ରାଜଧାନୀରେ ବିଶାଳ ପାଇକ ସମାବେଶ

ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବି

ରାଜଧାନୀରେ ବିଶାଳ ପାଇକ ସମାବେଶ

ଭୁବନେଶ୍ବର: ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପ୍ରଦାନ ଓ ପାଇକ ରେଜିମେଣ୍ଟ ଗଠନ ଦାବି ନେଇ ଓଡ଼ିଶା ବୀର ମହାସଂଘ ପକ୍ଷରୁ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ନିକଟରେ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ମାଷ୍ଟରକ୍ୟାଣ୍ଟିନ୍ ଛକ ଠାରୁ ହଜାରେରୁ ଅଧିକ ପାଇକ ପାରମ୍ପରିକ ବେଶପୋଷାକ ପରିଧାନ କରି ଖଣ୍ଡା, ତଲୱାର, ଗଦା, ମୁଦ୍‌ଗର ଆଦି ଧରି ପାଇକ ଆଖଡ଼ା ପ୍ରଦର୍ଶନ କରି ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ନିକଟରେ ପହଞ୍ଚି ସମାବେଶ କରିଥିଲେ। ଏହି ଅବସରରେ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ଦିଲ୍ଲୀ ଚଲୋ ଅଭିଯାନ ଡାକରା ଦିଆଯାଇଛି।

କାର୍ଯ୍ୟକ୍ରମରେ ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ ଯୋଗ ଦେଇ କହିଲେ, ଭାରତର ସ୍ବାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ଖୋର୍ଦ୍ଧା ମାଟିରୁ ଆରମ୍ଭ ହୋଇଥିଲା। ତେଣୁ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ମିଳିବା ଦରକାର। ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ, ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଉତ୍ସବରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପାଇକ ବିଦ୍ରୋହକୁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି କହିଥିଲେ। ସେହି ଆଧାରରେ ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାହାଡ଼ ପାଦଦେଶରେ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରି ପାଇକ ବିଦ୍ରୋହ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି କହିଛନ୍ତି। କିନ୍ତୁ ଏହାକୁ ଅସ୍ବୀକାର କରାଯିବା ଓଡ଼ିଶା ଜନସାଧାରଣଙ୍କ ସ୍ବାଭିମାନ ପ୍ରତି କୁଠାରଘାତ।

କାର୍ଯ୍ୟକ୍ରମରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଉପସ୍ଥିତ ଥିଲେ। ଦାବି ପୂରଣ ନହେବା ଯାଏ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଗାମୀ ଦିନରେ ଦିଲ୍ଲୀର ରାମଲୀଳା ମୈଦାନ ଓ ଲାଲକିଲ୍ଲାରେ ପାଇକମାନେ ଆନ୍ଦୋଳନ କରିବା ସହ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ବିଶିଷ୍ଟ ସଂଗଠକ ବଦ୍ରିନାରାୟଣ ମିଶ୍ର, ନରେନ୍ଦ୍ର ପୃଷ୍ଟି, ଅଶୋକ ସୁନ୍ଦରାୟ, ଗଣେଶ ସାମନ୍ତ, ରମାକାନ୍ତ ମହାପାତ୍ର, ବିଶ୍ବଭୂଷଣ ଛୋଟରାୟ, ଅବନିକାନ୍ତ ଜେନା, ପଦ୍ମଚରଣ ରାୟଙ୍କ ସମେତ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ପାଇକମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe