otv
ଭୁବନେଶ୍ୱର: ଭୁବନେଶ୍ବର ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ଘଟଣାରେ ଆଉ ତିନି ଜଣଙ୍କୁ ଅଟକ ରଖିଛି କ୍ୟାପିଟାଲ ଥାନା ପୁଲିସ। ଏଥିରେ ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁ ସହ ଅନ୍ୟ ଦୁଇଜଣ ରହିଛନ୍ତି। ସେମାନଙ୍କୁ ପଚରା ଉଚରା ଚାଲିଛି। କେଉଁ ପରିସ୍ଥିତିରେ ଏଭଳି ସଂଘବଦ୍ଧ ଭାବରେ ଆକ୍ରମଣ କଲେ? ବ୍ୟବସାୟୀଙ୍କ ସହ କଣ ଶତ୍ରୁତା ରହିଛି? ଏମାନଙ୍କ ନାମରେ ଆଉ କଣ ଅପରାଧ ଅଭିଯୋଗ ରହିଛି କି? ସେ ନେଇ ପୁଲିସ ତନାଘନା କରୁଛି। ଏହି ମାମଲାରେ ଏବେ ଅଭିଯୁକ୍ତଙ୍କର ସଂଖ୍ୟା ୨୪ରେ ପହଞ୍ଚିଛି। ସେଥିରେ ୧୨ ଜଣ ନାବାଳକ ରହିଛନ୍ତି।
ଗୋଷ୍ଠୀ ପଛରେ ପୃଷ୍ଠପୋଷକତା: ଦୁଇଦିନ ତଳେ ଝିମିଟି ଖେଳରୁ ମହାଭାରତ ହୋଇଥିଲା। ଜଣଙ୍କ ସହ ହୋଇଥିବା ଗଣ୍ଡଗୋଳ ପାଇଁ ୫୦ ଜଣ ହକି ଷ୍ଟିକ୍, କ୍ରିକେଟ୍ ବ୍ୟାଟ୍ ଓ ଲୁହାଛଡ଼ ଧରି ଆସି ଆତଙ୍କ ଖେଳାଇ ଥିଲେ। ଦୋକାନ ବଜାର ଭାଙ୍ଗିବା ସହ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଥିଲେ। ପୁଲିସ କିମ୍ବା ଅନ୍ୟ କାହା ପ୍ରତି ଟିକିଏ ହେଲେ ଭୟ ନ ଥିଲା। ଏଣୁ ଏଭଳି ଗୋଷ୍ଠୀ ପଛରେ କାହାର ପୃଷ୍ଠପୋଷକତା ରହିଛି? କିଏ ଏମାନଙ୍କୁ ସାହସ ଯୋଗାଉଛି? ଏ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ପୁଲିସ ମଧ୍ୟ ଏହି ଗୋଷ୍ଠୀ ପଛରେ ଥିବା ପ୍ରୋତ୍ସାହନକାରୀକୁ ଖୋଜୁଛି। ବାତିଲ ହେଲା ସାମ୍ବାଦିକ ସମ୍ମିଳନୀ: ଗତକାଲି ସୁରକ୍ଷା ଦାବି କରି କେତେକ ଦୋକାନୀ ପୁଲିସକୁ ଭେଟିଥିଲେ। ଆଜି ସେ ନେଇ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସେମାନେ ଘୋଷଣା କରିଥିଲେ। ହେଲେ ରାତି ଅଧରେ କ’ଣ ହେଲା କେଜାଣି ସମ୍ମିଳନୀ ବାତିଲ ହୋଇଯାଇ ଥିଲା। ସମ୍ମିଳନୀ ବନ୍ଦ କରିବା ପାଇଁ କିଏ ଚାପ ପକାଇଲା ନା ଅନ୍ୟ ବ୍ୟବସାୟୀଙ୍କର ସମର୍ଥନ ମିଳିଲାନି? ନା ସୁରକ୍ଷା ଲୋଡିବାକୁ ଯାଇଥିବା ଗୋଷ୍ଠୀ ଭିତରେ ବିବାଦ ଦେଖାଦେଲା? ଏଭଳି ଅନେକ ପ୍ରଶ୍ନ ଏବେ ମାମଲାକୁ ଜଟିଳ କରିଛି।
Follow Us