ଚତୁର୍ଦ୍ଧାମୂର୍ତ୍ତିଙ୍କୁ ହୁଳହୁଳିରେ ମେଲାଣି

Advertisment
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ହୁଳହୁଳିରେ ମେଲାଣି

ଭୁବନେଶ୍ବର: ଗୁଣ୍ଡିଚା ମନ୍ଦିରରେ ନବଦିନ ରହିବା ପରେ ଶନିବାର ମହାପ୍ରଭୁ ସ୍ବ ମନ୍ଦିରକୁ ବାହୁଡ଼ିଛନ୍ତି। ଏହି ଉପଲକ୍ଷେ ବାଟରେ ମାଉସୀ ମା’ ମେଲାଣି ପରସିଥିବା ବିଧି ରହିଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ବାହୁଡା ଯାତ୍ରାରେ କିଏ ହାତଯୋଡ଼ି ଲୁହରେ ମେଲାଣି ଦେଇଥିଲେ ତ ଆଉ କିଏ ବାଟରେ ଭୋଗ ନୈବେଦ୍ୟ ବାଢ଼ି ମେଲାଣି ଦେଇଥିବା ଦେଖାଯାଇଥିଲା।

ଭିଏସ୍‌ଏସ୍‌ନଗର

ବୀର ସୁରେନ୍ଦ୍ର ସାଏ ଭୁବନେଶ୍ୱରୀ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଆଜି ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ନେଇ ରଥ ଅପରାହ୍‌ଣରେ ଆଡ଼ପ ମଣ୍ଡପରୁ ବାହାରି ସନ୍ଧ୍ୟାରେ ଭୁବନେଶ୍ବରୀ ମନ୍ଦିର ପରିସରରେ ପହଞ୍ଚିଥିଲା। ଅନୁଷ୍ଠାନର ସଭା‌ପତି ଜୟନ୍ତ ପରିଡ଼ା ଛେରାପହଁରା କରିଥିବା ବେଳେ ସାଧାରଣ ସମ୍ପାଦକ ପ୍ରତାପ ନନ୍ଦ ପହଣ୍ଡି ନୀତି କରିଥି‌ଲେ। ଉପସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ଦିଲ୍ଲୀପ ଦାଶଶର୍ମାଙ୍କ ସମତେ ବହୁ ସଦସ୍ୟ ଓ ସ୍ୱେଚ୍ଛାସେବୀ ସହଯୋଗ କରିଥିଲେ।

ଶ୍ରୀବାଣୀକ୍ଷେତ୍ର

କିସ୍‌ ଶ୍ରୀବାଣୀ କ୍ଷେତ୍ରରେ ବାହୁଡ଼ା ଯାତ୍ରା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଶିଖରଚଣ୍ଡୀରେ ନବନିର୍ମିତ ମାଉସୀମା ମନ୍ଦିରରେ ଆଜି ସକାଳୁ ବାହୁଡ଼ା ନୀତିକାନ୍ତି ଆରମ୍ଭ ହୋଇଥିଲା। ରଥପୂଜା ଓ ପହଣ୍ଡି ଆଦି ନୀତିକାନ୍ତି ସଂପନ୍ନ ହେବା ପରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରାୟ ଅପରାହ୍ନ ୩ଟାରେ ଛେରା ପହଁରା କରିଥିଲେ। ଅପରାହ୍‌ଣ ୪ଟାରେ ଭକ୍ତମାନେ ରଥ ଟାଣିବା ଆରମ୍ଭ କରିଥିଲେ। ମହିଳା ଶ୍ରଦ୍ଧାଳୁମାନେ ଦେବୀ ସୁଭଦ୍ରାଙ୍କ ରଥ ଟାଣିଥିଲେ। ସନ୍ଧ୍ୟା ସୁଦ୍ଧା ତିନି ରଥ ଶ୍ରୀବାଣୀ କ୍ଷେତ୍ରରେ ଲାଗିଥିଲା। ଏହି ବାହୁଡ଼ା ଯାତ୍ରା ଦେଖିବା ଲାଗି ସ୍ଥାନୀୟ ଅଞ୍ଚଳରୁ ପ୍ରାୟ ୩୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା। ଘଣ୍ଟ, ମର୍ଦ୍ଦଳ ଧ୍ୱନୀ ଓ ହୁଳହୁଳିରେ ରଥଦାଣ୍ଡ କମ୍ପି ଉଠିଥିଲା।

ପଟିଆ ଓ ଶୈଳଶ୍ରୀବିହାର

publive-image

ବାହୁଡ଼ା ଯାତ୍ରା ଅବସରରେ ପଟିଆ ଓ ଶୈଳଶ୍ରୀବିହାର ଜଗନ୍ନାଥ ମନ୍ଦିର ଆଜି ବେଶ୍ ଚଳଚଞ୍ଚଳ ହୋଇଉଠିଥିଲା। ଆଜି ସକାଳେ ଗୁଣ୍ଡିଚା ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସମ୍ପନ୍ନ ହେବା ପରେ ଆଡ଼ପ ପୂଜା ବିଧି ଅନୁଷ୍ଠିତ ହୋଇଥିଲା। ପରେ ତିନି ଠାକୁରଙ୍କୁ ପହଣ୍ଡି କରି ରଥ‌‌ରେ ବିଜେ କରାଯାଇଥିଲା। ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ ହୋଇଥିଲା। ସଂଧ୍ୟା ସୁଦ୍ଧା ରଥାରୂଢ଼ ଠାକୁର ମନ୍ଦିରରେ ପହଞ୍ଚି ଯାଇଥିଲେ। ଆଜି ରଥରେ ଠାକୁରମାନେ ରହିବାକୁ ଥିବାରୁ ସନ୍ଧ୍ୟାରେ ମନ୍ଦିର ନିକଟରେ ଭଜନ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପୁରୁଣା ଭୁବନେଶ୍ୱର

publive-image

ପୁରୁଣା ଭୁବନେଶ୍ୱରରେ ଶ୍ରୀଜଗନ୍ନାଥ ରଥଯାତ୍ରା କମିଟି ପକ୍ଷରୁ ଅନୁଷ୍ଠିତ ବାହୁଡ଼ା ଯାତ୍ରା ଅବସରରେ ଗଙ୍ଗା ଯମୁନା ମନ୍ଦିର ନିକଟରୁ ତିନି ଠାକୁର ବାହାରି ପହଣ୍ଡି ହୋଇ ରଥକୁ ଆସିଥିଲେ। ପରେ କୁନିକୁନି ପିଲାଙ୍କ ଦ୍ୱାରା ରଥଟଣା ହୋଇଥିଲା। ରଥ ଜମେଶ୍ୱର ପାଟଣାସାହିଠାରେ ପହଞ୍ଚିଥିଲା। କମିଟିର ସଭାପତି କର୍ପୋରେଟର୍‌ ଶିବ ପ୍ରସାଦ ବେହେରା, ସମ୍ପାଦକ ବସନ୍ତ କୁମାର ସମର୍ଥା ଓ ସଭ୍ୟମାନେ ଉପସ୍ଥିତ ଥିଲେ। ସେହିପରି ପଳାଶପଲ୍ଲୀ ସାଇ କ୍ଷେତ୍ରରେ, ପୁରୁଣା ଭୁବନେଶ୍ବର ମଠସାହିରେ, କପିଳେଶ୍ବରରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୁରୁଣା ଭୁବନେଶ୍ୱରର ଘୋଷଯାତ୍ରା କମିଟି ପକ୍ଷରୁ ମାଉସୀ ମା’ ମନ୍ଦିର ରାମେଶ୍ବର ବାରିକସାହି ନିକଟ ହନୁମାନ ମନ୍ଦିର ନିକଟରୁ ରଥ ବାହାରି ବଡ଼ଦାଣ୍ଡ ସାହିଠାରେ ପହଞ୍ଚିଥିଲା। କମିଟି ସଭାପତି ଶକ୍ତି ପ୍ରସାଦ ସାହୁ, ସମ୍ପାଦକ ସୁଶୀଲ ପ୍ରହରାଜ ଓ ସଭ୍ୟମାନେ ପରିଚାଳନା କରିଥିଲେ।

ବାଲିପାଟଣା

ବିଧି ଅନୁସାରେ ଆଜି ବାଲିପାଟଣାର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଯାଇଛି। ବାଲିପାଟଣା ବଜାରରେ ଜଗନ୍ନାଥଙ୍କ ବାହୁଡ଼ା ରଥଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା। ପହଣ୍ଡି ପରେ ଅପରାହ୍‌ଣରେ ରଥ ଟଣା ହୋଇ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe