ଶରୀରର ମୃତ୍ୟୁ ହୁଏ, ଆତ୍ମାର ନୁହେଁ: ମନୋଜ ଦାସ

Advertisment
ଶରୀରର ମୃତ୍ୟୁ ହୁଏ, ଆତ୍ମାର ନୁହେଁ: ମନୋଜ ଦାସ

ଭୁବନେଶ୍ୱର : ପ୍ରତ୍ୟେକ ମଣିଷ ଏଠି ଅମର ଭଳି ବ୍ୟବହାର କରନ୍ତି। ଆସନ୍ତାକାଲି, ମାସ ଓ ବର୍ଷ ପାଇଁ ଯୋଜନା କରନ୍ତି। କିନ୍ତୁ ଜନ୍ମ ମାତ୍ରେ ମୃତ୍ୟୁ ସୁନିଶ୍ଚିତ। ତେବେ ମୃତ୍ୟୁ କେବଳ ଶରୀରର ହୁଏ। ଆତ୍ମାର ନୁହେଁ। ମୃତ୍ୟୁ ପରେ ଆତ୍ମା ଗୋଟିଏ ଶରୀର ଛାଡ଼ି ଅନ୍ୟ ଶରୀରକୁ ପ୍ରବେଶ କରେ। ଏହା ହିଁ ହେଉଛି ମୃତ୍ୟୁର ରହସ୍ୟ ବୋଲି କହିଛନ୍ତି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସ।

ଆଜି ମେ’ଫେୟାର କନ୍‌ଭେସନ୍‌ରେ ‘ଫେଡେରେସନ୍‌ ଅଫ୍‌ ଅବ୍‌ଷ୍ଟେଟ୍ରିକ୍‌ ଆଣ୍ଡ୍‌ ଗାଇନେକୋଲୋଜିକାଲ୍‌ ସୋସାଇଟିଜ୍‌ ଅଫ୍‌ ଇଣ୍ଡିଆ’ (ଫୋଗ୍‌ସି) ପକ୍ଷରୁ ଆୟୋଜିତ ‘ମୃତ୍ୟୁ ପର ଜୀବନର ରହସ୍ୟ’ ସମ୍ପର୍କିତ ଏକ ଆଲୋଚନାଚକ୍ରରେ ଶ୍ରୀ ଦାସ ଯୋଗ ଦେଇ ବହୁ ପୌରାଣିକ ଚରିତ୍ରର ଉଦାହରଣ ଦେଇ ମୃତ୍ୟୁ ପରର ଜୀବନ ବିଷୟରେ ବୁଝାଇଥିଲେ। ସେ ଯୁଧିଷ୍ଠିରଙ୍କଠାରୁ ଆରମ୍ଭ କରି ସତୀ ସାବିତ୍ରୀ, ନଚିକେତା ଆଦିଙ୍କ ଉଦାହରଣ ଦେବା ସହ ତାଙ୍କ ଜୀବନ ସହ ଜଡ଼ିତ ଗୂଢ଼ ରହସ୍ୟ ଉପରେ ଆଲୋକପାତ କରିଥିଲେ।

ଭାରତୀୟ ଚିକିତ୍ସା ବିଜ୍ଞାନ ବିଷୟରେ କହିବାକୁ ଯାଇ ସେ କହିଥିଲେ ଯେ ନାସାର ବୈଜ୍ଞାନିକମାନେ ନିମ୍ବ ଓ ବ୍ରାହ୍ମିର ଔଷଧୀୟ ଗୁଣ ଉପରେ ଗବେଷଣା ଆରମ୍ଭ କରିବାର ବହୁ ପୂର୍ବରୁ ଆମ ଆୟୁର୍ବେଦିକ ଚିକିତ୍ସା ଶାସ୍ତ୍ରରେ ଏହାର ବର୍ଣ୍ଣନା ରହିଛି। ଜଣେ ବୈଜ୍ଞାନିକ ଶ୍ରୀ ଦାସଙ୍କୁ ପଚାରିଥିଲେ, କେଉଁ ଗବେଷଣାଗାରରେ ଏହାର ଉଦ୍ଭବ ହୋଇଛି? ଉତ୍ତରରେ ଶ୍ରୀ ଦାସ କହିଥିଲେ, ଜାଗ୍ରତ ଚେତନାର ଗବେଷଣାଗାରରେ। ଭାରତୀୟମାନେ ନିଜକୁ ବୃକ୍ଷ ସହ ନିଜ ପରିଚୟକୁ ଖୋଜନ୍ତି। ଫଳରେ ବୃକ୍ଷର ଗୁଣ ସେମାନେ ଚିହ୍ନଟ କରିପାରନ୍ତି। ସେହିଭଳି ଜାଗ୍ରତ ଚେତନା ଥିବା ଲୋକଙ୍କର ହିଁ ଅମରତ୍ୱର ଅଧିକାର ରହିଛି ବୋଲି ଶ୍ରୀ ଦାସ କହିଥିଲେ। ଏହି ଅବସରରେ ସେ ସମୁଦ୍ର ମନ୍ଥନର ଉଦାହରଣ ଦେଇଥିଲେ। ଦେବତାମାନଙ୍କ ଜାଗ୍ରତ ଚେତନା ହିଁ ସେମାନଙ୍କୁ ଅମୃତର ଅଧିକାରୀ କରାଇଥିଲା। ଆଜିର କାର୍ଯ୍ୟକ୍ରମକୁ ଅବସରପ୍ରାପ୍ତ ଅଧ୍ୟାପିକା ଡାକ୍ତର ଶାନ୍ତି ନାୟକସଂଯୋଜନା କରିଥିବା ବେଳେ ଫୋଗ୍‌ସିର ଅଧ୍ୟକ୍ଷ ପିସି ନାୟକ ଓ ସମ୍ପାଦକ ହରପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe