‘ଶାସକ ଦଳରୁ ବହୁ ନେତା ବିଆରଏସ୍‌କୁ ଆସିବେ’

Advertisment
‘ଶାସକ ଦଳରୁ ବହୁ ନେତା ବିଆରଏସ୍‌କୁ ଆସିବେ’

ଭୁବନେଶ୍ବର : ବିଜେଡି, ବିଜେପି ଓ କଂଗ୍ରେସର ବହୁ ଅସନ୍ତୁଷ୍ଟ ନେତା ଭାରତ ରାଷ୍ଟ୍ର ସମିତି(ବିଆରଏସ୍‌‌) ସହ ଯୋଗାଯୋଗରେ ଅଛନ୍ତି। ଖୁବ୍‌ଶୀଘ୍ର ସେମାନେ ‘ବିଆର୍‌ଏସ୍‌’ ‌ଯୋଗ ଦେବେ ବୋଲି ବିଆରଏସ୍‌ ନେତା ଅକ୍ଷୟ କୁମାର କହିଛନ୍ତି। ଏହି ତାଲିକାରେ ବିଜେଡିର ଅଧିକ ନେତା ଥିବା ସେ ଇଙ୍ଗିତ କରିଛନ୍ତି। ଆଜି ହୋଟେଲ ସୂର୍ଯ୍ୟାଂଶରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ପୂର୍ବରୁ ଏକ ଆଞ୍ଚଳିକ ଦଳ ଭାବେ ଉଭା ହୋଇଥିବା ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍)କୁ ନିର୍ବାଚନ ଆୟୋଗ ଭାରତ ରାଷ୍ଟ୍ର ସମିତିର ମାନ୍ୟତା ଦେଇଛନ୍ତି। ତେଲେଙ୍ଗାନାର କୃଷି ଓ କୃଷକଙ୍କୁ ନେଇ ଏକ ମଡେଲ ଠିଆ କରିବା ପରେ କେ. ଚନ୍ଦ୍ରଶେଖର ରାଓ ୨୦୨୪ରେ କେନ୍ଦ୍ରରେ ମୋଦୀ ସରକାରକୁ ହଟାଇ ଏକ କୃଷକ ସରକାରର ଆହ୍ବାନ ଦେଇଛନ୍ତି। ସେହି ଆଭିମୁଖ୍ୟ ନେଇ ତାଙ୍କ ବଳିଷ୍ଠ ନେତୃତ୍ୱରେ ଆମେ ଅନୁପ୍ରାଣିତ ହୋଇ ବିଆର୍‌ଏସ୍‌ରେ ଯୋଗ ଦେଇଛୁ। ଶ୍ରୀ ଚନ୍ଦ୍ରଶେଖର ରାଓଙ୍କ ମୁଖ୍ୟମନ୍ତ୍ରିତ୍ୱରେ ଟିଆର୍‌ଏସ୍ ସରକାର କ୍ଷମତାକୁ ଆସିବାର କିଛି ମାତ୍ର ବର୍ଷ ମଧ୍ୟରେ ତେଲେଙ୍ଗାନାରେ ବିପର୍ଯ୍ୟସ୍ତ କୃଷି ଅର୍ଥନୀତିକୁ ପ୍ରତିହତ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। କିନ୍ତୁ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷ ଶାସନ କାଳରେ କାହିଁକି ହୋଇପାରିଲା ନାହିଁ?

ପଞ୍ଜାବରେ ମାଟି ତଳେ ୩ ପ୍ରତିଶତ ପାଣି ଥିବା ସତ୍ତ୍ବେ ୬୦ ବର୍ଷ ତଳୁ ସମ୍ପୂର୍ଣ୍ଣ ଜମି ଜଳସେଚନ ହୋଇଛି। ଓଡ଼ିଶା ମାଟିତଳେ ୧୩ ଭାଗ ପାଣି ଥାଇ ୨୨ ବର୍ଷ ଧରି କ୍ଷମତାରେ ଥିବା ନବୀନ ସରକାର ରାଜ୍ୟରେ ୩୦ ଭାଗ ଜମିକୁ ଜଳସେଚନ ସୁବିଧା କରିପାରିନାହାନ୍ତି। ଏହା କେବଳ ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି। ଏମିତି ଶହ ଶହ ପ୍ରସଙ୍ଗ ଜନ ଅସନ୍ତୋଷର କାରଣ ସାଜିଛି। ୨୦୧୭ ମସିହାରୁ ବ୍ଲକ୍ ଓ ପଞ୍ଚାୟତଗୁଡ଼ିକରେ ଗ୍ରାମସଭାରେ କାର୍ଯ୍ୟନିର୍ବାହୀ ଚୟନ ପ୍ରକ୍ରିୟାକୁ ଉଠାଇ ଦେଇ ସରକାର ଦଳୀୟ କର୍ମୀଙ୍କୁ ଠିକାଦାରୀ ଦେବା ଉଦ୍ଦେଶ୍ୟରେ ଗ୍ରାମସଭାକୁ ବାତିଲ କରି ୧୦ ଲକ୍ଷ ପର୍ଯ୍ୟନ୍ତ ଠିକା କାମକୁ ଦଳୀୟ ଠିକାଦାରମାନଙ୍କ ଦ୍ୱାରା କରାଇ ଲକ୍ଷଲକ୍ଷ ଟଙ୍କା ଲୁଟ୍‌ କରୁଛନ୍ତି।

ସେଥ‌ିପାଇଁ ବିଆର୍ଏସ୍ ବିଜେଡି, ବିଜେପି ଓ କଂଗ୍ରେସ ବିରୋଧରେ ଏକ ସଶକ୍ତ ବିକଳ୍ପ ରାଜନୈତିକ ଶକ୍ତି ଭାବେ ଠିଆହୋଇ ୨୦୨୪ରେ ସତ୍ତା ଓ ବ୍ୟବସ୍ଥା ପରିବର୍ତ୍ତନ ଦିଗରେ ରାଜ୍ୟବାସୀଙ୍କୁ ନୂଆ ଦିଗ୍‌ଦର୍ଶନ ଦେବ। ଓଡ଼ିଶାବାସୀ ବିଆର୍ଏସ୍ ସହିତ ହାତ ମିଳାଇ ଓଡ଼ିଶାକୁ ଦୁର୍ନୀତି ଓ ଭ୍ରଷ୍ଟାଚାରମୁକ୍ତ ଚାଷୀ ସରକାର ଗଠନ କରିବାରେ ସହାୟକ ହେବାକୁ ଅକ୍ଷୟ କୁମାରଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe