ଗଣମାଧ୍ୟମ କ୍ଷମତା ଲୋଭରୁ ଦୂରେଇ ରହୁ

Advertisment

ଜର୍ଣ୍ଣାଲିଜିମ୍‌ ଷ୍ଟୁଡେଣ୍ଟ୍‌ସ ଫୋରମ ପକ୍ଷରୁ ସହିଦ ଦିବସ

ଜର୍ଣ୍ଣାଲିଜିମ୍‌ ଷ୍ଟୁଡେଣ୍ଟ୍‌ସ ଫୋରମ ପକ୍ଷରୁ ସହିଦ ଦିବସ

ଗଣମାଧ୍ୟମ କ୍ଷମତା ଲୋଭରୁ ଦୂରେଇ ରହୁ

ଭୁବନେଶ୍ୱର: ଆଜି ଗଣମାଧ୍ୟମ ଗୁଡ଼ିକ ମଧ୍ୟରେ ଏକ ନମ୍ବର ହେବାର ପ୍ରତିଯୋଗିତା ଚାଲିଛି। ଗଣସମସ୍ୟାକୁ ପ୍ରାଧାନ୍ୟ ଦେଇ ନୁହେଁ, ବରଂ ନିଜର ବ୍ୟବସାୟ ବୃଦ୍ଧି କରି ଏହି ସ୍ଥାନ ଦଖଲ କରିବାର ନିଶା ଘାରିଛିା ଏଥିସହିତ ରାଜନେତାଙ୍କ ପାଖ ଲୋକ ହେବା, କ୍ଷମତା ପରଧି ମଧ୍ୟରେ ରହିବା ନେଇ ସାମ୍ବାଦିକ ଓ ଗଣମାଧ୍ୟମ ଉଭୟର କ୍ଷୁଧା ବଢିଚାଲିଛି। ବାସ୍ତବରେ ଗଣମାଧ୍ୟମ ଏପରି କ୍ଷମତା ଲୋଭରୁ ଦୂରେଇ ରହିବା ଉଚିତ। ଏପରି ମତପ୍ରକାଶ କରିଛନ୍ତି ବିଶିଷ୍ଟ କଥାକାର ତଥା ସାମ୍ବାଦିକ ଡ. ଗୌରହରି ଦାସ। ଜର୍ଣ୍ଣାଲିଜିମ୍‌ ଷ୍ଟୁଡେଣ୍ଟ୍‌ସ ଫୋରମ ପକ୍ଷରୁ ସହିଦ ଦିବସ ଅବସରରେ ରୋଟାରି ଭବନଠାରେ ‘ସାମ୍ପ୍ରତିକ ସମୟରେ ଗଣମାଧ୍ୟମ ଓ ସାମ୍ବାଦିକତା’ ପ୍ରସଙ୍ଗରେ ମତ ରଖି ଡ. ଦାସ ଆହୁରି କହିଲେ, ଗଣମାଧ୍ୟମ ବ୍ୟକ୍ତିଗତ ସ୍ୱାର୍ଥ ନୁହେଁ, ଗଣଙ୍କ ସ୍ୱାର୍ଥ ଓ ସମସ୍ୟା ପ୍ରତି ଗୁରୁତ୍ୱ ଦେବା ଉଚିତ। ଉଦାହରଣଛଳରେ ଡ. ଦାସ କହିଲେ, ମହାତ୍ମା ଗାନ୍ଧୀ ୬ଟି ଖବର କାଗଜ ପ୍ରତିଷ୍ଠା କରିଥିଲେ। କୌଣସିଥିରେ ସେ ବିଜ୍ଞାପନ ପ୍ରକାଶ କରୁନଥିଲେ ମଧ୍ୟ ତାଙ୍କ ଉପରେ ଆର୍ଥିକ ଚାପ ପଡ଼ୁନଥିଲୋ। କାରଣ ତାଙ୍କ ଖବରକାଗଜରେ ସେ ସାଧାରଣ ଲୋକର କଥା କହୁଥିଲେ। ଆଜିର ଗଣମାଧ୍ୟମ ପାଇଁ ଏହା ଆଦର୍ଶ ହେବା ଦରକାର। ଅନ୍ୟତମ ବକ୍ତା ‘ନ୍ୟୁଜ୍‌ ସେଭେନ୍‌’ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ କହିଲେ, ଗଣମାଧ୍ୟମ ଉପରେ ଅତୀତରେ ଚାପ ଥିଲା। କିନ୍ତୁ ଆଜି ସେ ଚାପ ଅଧିକ ରହୁଛି। କିନ୍ତୁ ଏପରି ଜଟିଳ ସମସ୍ୟା ସତ୍ତ୍ୱେ, ସାମ୍ବାଦିକଟିଏ ପାଖରେ ଲୋକଙ୍କ କଥା କହିବା ପାଇଁ ଯେତିକି ବି ସୁଯୋଗ ରହିଛି, ସେ ତା’ର ଉପଯୋଗ କରିବା ଦରକାର। ସାମ୍ବାଦିକତାରେ ସଫଳ ହେବା ପାଇଁ ନିଶା ଆଉ ଲକ୍ଷ୍ୟ ରହିବା ନିହାତି ଜରୁରୀ। ଏଥିସହିତ ଶ୍ରୀ ଦାସ ଗଣମାଧ୍ୟମ ନିଜକୁ ବିଚାରପତି ଭାବେ ପ୍ରତୀୟମାନ କରିବାରୁ ଦୂରେଇ ରହୁ ବୋଲି କହିଥିଲେ।

ଅନ୍ୟତମ ବକ୍ତା ସାମ୍ବାଦିକ ସତୀଶ ମିଶ୍ର କହିଲେ, ଗଣମାଧ୍ୟମ ନିରପେକ୍ଷ ନୁହେଁ, ସାଧାରଣ ଲୋକର ପକ୍ଷ ନେବା ଦରକାର। ଏଥିସହିତ ଶ୍ରୀ ମିଶ୍ର ବର୍ତମାନ ଗଣମାଧ୍ୟମରେ ଦେଖାଦେଇଥିବା ସଙ୍କଟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଫୋରମର ଆବାହିକା ସଙ୍ଘମିତ୍ରା ଜେନା ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅନେକ ସାମ୍ବାଦିକତା ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ରୂପାଲି ସିଂହ ଧନ୍ୟବାଦ ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe