ଭୁବନେଶ୍ୱର : ନୂଆପଲ୍ଲୀ ଆଇଆର୍ସି ଭିଲେଜ୍ରେ ରହୁଥିବା ବ୍ୟବସାୟୀ ଜୟନ୍ତ ପାତ୍ରକୁ ହତ୍ୟା କରିବାକୁ ଜଗତସିଂହପୁରରୁ ଆସିଥିବା କୁଖ୍ୟାତ ଅପରାଧୀ ସଂପଦ କୁମାର ସାହୁକୁ ଗୁରୁବାର ଦିନ ନୂଆପଲ୍ଲୀ ପୁଲିସ ରିମାଣ୍ଡ୍ରେ ଆଣିଛି। ରିମାଣ୍ଡ୍ରେ ଆସିବା ପରେ ପୁଲିସ ସଂପଦକୁ ଘଣ୍ଟା ଘଣ୍ଟା ମାରାଥନ୍ ଜେରା କରିଛି। ପ୍ରଥମ ଦିନ ଜେରାରେ ପୁଲିସ୍ ଜାଣିବାକୁ ପାଇଛି ଯେ ଜୟନ୍ତକୁ ହତ୍ୟା କରିବା ପାଇଁ ତା’ ସାଙ୍ଗ ତଥା ଅନୁଗୁଳରୁ କୋଇଲା ଚୋରା ଚାଲାଣ କରୁଥିବା ପ୍ରଶାନ୍ତ ତା’କୁ ସାଙ୍ଗରେ ଆଣି ଆସିଥିଲା। ତେଣୁ ଏହି କଣ୍ଟ୍ରାକ୍ଟ କିଲିଂର ମାଷ୍ଟରମାଇଣ୍ଡ ହେଉଛି ପ୍ରଶାନ୍ତ। ପ୍ରଶାନ୍ତକୁ ଧରିବା ପରେ ହିଁ ଜୟନ୍ତକୁ ମାରିବା ପାଇଁ କିଏ ସୁପାରି ଦେଇଥିଲା, ସେ ରହସ୍ୟ ଉନ୍ମୋଚନ ହେବ।
ତେଣୁ ପ୍ରଶାନ୍ତକୁ ଧରିବା ପାଇଁ ପୁଲିସ ଏବେ ସ୍ବତନ୍ତ୍ର ଯୋଜନା ଚଳାଇଛି। ଅପରାଧ ଘଟାଇବା ପରେ ପ୍ରଶାନ୍ତ କେଉଁ ଗୁପ୍ତ ଜାଗାରେ ଲୁଚି ରୁହେ, ସେଠି ଚଢ଼ଉ କରିବ। ଏହା ସହିତ ପ୍ରଶାନ୍ତର କଳା କାରନାମାରେ ତା’କୁ ସହଯୋଗ କରୁଥିବା ପାଖ ଲୋକ ଅର୍ଥାତ୍ ତା’ ଗ୍ୟାଙ୍ଗ୍ ସଦସ୍ୟଙ୍କୁ ମଧ୍ୟ ଠାବ କରାଯିବ। ଏପରିକି ପ୍ରଶାନ୍ତ ଜେଲ୍ରେ ରହିବା ପରେ ତା’ କଳା ଧନ୍ଦା କିଏ ପରିଚାଳନା କରେ; ଜେଲ୍ରେ ରହିବା ସମୟରେ କେଉଁମାନେ ପ୍ରଶାନ୍ତକୁ ବାରମ୍ବାର ଦେଖା କରିବାକୁ ଆସନ୍ତି; ଅପରାଧରେ ପ୍ରଶାନ୍ତକୁ କେଉଁମାନେ ସହଯୋଗ କରନ୍ତି ଏହିଭଳି ଏକ ଲମ୍ବା ତାଲିକା ପ୍ରସ୍ତୁତ କରି ପ୍ରଶାନ୍ତକୁ ଧରିବାକୁ ଅପରେସନ୍ ଚଳାଇଛି। ଏପରିକି ନୂଆପଲ୍ଲୀ ଓ ସ୍ପେସାଲ୍ ସ୍କ୍ବାଡ୍ର ସ୍ବତନ୍ତ୍ର ଟିମ୍ ପ୍ରଶାନ୍ତକୁ ଧରିବା ପାଇଁ ଜିଲ୍ଲା ବାହାରକୁ ଯାଇ ବିଭିନ୍ନ ଜାଗାରେ ଡେରା ପକାଇଥିବା ଜଣାପଡ଼ିଛି।
ପ୍ରଥମ ଦିନରେ ପୁଲିସ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାଇବା ପରେ ଏବେ ପ୍ରଶାନ୍ତର ମୁଙ୍ଗେର ଲିଙ୍କ୍ରୁ ଆସୁଥିବା ବନ୍ଧୁକ କାରବାରକୁ ନେଇ ଦ୍ବିତୀୟ ଦିନରେ ଜେରା କରିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସେ ୪୦ହଜାର ଟଙ୍କାର ବନ୍ଧୁକ ମୁଙ୍ଗେରରୁ କିଣିଥିଲା। ତେଣୁ କାହା ମାଧ୍ୟମରେ ରାଜ୍ୟକୁ ବନ୍ଧୁକ ଆସୁଛି ଏବଂ ଆଉ କେଉଁ କେଉଁ ଅଞ୍ଚଳରେ ମୁଙ୍ଗେର ବନ୍ଧୁକ ଅପରାଧୀ ରଖିଛନ୍ତି ତା’ ଉପରେ ଖୋଳତାଡ଼ ହେବ।
Follow Us