ମାର୍କେଟ ବିଲ୍‌ଡିଂରେ ଆତଙ୍କରାଜ ମାମଲା: ସୁଧାର ଗୃହ ଗଲେ ୨ ନାବାଳକ, ଜଣଙ୍କୁ କୋର୍ଟ ଚାଲାଣ

Advertisment
ମାର୍କେଟ ବିଲ୍‌ଡିଂ ଆତଙ୍କରାଜ ମାମଲା: ମୁଖ୍ୟ ଅଭିଯୁକ୍ତ ସହ ୩ ଅଟକ

otv

ଭୁବନେଶ୍ୱର: ଭୁବନେଶ୍ବର ମାର୍କେଟ ବିଲ୍‌ଡିଂରେ ଆତଙ୍କରାଜ ଘଟଣାରେ ଆଉ ଜଣେ ଗିରଫ ହୋଇଥିବା ବେଳେ ୨ ନାବାଳକଙ୍କୁ ଆଜି ସୁଧାର ଗୃହକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତ ହେଉଛି ବାବୁ କଅଁର। ଗତକାଲି ବାବୁ ସମେତ ୩ ଜଣଙ୍କୁ ଅଟକ ରଖା ଯାଇଥିଲା। ଅଟକ ୩ ଜଣଙ୍କର ବୟସ ଯାଞ୍ଚ କରାଯାଇଥିଲା। ୨ ଜଣ ନାବାଳକ ଜଣାପଡ଼ିବା ପରେ ଆଜି ଅପରାହ୍‌ଣ‌ରେ ସେମାନଙ୍କୁ କିଶୋର ନ୍ୟାୟ ବୋର୍ଡ(ଜେଜେବି)ରେ ଉପସ୍ଥାପନ କରାଯାଇଥିଲା। ସେଠାରେ ଜେଜେବି ସଦସ୍ୟ ଅଶୋକ ବେହେରା ମାମଲାର ତର୍ଜମା କରି ୨୦ତାରିଖ ସୁଦ୍ଧା ସୋସିଆଲ ଇନ୍‌ଭେଷ୍ଟିଗେସନ୍‌ ରିପୋର୍ଟ ଉପସ୍ଥାପନ କରିବା ପାଇଁ ଏଲ୍‌ପିଓ (ଲିଗାଲ ପ୍ରୋବେସନ ଅଫିସର)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ରହିଛି। ଧରିବା ପାଇଁ କମିସନରେଟ୍‌ ପୁଲିସ ବିଭିନ୍ନ ସ୍ଥାନ‌ରେ ଚଢ଼ଉ ଜାରି ରଖିଛି।

ସୁରକ୍ଷା ଲୋଡ଼ିଲେ ବ୍ୟବସାୟୀ
୪୦ରୁ ୫୦ ପିଲା। ହାତରେ ଖଣ୍ଡା, ଲୁହାଛଡ଼, ବାଡ଼ି। ଯିଏ ସାମ୍ନାରେ ପଡ଼ୁଛି ଚୋଟ ଖାଉଛି। ସେ ଦୋକାନ ହେଉ କି ଗାଡ଼ି। ଏଭଳି ଏକ ବିଚିତ୍ର ଚିତ୍ର ପ୍ରଥମଥର ପାଇଁ ଦେଖିଥିଲେ ୟୁନିଟ୍‌-୨ ମାର୍କେଟ୍‌ର ସମସ୍ତ ବ୍ୟବସାୟୀ। ସ୍ଥାୟୀ ଦୋକାନ କଥା ଭିନ୍ନ; ସିସିଟିଭି କ୍ୟାମେରା ସହ ସୁରକ୍ଷା କର୍ମୀ ଅଛନ୍ତି। ଏମାନଙ୍କୁ ସମ୍ଭାଳିବା ପାଇଁ ଅନ୍ତତଃ କିଛି ପରିମାଣରେ ବନ୍ଦୋବସ୍ତ ଅଛି। ହେଲେ ଉଠାଦୋକାନୀଙ୍କ ପାଇଁ କେହି ନାହିଁ। ସମସ୍ତେ ଦେଖୁଥିଲେ ମଧ୍ୟ କେହି କିଛି କରିପାରି ନାହାନ୍ତି। ଏଭଳି ସ୍ଥିତିର ପୁନରାବୃତ୍ତି ଆଶଙ୍କାରେ ଆଜି କ୍ୟାପିଟାଲ ଥାନା ଇନ୍‌ସ୍‌ପେକ୍ଟରଙ୍କୁ ୫୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ ଭେଟି ସୁରକ୍ଷା ଲୋଡ଼ିଛନ୍ତି। ଏଠାରେ ନିୟମିତ ପାଟ୍ରୋଲିଂ କରିବାକୁ ଦାବି କରିଛନ୍ତି।

କିଏ ଦେଉଛି ପ୍ରୋତ୍ସାହନ?
ଦୀର୍ଘଦିନ ହେବ ଏଠାରେ ବେଆଇନ ଭାବେ ଉଠା ଦୋକାନୀମାନେ ବସୁଛନ୍ତି। ଏମାନଙ୍କୁ ବସିବା ପାଇଁ ବିମ୍‌ସି ସ୍ବୀକୃତି ଦେଇନାହିଁ। ଖୋଲାଖୋଲି ଭାବରେ ଏହି ଜବରଦଖଲ ହୋଇଛି। କିଏ ଏହି କାରବାର ପଛରେ ରହିଛି, ସେନେଇ ଚର୍ଚ୍ଚା ଜୋର୍‌ ଧରିଛି। ଜଣେ ନେତାଙ୍କ ଛତ୍ରଛାୟାରେ ଏଠାରେ ବେପାର ଚାଲିଛି। ଭଡ଼ା ବାବଦକୁ ନେତା ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିବା ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe