ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କଲେ ମେୟର: ଆବଶ୍ୟକତା ପୂରଣ କରିପାରୁନି ଏମ୍‌ସିସି

Advertisment
ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କଲେ ମେୟର: ଆବଶ୍ୟକତା ପୂରଣ କରିପାରୁନି ଏମ୍‌ସିସି

Odisha News Tune

ଭୁବନେଶ୍ବର: ବିଏମ୍‌ସି ମେୟର ସୁଲୋଚନା ଦାସ ଆଜି ସ୍ବାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବିଏମ୍‌ସି କନ୍‌ଫରେନ୍ସ ହଲ୍‌ରେ ବସିଥିବା ଏହି ସମୀକ୍ଷା ବୈଠକରେ ଏହି ବିଭାଗର ଅବସ୍ଥାକୁ ନେଇ ଚିନ୍ତା ବଢ଼ିଛି। ଦିନକୁ ଦିନ ଆବର୍ଜନା ବଢ଼ି ବଢ଼ି ଯାଉଥିବା ବେଳେ ଏହାକୁ ପରିଚାଳନା କରିବା ପାଇଁ ପ୍ରତିଷ୍ଠା ହୋଇଥିବା ଏମ୍‌ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ପ୍ଲାଣ୍ଟ ଯଥେଷ୍ଟ ହେଉନାହିଁ। ସେଣ୍ଟର ପରେ ସେଣ୍ଟର ପ୍ରତିଷ୍ଠା ହେଉଥିଲେ ମଧ୍ୟ ସବୁଗୁଡ଼ିକ ନିୟମିତ ଚାଲି ପାରୁନାହିଁ। ଖରାପ ହେବା ପରେ ଧାର୍ଯ୍ୟ ସମୟରେ ମରାମତି ହୋଇପାରୁ ନାହିଁ। ଫଳରେ ଅଚଳାବସ୍ଥା ସୃଷ୍ଟି ହେଉଛି। ଯାହାର ପରିଣାମ ସ୍ବରୂପ ଭୁଆସୁଣିକୁ ଆବର୍ଜନା ଯିବା ବନ୍ଦ ହୋଇପାରୁ ନାହିଁ। ଏମ୍‌ସିସିଗୁଡ଼ିକ କିଭଳି ନିୟମିତ କାର୍ଯ୍ୟକ୍ଷମ ହେବ ତାହା ଉପରେ ଗୁରୁତ୍ବାରୋପ କରିଛନ୍ତି ମେୟର ଶ୍ରୀମତୀ ଦାସ।

ଏମ୍‌ସିସି ଥିବା ଅଞ୍ଚଳରେ ଦୁର୍ଗନ୍ଧ ହେଉଛି। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଉଛି। ନିର୍ଦ୍ଧାରିତ ପରିମାଣର ଗୁଡ଼ ଓ ଦହି ପକାଯାଇ ଦୁର୍ଗନ୍ଧ ରୋକିବା ବ୍ୟବସ୍ଥା ଅଛି। ଏମ୍‌ସିସି ପରିଚାଳନା‌ କରୁଥିବା ଗୋଷ୍ଠୀମାନଙ୍କୁ ଏ ବାବଦରେ ଆବଶ୍ୟକୀୟ ଅର୍ଥ ଯୋଗାଯାଉଛି। ହେଲେ ତଥାପି ଗନ୍ଧ ହେଉଥିବାରୁ ଅର୍ଥ ବାଟମାରଣା ହେଉଥିବା ସନ୍ଦେହ ପ୍ରକାଶ ପାଇଛି। ଏଣୁ ବରିଷ୍ଠ ଅଧିକାରୀମାନେ ଯାଞ୍ଚ କରି ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ କାମ କରୁଥିବା କର୍ମଚାରୀଙ୍କ ଗ୍ରୁପ ଇନ୍ସୁରାନ୍ସ କରିବା ସହ ମାସିକ ସ୍ବାସ୍ଥ୍ୟ ପରୀକ୍ଷା, ଏମସିସି ପାଖାପାଖି ରହୁଥିବା ସୋସାଇଟି ଯେପରି ଦୁର୍ଗନ୍ଧକୁ ନେଇ ଅଭିଯୋଗ ନ କରନ୍ତି ତାହା ଉପରେ ନଜର ଦେବାକୁ ଅଧିକାରୀଙ୍କୁ କୁହାଯାଇଛି।

ସେହିଭଳି ଆବଶ୍ୟକ ମୁତାବକ ଏମ୍‌ଆରଏଫ୍‌(ମ୍ୟାଟେରିଆଲ ରିକଭରି ଫାସିଲିଟି)ନିର୍ମାଣ ହୋଇପାରି ନାହିଁ। ଫଳରେ ବାହାରୁ ଆସୁଥିବା ମିଶ୍ରିତ ଆବର୍ଜନା ପୃଥକ୍‌ କରାଯାଇ ପାରୁନାହିଁ। ଏବେ ସୁଦ୍ଧା ୧୧ଟି କାମ କରୁଛି। ଏପ୍ରିଲ୍‌ ଶେଷ ସୁଦ୍ଧା ଆଉ ୪ଟି କାର୍ଯ୍ୟକ୍ଷମ ହେବା ଯୋଜନା ରହିଛି। ଏହା କିଭଳି ଧାର୍ଯ୍ୟ ସମୟରେ ହୋଇ ପାରିବ ତାହା ନିଶ୍ଚିତ କରିବାକୁ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ମେୟର କହିଛନ୍ତି।
ସେହିଭଳି ନିଷିଦ୍ଧ ହୋଇଥିବା ଏକକ ବ୍ୟବହାର ଯୋଗ୍ୟ ପଲିଥିନ ବନ୍ଦ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଘର ଭଙ୍ଗା ଆବର୍ଜନା ରାସ୍ତା କଡ଼ରେ ଯେପରି ଗଦା ନହେବ ସେଥିପ୍ରତି ଧ୍ୟାନ ଦେବାକୁ ମେୟର ଅଧିକାରୀମାନଙ୍କୁ କହିଛନ୍ତି। ତେବେ ୱାର୍ଡ ଅଫିସର୍ ଓ ଗ୍ରାଉଣ୍ଡ ଜିରୋରେ କାମ କରୁଥିବା କେତେକ ଷ୍ଟାଫ୍ କର୍ପୋରେଟରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସେମାନେ ଯେଭଳି ଭଲ ବ୍ୟବହର କରିବେ ଓ ଏଭଳି ଅଭିଯୋଗ ଆଗକୁ ନ ଆସିବ ତାହା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe