ଭୁବନେଶ୍ବର, ୧୯/୭ (ଇମିସ): ଇସ୍କନ ମନ୍ଦିର ସମ୍ମୁଖ ଜଳବନ୍ଦୀ ସମସ୍ୟାର ସମାଧାନ କିଏ କରିବ? ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍) କରିବ ନା ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି)। ନା ସ୍ମାର୍ଟ ସିଟି ସହ କାମ କରୁଥିବା ଜିଆଇଜେଡ୍ (ଜର୍ମାନ ସଂସ୍ଥା)? ସାମାନ୍ୟ ବର୍ଷାରେ ବି ଇସ୍କନ୍ ସମ୍ମୁଖରେ ହ୍ରଦ ସୃଷ୍ଟି ହେଉଛି। ଏହି ଜଳବନ୍ଦୀ ସମସ୍ୟା ସମାଧାନ କରିବାକୁ ୧୦ ଦିନ ତଳେ ବିଏସ୍ସିଏଲ୍ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଥିବା ବେଳେ ଆଜି ବିଏମ୍ସି କମିସନର ଏନ୍ଏଚ୍ଏଆଇ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରି ଜଳ ନିଷ୍କାସନର ବାଟ ବାହାର କରିବାକୁ ଯୋଜନା କରିଛନ୍ତି। ସାଂସଦ ଅପରାଜିତା ଷଡ଼ଙ୍ଗୀ ତ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ସହ ଆଲୋଚନା କରି ନିଜର ଅଲଗା ରୂପରେଖ ପ୍ରସ୍ତୁତ କରି ଦେଉଛନ୍ତି। ସମସ୍ତେ ନିଜ ନିଜ ବାଟରେ କାମ କରୁଥିଲେ ମଧ୍ୟ କେବେ ବି ଏକାଠି ବସି ସମସ୍ୟାର ସମାଧାନ ଦିଗରେ ଥରୁଟିଏ ବି ଚିନ୍ତା କରୁନାହାନ୍ତି। ଆଉ ଯାହାର ପରିଣାମ ଭୋଗୁଛନ୍ତି ରାଜଧାନୀବାସୀ। ପ୍ରତିବର୍ଷ ବର୍ଷାଦିନେ ଜଳବନ୍ଦୀରେ ଫସି ଆଉଟୁପାଉଟୁ ହେଉଛନ୍ତି। ପରିସ୍ଥିତି ଯଥା ପୂର୍ବଂ ତଥା ପରଂ ହୋଇ ରହିଛି।
ଗତ ୮ ତାରିଖରେ ବିଏସ୍ସିଏଲ୍ର ସମୀକ୍ଷା ବୈଠକରେ ଏକାଧିକ ନିଷ୍ପତ୍ତି ହୋଇଥିଲା। ଇସ୍କନ ମନ୍ଦିର ପାଖରେ ଯେଉଁ ଡ୍ରେନ୍ ଅଛି, ତାହାର ପୁନରୁଦ୍ଧାର କରାଗଲେ କିମ୍ବା ନୂଆ ଡ୍ରେନ୍ ତିଆରି କଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ସମ୍ଭବ ନୁହେଁ। ତେଣୁ ୩ଟି ଜାଗାରେ ସମ୍ପ କରାଯାଇ ବର୍ଷା ପାଣିକୁ ରଖାଯିବ। ବର୍ଷା ଛାଡ଼ିବା ପରେ ପାଣି ଛଡ଼ାଯିବ। ଏହି ସମ୍ପ ପାଇଁ ଜାଗା ଚିହ୍ନଟ ହୋଇଛି। ନୂଆପଲ୍ଲୀରେ ଗୋଟିଏ ଓ ଜାତୀୟ ରାଜପଥ କଡ଼ରେ ଦୁଇଟି ସମ୍ପ୍ କରାଯିବ। ଏହି ପ୍ରକଳ୍ପ ପାଇଁ ପାଖାପାଖି ୧୦କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିପାଇଁ ଜିଆଇଜେଡ୍ ଡିଜାଇନ୍ ତିଆରି କରି ବିଏମ୍ସିକୁ ପ୍ରସ୍ତାବ ଦେବ ବୋଲି ନିଷ୍ପତ୍ତି ହୋଇଥିଲା।
ବିଏସ୍ସିଏଲ୍ର ସମୀକ୍ଷା ବୈଠକର ୧୦ ଦିନ ପରେ ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ ଆଜି ଇସ୍କନ୍ ମନ୍ଦିର ସମ୍ମୁଖ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଏନ୍ଏଚ୍ଏଆଇ ଓ ପୂର୍ତ୍ତ ସହ ସମନ୍ୱୟ ରକ୍ଷା କରି ଏଠାରେ ଜଳବନ୍ଦୀ ସମସ୍ୟାର ସମାଧାନ କରିବାକୁ ଆଲୋଚନା କରିଛନ୍ତି। ଖୁବ୍ଶୀଘ୍ର ଜଳବନ୍ଦୀ ସମସ୍ୟାର ସମାଧାନ କରାଯିବ ବୋଲି ବିଏମ୍ସି କମିସନର କହିଛନ୍ତି।
ଯୋଜନା ଉପରେ ଯୋଜନା, ସମନ୍ୱୟ ଅଭାବ: ଇସ୍କନ ଜଳବନ୍ଦୀ ସ୍ଥିତି ସୁଧୁରିବ କେମିତି?
Advertisment
Follow Us