୨୦ ବର୍ଷ ହେଲା ଜବରଦଖଲରେ ମେଘେଶ୍ବର କଲୋନି ପାର୍କ

Advertisment

ଚାଲିଛି ବିଡିଏ, ବିଏମ୍‌ସି ଚିଠି ଦିଆନିଆ

ଚାଲିଛି ବିଡିଏ, ବିଏମ୍‌ସି ଚିଠି ଦିଆନିଆ

୨୦ ବର୍ଷ ହେଲା ଜବରଦଖଲରେ ମେଘେଶ୍ବର କଲୋନି ପାର୍କ

ଭୁବନେଶ୍ବର: ଦୀର୍ଘ ୨୦ ବର୍ଷ ହେଲା ମେଘେଶ୍ବର କଲୋନିରେ ଥିବା ବିଡିଏ କମ୍ୟୁନିଟି ପାର୍କ ଜବରଦଖଲରେ ରହିଛି। ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ପାର୍କକୁ ଜବରଦଖଲକାରୀଙ୍କ କବଳରୁ ମୁକୁଳାଇବାକୁ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଆସୁଛି। କିନ୍ତୁ ପ୍ରଭାବଶାଳୀ ଜବରଦଖଲକାରୀଙ୍କ ନାଲି ଆଖି ଦେଖି ପଛଘୁଞ୍ଚା ଦେଇପଳାଉଛି ବୋଲି ଅଭିଯୋଗ ହେଉଛି। ସେହିଭଳି ପାର୍କର ରକ୍ଷଣାବେକ୍ଷଣ ପାଇଁ ବିଏମ୍‌ସି ଓ ବିଡିଏ ମଧ୍ୟରେ କେବଳ ଚିଠି ଦିଆନିଆ ଡ୍ରାମା ଚାଲିଛି ବୋଲି ଲୋକେ କହିଛନ୍ତି। ଗତ ୨୦ ବର୍ଷ ହେବ ଏଭଳି ଲୁଚକାଳି ଖେଳ ଚାଲିଥିବା ବେଳେ ଏହି ପାର୍କ କେବେ ଜବରଦଖଲମୁକ୍ତ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।

ସୂଚନାନୁଯାୟୀ ଭୁବନେଶ୍ବର ତହସିଲ ବାସୁଆଘାଇ ମୌଜା ଖାତା ନମ୍ବର ୩୯୦, ପ୍ଲଟ୍‌ ନମ୍ବର-୩ରେ ରହିଛି ବିଡିଏ କମ୍ୟୁନିଟି ପାର୍କ। ୧୯୯୧ ମସିହାରେ ବିଡିଏ ୨୦ ଲକ୍ଷ ଟଙ୍କା ବ୍ୟୟରେ ଏହି ପାର୍କ ନିର୍ମାଣ କରିଥି‌ଲା। ଏଥିରେ ବିଭିନ୍ନ ପ୍ରକାରର ଫୁଲ ଗଛ, ଘାସ ଗାଲିଚା ସହ ଫାଉଣ୍ଟେନ୍‌ ଓ ପିଲାଙ୍କ ପାଇଁ ଖେଳ ବ୍ୟବସ୍ଥା ରହିଥିଲା। କିନ୍ତୁ ୧୯୯୯ ମସିହା ମହାବାତ୍ୟାରେ ପାର୍କ ପୂରା ଉଜୁଡ଼ିଗଲା। ଏହାପରେ ବିଡିଏ ଏହାର ରକ୍ଷଣାବେକ୍ଷଣ କରିବା ବନ୍ଦ କରିଦେଲା। ଏହାର ଫାଇଦା ଉଠାଇଲେ ଜବରଦଖଲକାରୀମାନେ। ୨୦୦୪ ମସିହା ସୁଦ୍ଧା ପାର୍କର ପାଚେରି ଭାଙ୍ଗି କିଛି ବ୍ୟକ୍ତି ପାର୍କକୁ ପୂରା ନିଜ ଜବରଦଖଲକୁ ନେଇଗଲେ। ୨୦୦୫ ମସିହାରେ ବିଏମ୍‌ସି ଏହାକୁ କମ୍ୟୁନିଟି ପାର୍କ ଭାବେ ସଂରକ୍ଷିତ କରିବା ଲାଗି ଘୋଷଣା କଲା।

ସ୍ଥାନୀୟ ମେଘେଶ୍ବର କଲୋନି ଉନ୍ନୟନ କମିଟିକୁ ଏହି ପାର୍କର ରକ୍ଷଣାବେକ୍ଷଣ ଦାୟିତ୍ବ ଦେଲା। ଏଥିପାଇଁ ବିଏମ୍‌ସି ପାର୍କ ରକ୍ଷଣାବେକ୍ଷଣର ୧୦ ପ୍ରତିଶତ ଅର୍ଥ ଅର୍ଥାତ୍‌ ୫୭,୪୫୪ ଟଙ୍କା ଦାଖଲ କରିବାକୁ ଚିଠି ଲେଖିଥିଲା। କିନ୍ତୁ ପାର୍କକୁ ପ୍ରଥେମ ଜବରଦଖଲମୁକ୍ତ କରି ଦେବାକୁ କମିଟି ବିଏମ୍‌ସିକୁ ଚିଠି ଲେଖିଥିଲା। ଅଧିକାରୀମାନେ ପାର୍କ ବୁଲି ଦେଖିଲେ, କିନ୍ତୁ ଜବରଦଖଲ ଉଚ୍ଛେଦ ନକରି ଚାଲିଗଲେ। ପରେ ବିଡିଏ ପାର୍କ ସମ୍ମୁଖରେ ଏକ ବୋର୍ଡ ଲଗାଇ ସେଥିରେ ‘ଏହା ଓଡ଼ିଶା ସରକାରଙ୍କ ସମ୍ପତ୍ତି, ଅନଧିକାର ପ୍ରବେଶ ଦଣ୍ଡନୀୟ’ ବୋଲି ଲେଖି ନିଜର କାମ ସାରିଦେଲା।

ଅନ୍ୟପଟେ ମେଘେଶ୍ବର କଲୋନି ଉନ୍ନୟନ କମିଟି ଓ ସ୍ଥାନୀୟ ଲୋକେ ଏହାକୁ ଜବରଦଖଲ ମୁକ୍ତ କରିବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଡିଏ, ବିଏମ୍‌ସିକୁ ବାରମ୍ବାର ଚିଠି ଲେଖିଛନ୍ତି। ବିଡିଏ ଅଧିକାରୀଙ୍କ ସହ ବାରମ୍ବାର ବୈଠକ କରିଛନ୍ତି। କିନ୍ତୁ କେହି କର୍ଣ୍ଣପାତ କଲେ ନାହିଁ। ତେଣୁ ସ୍ଥାନୀୟ ଲୋକ ଆନ୍ଦୋଳନ ପାଇଁ ସଜବାଜ ହେଲେ। ୨୦୨୦ ମସିହାରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ବିଡିଏ ପୁଣି ବିଏମ୍‌ସିକୁ ଚିଠି ଲେଖିଥିଲା। ହେଲେ ପୂର୍ବ ପରି ସବୁ କିଛି ଫାଇଲ୍‌ ତଳେ ଚପି ଗଲା। କିଛି ମାସ ତଳେ ପୁଣି ଏକ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜବରଦଖଲ ଉଚ୍ଛେଦ କରିବାକୁ ଆସିଥିଲେ। ହେଲେ ଜବରଦଖଲକାରୀଙ୍କ ନାଲି ଆଖି ଦେଖି ସ୍କ୍ବାଡ୍‌ ପଛଘୁଞ୍ଚା ଦେଇଥିଲା। ଏସମ୍ପର୍କରେ ଜେଡ୍‌ଡିସି ପ୍ରିୟବ୍ରତ ପାଢ଼ୀ କହିଛନ୍ତି ପାର୍କ ବାସୁଆଘାଇ ମୌଜାରେ ଥିବାରୁ ବିଏମ୍‌ସି କିଛି କରିପାରିବନାହିଁ। ବିଡିଏ ପାର୍କ ନିର୍ମାଣ କରିଥିଲା। ତେଣୁ ପାର୍କକୁ ବିଡିଏ ହିଁ ଜବରଦଖଲ ମୁକ୍ତ କରିପାରିବ। ମେଘେଶ୍ବର ଉନ୍ନୟନ କମିଟିର ସଭାପତି ସଂଗ୍ରାମ କେଶରୀ ନାୟକ କହିଛନ୍ତି ବିଡିଏର ଅପାରଗତା ଓ ଅସହଯୋଗ ଯୋଗୁ ଉଚ୍ଛେଦ ହୋଇପାରୁନାହିଁ। ଆମେ ବାରମ୍ବାର ଚିଠି ଲେଖିଛୁ। କିନ୍ତୁ ଆମ ଚିଠିକୁ ବିଡିଏ ଅଧିକାରୀ ହଜେଇ ଦିଅନ୍ତି। ଅଧିକାରୀଙ୍କ ସହ ୩୦ରୁ ଅଧିକ ଥର ବୈଠକ ସରିଛି। କିନ୍ତୁ ଜବରଦଖଲକାରୀଙ୍କ ଚାପ ଆଗରେ ଅଧିକାରୀମାନେ ମୁଣ୍ଡ ନୁଆଁଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe