ଭୁବନେଶ୍ୱର: ସଂଗ୍ରାମୀ ବଂଶୀଧର ମିଶ୍ରଙ୍କ ଜୀବନ ଉପରେ ଅନେକ ମହାପୁରୁଷଙ୍କ ପ୍ରଭାବ ଦେଖିବାକୁ ମିଳେ। ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ଛଦ୍ମବେଶରେ ଚାଲିଯାଇଥିଲେ। ଶ୍ରୀଅରବିନ୍ଦଙ୍କ ଭଳି ସମ୍ପୂର୍ଣ୍ଣ ବାମପନ୍ଥୀ ଚିନ୍ତାଧାରାରୁ ମୁକ୍ତ ହୋଇ ଆଧ୍ୟାତ୍ମିକ ଚିନ୍ତାଧାରାକୁ ଫେରିଆସିଥିଲେ। ଓଡ଼ିଶା ଭଳି ସ୍ଥାନରୁ ଯାଇ ବିଶ୍ବ ନାବିକ ସଂଘର ସାଧାରଣ ସଚିବ ଓ ବ୍ରିଟିସ୍ ଲେବର୍ ପାର୍ଟିର ସଦସ୍ୟ ହୋଇପାରିଥିଲେ। ଏଭଳି ଜଣେ ବିଶିଷ୍ଟ ବ୍ୟକ୍ତି ଭାରତକୁ ଫେରିବା ପରେ ତାଙ୍କୁ ଆମେ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରିପାରିନାହୁଁ। ଏଣୁ ରାଜଧାନୀରେ ସ୍ବର୍ଗତ ମିଶ୍ରଙ୍କୁ ସମ୍ମାନ ଜଣାଇ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ ସହିତ ପାର୍କ ଓ ରାସ୍ତାକୁ ନାମକରଣ କରାଯିବାର ଆବଶ୍ୟକତା ରହିଛି। ବୁଦ୍ଧମନ୍ଦିର ସଭାଗୃହରେ ରତ୍ନଚିରା ପବ୍ଲିକେସନ୍ସ ଦ୍ୱାରା ପ୍ରକାଶିତ ପ୍ରଫେସର ସଂଘମିତ୍ରା ମିଶ୍ରଙ୍କ ‘ସଂଗ୍ରାମୀ ବଂଶୀଧର: ଇତିହାସର ହଜିଲା ଖିଅ’ ପୁସ୍ତକର ଉନ୍ମୋଚନ ସମାରୋହରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ କଥାକାର ଗୌରହରି ଦାସ ମତ ଦେଇଛନ୍ତି।
ଉତ୍ସବରେ ସଭାପତିତ୍ବ କରି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଲେ, ସ୍ବର୍ଗତ ମିଶ୍ରଙ୍କ ଜୀବନୀ କୌଣସି ରୋମାଞ୍ଚଠାରୁ କମ୍ ନୁହେଁ। ତାଙ୍କ ଜୀବନୀକୁ ଆଧାର କରି ଉପନ୍ୟାସ, ନାଟକ ରଚନା ହୋଇପାରିବ ବୋଲି ମତ ରଖିଥିଲେ। ସଂଗ୍ରାମୀମାନଙ୍କ ଜୀବନୀ ଉତ୍ତରପିଢ଼ି ପାଇଁ ଅମୂଲ୍ୟ ସମ୍ପଦ ବୋଲି ବିଶିଷ୍ଟ ସ୍ତମ୍ଭକାର ପ୍ରହଲ୍ଲାଦ ସିଂହ କହିଥିଲେ। ଗାଳ୍ପିକ ଦେବପ୍ରସାଦ ଦାଶ ଓ ଅଧ୍ୟାପକ ଜ୍ଞାନୀ ଦେବାଶିଷ ମିଶ୍ର ସ୍ବର୍ଗତ ବଂଶୀଧରଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ପୁସ୍ତକର ଲେଖିକା ପ୍ରଫେସର୍ ସଂଘମିତ୍ରା ମିଶ୍ର ଲେଖକୀୟ ଅଭିବ୍ୟକ୍ତି ବର୍ଣ୍ଣନା କରିଥିଲେ। ରତ୍ନଚିରାର ସମ୍ପାଦିକା ସ୍ନେହଲତା ପୃଷ୍ଟି ମଞ୍ଚ ସଂଯୋଜନା କରିଥିଲା ବେଳେ ଅପରାଜିତା ମହାପାତ୍ର ଧନ୍ୟବାଦ ଦେଇଥିଲେ। ପୁସ୍ତକ ଉନ୍ମୋଚନ ସମୟରେ ପ୍ରକାଶକ କରୁଣାକର ପୃଷ୍ଟିଙ୍କ ସମେତ ବହୁ ସାହିତ୍ୟାନୁରାଗୀ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us