରାତି ପ୍ରାୟ ସାଢ଼େ ୧୧ଟାରେ ମାଆଙ୍କୁ ଫୋନ୍ କରି କହିଥିଲେ ଫେରିବାକୁ ବିଳମ୍ବ ହେବ। ବିଳମ୍ବିତ ରାତିରେ ପୁଣି ଫୋନ୍ କରି କାନ୍ଦିଥିଲେ। ତାଙ୍କୁ ଅପହରଣ କରାଯାଇଥିବା କହିବା ସହ ଟଙ୍କା ମାଗିଥିଲେ। ପରିବାର ଲୋକ ତୁରନ୍ତ କଣ୍ଟ୍ରୋଲ ରୁମ ଓ ଇନଫୋସିଟି ଥାନାକୁ ଫୋନ୍ କରି ଜଣାଇଥିଲେ। ତାଙ୍କର ମୋବାଇଲ ଫୋନ୍ ଲୋକେସନ୍ ତମାଣ୍ଡୋ ଥାନା ଅଞ୍ଚ​ଳରେ ଦେଖାଇଥିଲା। କିନ୍ତୁ ପରେ ଆଉ ଯୋଗାଯୋଗ ହୋଇପାରି ନ ଥିଲା। ପରିବାରଲୋକ ଭୟଭୀତ ହୋଇ ଅନଲାଇନରେ ଦୁଇଟି ପର୍ଯ୍ୟାୟରେ ଟଙ୍କା ପଠାଇଥିଲେ। ଭୋର୍‌ ୪ଟାରେ ଶେଷଥର ପାଇଁ ପରିବାରଲୋକଙ୍କ ସହ ଗୁଡୁ କଥା ହୋଇଥିଲେ। ଏହା ପରଠାରୁ ଆଉ ଯୋଗାଯୋଗ ହୋଇପାରି ନ ଥିଲା।

ଜାମିନରେ ମୁକୁଳିଲା କାର
ହତ୍ୟାକାଣ୍ଡରେ ବ୍ୟବହୃତ ସିଆଜ କାର (ଓଡି୦୨-ଏକ୍ସ-୯୬୯୬) ଆଜି ଜାମିନରେ ମୁକୁଳିଛି। ୫ ଲକ୍ଷ ଟଙ୍କାର ବେଲବଣ୍ଡ ଓ ଜଣେ ଜାମିନଦାରଙ୍କ ବଦଳରେ ଏସଡିଜେଏମ୍ କୋର୍ଟ ଜାମିନ ପ୍ରଦାନ କରିଥିବା ଅମ୍ରିତଙ୍କ ଓକିଲ ଆନନ୍ଦ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe