ଆକର୍ଷଣ ସାଜିବ ମହୀଶୂର ଲଳିତା ମହଲ

Advertisment

ବମିଖାଲ ଦୁର୍ଗା ପୂଜା ସମିତି

ବମିଖାଲ ଦୁର୍ଗା ପୂଜା ସମିତି

ଆକର୍ଷଣ ସାଜିବ ମହୀଶୂର ଲଳିତା ମହଲ

ଭୁବନେଶ୍ବର: ୧୯୬୩ ମସିହାରୁ ଆରମ୍ଭ ହୋଇଥିବା ବମିଖାଲ ଦୁର୍ଗାପୂଜା ଚଳିତ ବର୍ଷ ୬୦ବର୍ଷରେ ପଦାର୍ପଣ କରୁଛି। ରାଜଧାନୀର ଅନ୍ୟତମ ପୁରୁଣା ଦୁର୍ଗାପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି ପୂଜାରେ ପ୍ରତିବର୍ଷ ମନଲୋଭା ତୋରଣ ଦର୍ଶକଙ୍କୁ ଆକର୍ଷିତ କରିଥାଏ। ତେଣୁ ଏଥର ମଧ୍ୟ ଏହି ପୂଜା କମିଟି ପୁଣି ଏକ ଆକର୍ଷଣୀୟ ତୋରଣ କରିବାକୁ ପ୍ରସ୍ତୁତି ଚଳାଇଛି। ଏଥର କର୍ଣ୍ଣାଟକ ମହୀଶୂରର ଲଳିତା ମହଲ ପ୍ୟାଲେସ୍ ଭିତରେ ମା’ ଜଗଦ୍ଧାତ୍ରୀ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଦକ୍ଷିଣ ଭାରତର ପ୍ରସିଦ୍ଧ କାରୁକାର୍ଯ୍ୟ ଭରା ଏହି ମହଲ ଢାଞ୍ଚାରେ ତୋରଣ ନିର୍ମାଣ ପାଇଁ ୭୦ଜଣ ବଙ୍ଗୀୟ କାରିଗର ଲାଗିଛନ୍ତି। ଏହି ତୋରଣର ପ୍ରସ୍ଥ ୧୨୦ ଫୁଟ୍‌ ଓ ଉଚ୍ଚତା ୮୦ ଫୁଟ୍‌ ହେବ। ସେହିଭଳି ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୨୦ ଫୁଟ୍‌ ହେବ। ଏଥିପାଇଁ ଓଡ଼ିଆ କାରିଗରମାନେ ଲାଗିଛନ୍ତି। ଏହି ପୂଜା ପାଇଁ ୪୦ ଲକ୍ଷ ଟଙ୍କା ବଜେଟ୍‌ ଅଟକଳ କରାଯାଇଥିବା ବେଳେ ଚଳିତ ବର୍ଷ ମା’ଙ୍କ ମସ୍ତକରେ ସୁକ୍ଷ୍ମ ତାରକସି କାମର କାରୁକାର୍ଯ୍ୟପୂର୍ଣ୍ଣ ରୁପା ମୁକୁଟ ଶୋଭା ପାଇବ।

ପୂଜା କମିଟିର ସୂଚନାନୁସାରେ, ଏଠାରେ ଅଷ୍ଟମୀ ଦିନଠାରୁ ଭଜନ ସନ୍ଧ୍ୟା ଓ ମେଲୋଡି କାର୍ଯ୍ୟକ୍ରମ ଚାଲୁ ରହିବ। ତିନିଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୩ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଛି। ସେହିଭଳି ଭସାଣି ଦିନ ବିଭିନ୍ନ ପ୍ରକାରର ପାରମ୍ପରିକ ବାଦ୍ୟ ମା’ଙ୍କ ମେଲାଣି ଶୋଭାଯାତ୍ରାକୁ ଆକର୍ଷିତ କରିବ। ଭସାଣିରେ ଦୁଇଟି ସୁସଜ୍ଜିତ ଓଟଙ୍କୁ ସାମିଲ୍ କରାଯିବ।

ସେବା ଦେବେ ୧୦୦ ସ୍ବେଚ୍ଛାସେବୀ

publive-image

କଟକ ରୋଡ୍‌ ସବୁବେଳେ ଜାମ୍‌ ରହୁଥିବାରୁ ପୂଜା ବେଳେ ସ୍ବାଭାବିକ ଭାବେ ଅଧିକ ଭିଡ଼ ହେବ। ତେଣୁ ଶ୍ରଦ୍ଧାଳୁମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଓ ଭିଡ଼ ନିୟନ୍ତ୍ରଣ ପାଇଁ କମିଟି ପକ୍ଷରୁ ୧୦୦ ସ୍ବେଚ୍ଛାସେବୀ ନିୟୋଜିତ ହେବେ। ସେହିଭଳି ମଣ୍ଡପର ବିଭିନ୍ନ ସ୍ଥାନରେ ୨୦ଟି ସିସିଟିଭି ଲଗାଯିବ।
-ସୁକାନ୍ତ ପ୍ରଧାନ, ମୁଖ୍ୟ ଉପଦେଷ୍ଟା

ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ହ୍ବିଲ୍‌ ଚେୟାର

publive-image

ମା’ଙ୍କ ଦର୍ଶନ ପାଇଁ ସବୁ ବର୍ଗର ଲୋକେ ବ୍ୟାକୁଳ ହୋଇଥାଆନ୍ତି। ମାତ୍ର ଭିଡ଼ରେ ବୟସ୍କ ମହିଳା ଓ ପୁରୁଷ ପଶି ପାରନ୍ତି ନାହିଁ। ସେହିଭଳି ଦିବ୍ୟାଙ୍ଗମାନେ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଥାନ୍ତି। କିନ୍ତୁ ଦିବ୍ୟାଙ୍ଗ ଓ ବୃଦ୍ଧ ବ୍ୟକ୍ତିମାନଙ୍କ ପାଇଁ ଚଳିତ ବର୍ଷ ଆମ ସ୍ବେଚ୍ଛାସେବୀ ହ୍ବିଲ୍‌ ଚେୟାର ଯୋଗେ ମା’ଙ୍କ ଦର୍ଶନ କରାଇବେ।
-ବଣ୍ଟି ଜେନା, ଉପସଭାପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe