ବୈଠକ ପରେ ବୈଠକ, ଫଳ ଶୂନ୍‌: ରଥଚକରେ ଦବି ଯାଉଛି ରାସ୍ତା

Advertisment
ବୈଠକ ପରେ ବୈଠକ, ଫଳ ଶୂନ୍‌: ରଥଚକରେ ଦବି ଯାଉଛି ରାସ୍ତା

ଭୁବନେଶ୍ବର: ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ପ୍ରତି ବର୍ଷ ବଡ଼ ବଡ଼ ବୈଠକ ବସୁଛି। ରଥଯାତ୍ରାକୁ ଶାନ୍ତି, ଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପାଇଁ ଆଲୋଚନା ହେଉଛି। ରଥଯାତ୍ରା ସମୟରେ ଆବଶ୍ୟକ ସେବା ଯୋଗାଇ ଦେବା ପାଇଁ ସମନ୍ବୟ ବୈଠକରେ ସଂପୃକ୍ତ ବିଭାଗଗୁଡ଼ିକୁ ଦାୟିତ୍ବ ଦିଆଯାଉଛି। ହେଲେ କିଛି ବିଭାଗର ଦାୟିତ୍ବହୀନତା ପାଇଁ ରଥଯାତ୍ରାରେ ବିଭ୍ରାଟ ହେଉଛି। ମୁଖ୍ୟତଃ ରଥଦାଣ୍ଡ ରାସ୍ତା ଠିକ୍‌ ନଥିବାରୁ ରଥଚକ ବାରମ୍ବାର ଦବି ଯାଉଛି। ଫଳରେ ମହାପ୍ରଭୁଙ୍କ ନୀତିରେ ମଧ୍ୟ ବିଳମ୍ବ ହେଉଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରୁକୁଣା ରଥଯାତ୍ରା ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ୍‌ରେ ବୈଠକ‌ ବସିଥିଲା। ଏଥିରେ ରଥଦାଣ୍ଡ ମରାମତି ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଥିଲା। ପୂର୍ତ୍ତ ବିଭାଗ ରଥଯାତ୍ରାର ୧୦ ଦିନ ପୂର୍ବରୁ ଖରାପ ଥିବା ରାସ୍ତାକୁ ମରାମତି କରିଥିଲା। କିନ୍ତୁ ରଥ ଯିବା ଓ ଆସିବା ସମୟରେ ଅଧିକାଂଶ ସ୍ଥାନରେ ପିଚୁ ରାସ୍ତା ଦବିଥିଲା ଏବଂ କିଛି ସ୍ଥାନରେ ରାସ୍ତା ଫାଟି ଯାଇଥିଲା। ଅଶୋକାଷ୍ଟମୀଦିନ ବଢ଼େଇବାଙ୍କ ପୂର୍ବରୁ ମୈତ୍ରେଶ୍ବର ମନ୍ଦିର ନିକଟରେ ରଥ ଡାହାଣ ପାଖ ଚକ ଦବି ଯାଇଥିଲା। ଫଳରେ ସେଦିନ ରଥ ଟଣା ବନ୍ଦ ହୋଇଥିଲା। ନବମୀ ଦିନ ଅନେକ ଚେଷ୍ଟା ଫଳରେ ରଥକୁ ସେଠାରୁ ଉଠାଯାଇଥିଲା। ହେଲେ ଡ୍ରେନ୍‌ ଉପ‌ରେ ଚକ ଚଢ଼ି ଯାଇ ସ୍ଲାବ୍‌ ଭାଙ୍ଗି ଯାଇଥିଲା। ବଢ଼େଇବାଙ୍କ ଛକରୁ ବ୍ରାହ୍ମଣନିଯୋଗ କାର୍ଯ୍ୟାଳୟ ଯାଏ ରଥ ଚକ ଯାଉଥିବା ସ୍ଥାନ ଦବି ଯାଉଥିବା ଦେଖିବାକୁ ମିଳିଥିଲା। ଏମିତିକି ପିଚୁ ଦବି ଯିବାରୁ ରଥ ଦୁଇ ଥର ଡାହାଣ ପାଖରେ ରାସ୍ତା ତଳକୁ ଗଡ଼ି ଯାଇଥିଲା।

ଶେଷରେ ତିନିମୁଣ୍ଡିଆ ଛକରେ ଚକ ଦବି ଯିବାରୁ ରଥ ଆଗକୁ ଯାଇ ପାରି ନଥିଲା। ସେଦିନ ରାମେଶ୍ବର ମନ୍ଦିରରେ ଦିଅଁ ପହଞ୍ଚି ନପାରିବାରୁ ‌ଭେଟ ଆଳତି ହୋଇପାରି ନଥିଲା। ନବମୀରେ ରାମେଶ୍ବରଙ୍କ ସହ ଦିଅଁଙ୍କ ଭେଟ ନହେବାରୁ ପରମ୍ପରା ଭଙ୍ଗ ହୋଇଥିଲା। ଦଶମୀ ଦିନ ଅର୍ଥାତ ୩ ଦିନରେ ମାଉସୀ ମା’ ମନ୍ଦିର ନିକଟରେ ପହଞ୍ଚିଥିଲା ରଥ। ଠିକ୍‌ ସେମିତି ବାହୁଡ଼ା ଦିନ ଏକାଧିକ ସ୍ଥାନରେ ରାସ୍ତା ଦବିବାରୁ ସମସ୍ୟା ଉପୁଜିଥିଲା। ବାରମ୍ବାର ରଥଦାଣ୍ଡ ସଜାଡ଼ିବା ପାଇଁ ଦାବି ହେଉଛି। ହେଲେ ଏହାର ସ୍ଥାୟୀ ସମାଧାନ ପରିବର୍ତ୍ତେ ବର୍ଷକୁ ବର୍ଷ ମରାମତି କରି ଟଙ୍କା ବରବାଦ କରୁଛି ପୂର୍ତ୍ତ ବିଭାଗ। ଏଥିସହ ରଥଦାଣ୍ଡକୁ ଯିଏ ଯେତେବେଳେ ପାରୁଛି ମନଇଚ୍ଛା ଖୋଳି ଦେଉଛି। କିଛି ଦିନ ତଳେ ୱାଟ୍‌କୋ ରଥଦାଣ୍ଡକୁ ଖୋଳିବା ପରେ ମରାମତି ନକରି ଛାଡ଼ି ଦେଇଥିଲା। ଏନେଇ ଅଭିଯୋଗ ହୋଇଥିଲେ ହେଁ ୱାଟ୍‌କୋ ଅଧିକାରୀଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନଥିଲା। ଏନେଇ ବ୍ରାହ୍ମଣ ନିଯୋଗ ସଂପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ରଥଯାତ୍ରାର ମାସେ ପୂର୍ବରୁ ରାସ୍ତାକୁ ଭଲ ଭାବେ ମରାମତି କରିଥିଲେ ଏ ଅବସ୍ଥା ହୋଇ ନଥା’ନ୍ତା। ରଥ ରହିବା ପାଇଁ ଖରଡ଼ା ମାରିବା ବେଳେ ମଧ୍ୟ ପିଚୁ ଉଠି ଯାଉଥିଲା। ତେଣୁ ଏତେ ଓଜନର ରଥ ଦବିବା ସ୍ବଭାବିକ କଥା। ଏହାର ତଦନ୍ତ ହେବା ଆବଶ୍ୟକ। ଅନ୍ୟପଟେ ଏହାର ସ୍ଥାୟୀ ସମାଧାନ ପାଇଁ ସେବାୟତମାନେ ଦାବି କରିଛନ୍ତି। ସମ୍ପୂର୍ଣ୍ଣ ରଥ ଦାଣ୍ଡକୁ ପିଚୁ କିମ୍ବା ମଜବୁତ କଂକ୍ରିଟ୍‌ କରିବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe