ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ବାପା, ମା’ଙ୍କ ଆଗରେ ପୁଅକୁ ହାଣିଦେଲେ

Advertisment

ବାଇକ୍‌ ସାଇଡ୍ ମରାକୁ ନେଇ ହୋଇଥିଲା ଗଣ୍ଡଗୋଳ, ବିଜେପି ନେତାଙ୍କ ଡ୍ରାଇଭର ସମେତ ୫ ଗିରଫ

ବାଇକ୍‌ ସାଇଡ୍ ମରାକୁ ନେଇ ହୋଇଥିଲା ଗଣ୍ଡଗୋଳ, ବିଜେପି ନେତାଙ୍କ ଡ୍ରାଇଭର ସମେତ ୫ ଗିରଫ

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ: ବାପା, ମା’ଙ୍କ ଆଗରେ ପୁଅକୁ ହାଣିଦେଲେ

ଭୁବନେଶ୍ବର: ବାହାରକୁ ଯିବା କହି ଯୁବକଙ୍କୁ ଘରୁ ଆସି ଡାକିନେଲେ। ଘରଠାରୁ ମାତ୍ର ଅଳ୍ପ ଦୂରରେ ସଂଘବଦ୍ଧ ଭାବେ ମାରାଣାସ୍ତ୍ରରେ ଆକ୍ରମଣ କଲେ। ପୁଅର ଚିତ୍କାର ଶୁଣି ଦୌଡ଼ି ଆସିଲେ ବାପା ଓ ମା’ ଏବଂ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କଲେ। ‌‌ତେବେ ବାପା, ମା’ଙ୍କ ଆଗରେ ରାଜରାସ୍ତାରେ ପୁଅକୁ ନୃଶଂସ ଭାବେ ହାଣି ପକାଇଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ମେଡିକାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଗଲା। ରାଜଧାନୀର ପୁରୁଣା ରେଳ ଷ୍ଟେସନ ନିକଟ ବୁଦ୍ଧନଗର କଦଳୀଗୋଦାମ ବସ୍ତିରେ ଘଟିଛି ଏଭଳି ବୀଭତ୍ସ ହତ୍ୟାକାଣ୍ଡ। ମୃତକ ହେଲେ ସେହି ଅଞ୍ଚଳର କାର୍ତ୍ତିକ ସାହୁ। ଏହି ମାମଲାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ତଥା ରାଜଧାନୀର ଜଣେ ପ୍ରମୁଖ ବିଜେପି ନେତାଙ୍କ ଡ୍ରାଇଭର ଏସ୍. ଚଲପତି ରେଡ୍ଡି ସମେତ ୫ ଜଣଙ୍କୁ ଗିରଫ କରିଛି। ଗିରଫ ଅନ୍ୟ ୪ ଅଭିଯୁକ୍ତ ହେଲେ ମିନା ରେଡ୍ଡି, ଦାଣ୍ଡେଲ ଓରଫ୍ ଧନରାଜ ରେଡ୍ଡି, ରାଜୁ ରେଡ୍ଡି ଓ ଏସ୍. ସହଦେବ ରେଡ୍ଡି।

publive-image

ଅନ୍ୟପକ୍ଷରେ ଅଭିଯୁକ୍ତଙ୍କୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିବା ଅଭିଯୋଗ କରି ସମର୍ଥକମାନେ ହୋହଲ୍ଲା କରିବାରୁ ଲକ୍ଷ୍ମୀସାଗର ଥାନା ଆଗରେ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଅଧିକ ଗଣ୍ଡଗୋଳ ଆଶଙ୍କାରେ ଘଟଣାସ୍ଥଳ‌ରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଚଲପତି ରେଡ୍ଡିର ଘର ବୁଦ୍ଧନଗର କଦଳୀଗୋଦାମ ରେଡ୍ଡି ବସ୍ତିରେ। ଗତକାଲି ଚଲପତି ଘରେ ଏକ ଜନ୍ମଦିନ ଉତ୍ସବ ଥିଲା। କାର୍ତ୍ତିକର ଘର କଦଳୀଗୋଦାମ ପିଡବ୍ଲୁଡି ବସ୍ତିରେ। ଗତକାଲି ସେ ଦିନବେଳା ବାଇକ୍‌ ଧରି ରେଡ୍ଡି ବସ୍ତି ଆଡ଼େ ଯାଇଥିଲା। ସେହି ସମୟରେ ଚଲପତି କାର୍‌କୁ ଓଭରଟେକ୍ କଲାବେଳେ ବାଇକ୍‌ ଘସି ହୋଇଥିବା ଅଭିଯୋଗ କରି ଚଲପତି ତାକୁ ଗାଳିଗୁଲଜ କରିଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ କାର୍ତ୍ତିକ ଘରକୁ ଫେରି ଆସିଥିଲା। ଅପରାହ୍ନରେ କାର୍ତ୍ତିକ ପୁଣି ଥରେ ବାଇକ୍ ଧରି ରେଡ୍ଡି ବସ୍ତିକୁ ଯାଇଥିଲା ଏବଂ ସେଠାରେ ବୁଲାବୁଲି କରି ଫେରିଥିଲା। ସନ୍ଧ୍ୟାରେ ଚଲପତି ଓ ତାର ସହଯୋଗୀମାନେ କାର୍ତ୍ତିକ ଘରେ ପହଞ୍ଚି ସେଠାରେ ତାକୁ ଗାଳିଗୁଲଜ କରିବା ସହ ଠେଲାପେଲା କରିଥିଲେ। ସେମାନଙ୍କ ମଧ୍ୟରେ ହାତାହାତି ହୋଇଥିଲା। ଏହା ପରେ ଚଲପତି ଫେରି ଆସିଥିଲା। କିନ୍ତୁ ମନରେ ଜଳୁଥିଲା ପତିଆରା ଓ ପ୍ରତିଶୋଧର ନିଆଁ।

ରାତି ପ୍ରାୟ ୧୧ଟାରେ ଚଲପତି ଓ ତା’ର ସହଯୋଗୀମାନେ ପୁଣି ଥରେ କାର୍ତ୍ତିକ ଘରେ ପହଞ୍ଚିଥିଲେ। କାର୍ତ୍ତିକର ବାପା ରବୀନ୍ଦ୍ର ସାହୁଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତମାନେ କାର୍ତ୍ତିକକୁ ଘରୁ ଡାକି ନେଇ ଘର ଠାରୁ କେଇ ହାତ ଦୂରରେ ବିଭିନ୍ନ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ବାପା ରବୀନ୍ଦ୍ର ଓ ମା ଦୌଡ଼ି ଯାଇ ପୁଅକୁ ବଞ୍ଚାଇବାକୁ ଚେଷ୍ଟା କଲେ ବି ଅଭିଯୁକ୍ତମାନେ ଉଭୟଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ପକାଇଥିଲେ। କାର୍ତ୍ତିକକୁ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସସିବି ମେଡିକାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା। ପୁଲିସ ଗିରଫ ୫ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟଚାଲାଣ କରିବା ପରେ ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe