କବିତା ଗ୍ରନ୍ଥ ‘ବାକି ଥିବା ପାଦଚିହ୍ନ’ ଲୋକାର୍ପିତ

ମନୋଜ ଦାସ ଓଡ଼ିଆ ସାହିତ୍ୟର ଗୋଟିଏ ଯୁଗର ପ୍ରତିନିଧି

କବିତା ଗ୍ରନ୍ଥ ‘ବାକି ଥିବା ପାଦଚିହ୍ନ’ ଲୋକାର୍ପିତ

ଭୁବ‌ନେଶ୍ବର: ପଦ୍ମଶ୍ରୀ ମନୋଜ ଦାସଙ୍କ ସାହିତ୍ୟ କୃତିକୁ ନେଇ କବି ଅରୁଣ କୁମାର ସାହୁଙ୍କ ଦ୍ବାରା ରଚିତ ଓଡ଼ିଆ କବିତା ଗ୍ରନ୍ଥ ‘ବାକି ଥିବା ପାଦଚିହ୍ନ’ ଆଜି ଉନ୍ମୋଚିତ ହୋଇଛି। ‘ପକ୍ଷୀଘର’ ପ୍ରକାଶନୀ ପକ୍ଷରୁ ନାଲ୍‌କୋ ପ୍ରେକ୍ଷାଳୟରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଲୋକାର୍ପଣ କରି କହିଲେ ସମର୍ପଣ ଓ ତ୍ୟାଗ ଯୋଗୁଁ ମନୋଜ ଦାସ ସଫଳ ହୋଇଥିଲେ। ସେତିକି ଶ୍ରଦ୍ଧା ଓ ସମ୍ମାନ ନ ଥିଲେ ମନୋଜ ଦାସଙ୍କ ସାହିତ୍ୟ କୃତିକୁ ଏକାଠି କରିବା ସମ୍ଭବପର ହୋଇ ନଥାନ୍ତା। ସ୍ବୀକର କରିବାକୁ ପଡ଼ିବ ଯେ ଗ୍ରନ୍ଥର ରଚୟିତା ଅରୁଣ ବାବୁ ମନୋଜ ବାବୁଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କ ଲେଖାକୁ ଭଲ ଭାବେ ପଢ଼ିଛନ୍ତି ଓ ବୁଝିପାରିଛନ୍ତି। ୩୦ ବର୍ଷର ନିରବଚ୍ଛିନ୍ନ ସାଧନା ବଳରେ ଏଭଳି ଏକ ପୁସ୍ତକ ଲେଖିପାରିଛନ୍ତି।

ସାହିତ୍ୟିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ସମ୍ମାନିତ ଅତିଥିଭାବେ ଯୋଗଦେଇ ଓଡ଼ିଆ ସାହିତ୍ୟକୁ ୪ ଯୁଗରେ ବିଭକ୍ତ କରିବା ସହ ମନୋଜ ଦାସଙ୍କୁ ଗୋଟିଏ ଯୁଗର ପ୍ରତିନିଧି ବୋଲି କହିଥିଲେ। ସେ କହିଲେ, ଓଡ଼ିଆ ସାହିତ୍ୟର ଯୁଗ ମଧୁସୂଦନ ଓ ଗୋପବନ୍ଧୁଙ୍କଠାରୁ ଆରମ୍ଭ ହୋଇଥିଲା। ପରବର୍ତୀ ସମୟରେ ଫକୀରମୋହନ, କାଳନ୍ଦୀଚରଣ ପାଣିଗ୍ରାହୀ, ସଚ୍ଚି ରାଉତରାୟ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିଲେ। ଏହିକ୍ରମରେ ମନୋଜ ଦାସ ବିଶ୍ବ ଚେତନା ସହ ଆଧ୍ୟାତ୍ମିକ ଚେତନାକୁ ନେଇ ସାହିତ୍ୟ ସଂରଚନା କରିଆସିଛନ୍ତି ବୋଲି ସେ କହିଥିଲେ। ପଦ୍ମଭୂଷଣ ରମାକାନ୍ତ ରଥ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୁସ୍ତକରେ ତଥ୍ୟଭିତ୍ତିକ ବିବରଣୀ ରହିଛି ବୋଲି କହିଥିଲେ। ଲେଖକ ଶ୍ରୀ ସାହୁ କହିଲେ ମନୋଜ ବାବୁଙ୍କ ପୁସ୍ତକଗୁଡ଼ିକୁ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଅଧ୍ୟୟନ କରିବା ପରେ ଆଜି ସଫଳ ହୋଇଛି। ତାଙ୍କ ପିଲାଦିନ, ଅରବିନ୍ଦ ଦର୍ଶନ ସହ ୮ଟି ଉପନ୍ୟାସକୁ ନେଇ କବିତା ଲେଖିଛି। କଥାଶିଳ୍ପୀ ଅର୍ଚ୍ଚନା ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରୀୟ ବିଦ୍ୟାଳୟ-୪ର ଅଧ୍ୟକ୍ଷା ପ୍ରୀତିରାୟ ଚାନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ। ଲେଖିକା ଭାଗ୍ୟଲିପି ମଲ୍ଲ ଓ ମନୁଆ ଦାସ ପୁସ୍ତକର ଦୁଇଟି କବିତା‌ ଆବୃତ୍ତି କରିଥିଲେ। ପୁସ୍ତକଟି ପାଠକ ମହଲରେ ପ୍ରଶଂସିତ ହେବ ବୋଲି ପକ୍ଷୀଘର ପ୍ରକାଶନୀ ସଂସ୍ଥାର ପ୍ରକାଶକ ବନୋଜ ତ୍ରିପାଠୀ ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe