ରାତି ଅଧରେ ମଦ ପିଇ ଏମ୍‌ବିଏ ଛାତ୍ରୀଙ୍କ ଉତ୍ପାତ, ରଙ୍ଗ୍‌ରୁଟ୍‌ରେ କାର୍‌ ଚଳାଇ ଧରାପଡ଼ିଲେ ଖସି ପ​ଳାଇଲେ ପୁରୁଷ ବନ୍ଧୁ

Advertisment
ରାତି ଅଧରେ ମଦ ପିଇ ଏମ୍‌ବିଏ ଛାତ୍ରୀଙ୍କ ଉତ୍ପାତ, ରଙ୍ଗ୍‌ରୁଟ୍‌ରେ କାର୍‌ ଚଳାଇ ଧରାପଡ଼ିଲେ ଖସି ପ​ଳାଇଲେ ପୁରୁଷ ବନ୍ଧୁ

ଭୁବନଶ୍ବର: ସୋମବାର ରାତି ପ୍ରାୟ ୧୧ଟା। ଏଜି ଛକରୁ ରଙ୍ଗରୁଟ୍‌ରେ ଏକ ନାଲି ରଙ୍ଗର କାର୍ ଦ୍ରୁତ ଗତିରେ କ୍ୟାପିଟାଲ ହସ୍ପିଟାଲ ଆଡ଼କୁ ଗଡ଼ୁଥିଲା। ପାଟ୍ରୋଲିଂରେ ଥିବା କ୍ୟାପିଟାଲ ଥାନାର ଗାଡ଼ି ସେହି କାର୍‌କୁ ପିଛା କଲା। କ୍ୟାପିଟାଲ ହସ୍ପିଟାଲ ଛକ ନିକଟରେ କାର୍‌କୁ ଅଟକାଇଲା ପୁଲିସ। କାର୍‌ ଚଳାଉଥିବା ଯୁବତୀ ଡୋର୍ ଖୋଲି ପୁଲିସ ଉପରେ ନିଜର ରୋବାବ୍ ଦେଖାଇବା ଆରମ୍ଭ କରିଦେଲେ। ତାଙ୍କ ମୁହଁରୁ ଭଣଭଣ ମଦ ଗନ୍ଧ ବାହାରୁଥିଲା। ଗୋଡ଼ ବି ଠିକ୍ ଭାବେ ପଡ଼ୁ ନ ଥିଲା। କିନ୍ତୁ ପାଟିରେ ବନ୍ଧବାଡ଼ ନ ଥିଲା। ସେ ପୁଲିସ ଉପରେ ଅନର୍ଗଳ ଗାଳି ବର୍ଷି‌ ଚାଲିଥିଲେ। ଯୁବତୀଜଣକ ଜଣେ ଏମ୍‌ବିଏ ଛାତ୍ରୀ ବୋଲି ଜାଣିଲା ପରେ ପୁଲିସ୍‌ ମଧ୍ୟ ତାଜୁବ୍ ହୋଇଯାଇଥିଲା।

ପୂରା ଘଟଣା ଥିଲା ଏମିତି; ଛାତ୍ରୀ ଓ ତାଙ୍କର ଜଣେ ପୁରୁଷ ବନ୍ଧୁ ଗତକାଲି ରାତିରେ ମଦ୍ୟପାନ କରି ଦ୍ରୁତଗତିରେ କାର୍‌ ଚଲାଇ ଏଜି ଛକରୁ କ୍ୟାପିଟାଲ ହସ୍ପିଟାଲ ଆଡ଼େ ଯାଉଥିଲେ, ତାହା‌ ପୁଣି ରଙ୍ଗରୁଟ୍‌ରେ। ପାଟ୍ରୋଲିଂ କରୁଥିବା ପୁଲିସ ପିଛା କରି କ୍ୟାପିଟାଲ ହସ୍ପିଟାଲ ଛକ ନିକଟରେ କାର୍‌କୁ ଅଟକାଇଥିଲେ। ତେବେ ପୁଲିସକୁ ଦେଖି ଛାତ୍ରୀଙ୍କ ପୁରୁଷ ବନ୍ଧୁ ଚମ୍ପଟ ମାରିଥିଲେ। ନିଜ କାର୍‌ ଛାଡ଼ି ଛାତ୍ରୀଜଣଙ୍କ ଯାଇ ପାରି ନଥିଲେ। କାହିଁକି ରଙ୍ଗ୍‌ରୁଟ୍‌ରେ ଦ୍ରୁତଗତିରେ କାର୍‌ ଚଳାଉଛ ବୋଲି ପୁଲିସ ଯେତେବେଳେ ପଚାରିଥିଲା, ସେତେବେଳେ ଛାତ୍ରୀଜଣଙ୍କ ଗାଳିଗୁଲଜ କରିବା ଆରମ୍ଭ କରି ଦେଇଥିଲେ। ଏଭଳି ହରକତ୍ ଦେଖି ପୁଲିସ କ’ଣ ପଦକ୍ଷେପ ନେବ ବୋଲି ଭାବି ପାରି ନ ଥିଲା।

ପୁଲିସ ଛାତ୍ରୀଙ୍କ ପରିବାରଲୋକଙ୍କୁ ଫୋନ୍ କରି ଡକାଇବା ସହ କାର୍‌ ଜବତ କରିଥିଲା। ପରିବାରଲୋକ ପହଞ୍ଚି ଝିଅର କାରନାମା ବିଷୟରେ ଜାଣିବା ପରେ ମଦ୍ୟପ ଝିଅକୁ ନେଇ ଘରକୁ ଯାଇଥିଲେ। କିନ୍ତୁ ପୁଲିସ କାର୍‌ ଜବତ କରି ରଖିଥିଲା। ଆଜି ପରିବାରଲୋକଙ୍କ ସହ ଛାତ୍ରୀଜଣଙ୍କ ଥାନାକୁ ଆସି ନିଜର ଭୁଲ୍ ସ୍ବୀକାର କରିଥିଲେ। ଭବିଷ୍ୟତରେ ଆଉ ଏଭଳି ଭୁଲ୍ କରିବେନି ବୋଲି କହିଥିଲେ। ଏହାପରେ ପୁଲିସ ସହରାଞ୍ଚଳ ଆଇନ ଅନୁସାରେ ଛାତ୍ରୀଙ୍କଠାରୁ ୫ ଶହ ଟଙ୍କା ଜରିମାନା ଆଦାୟ କରି ଛାଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe