Sambad English
ପୁରୁଣା ଭୁବନେଶ୍ୱର: ଗତ କିଛି ଦିନ ହେଲା ଏକାମ୍ର କ୍ଷେତ୍ରରେ ବୁଲୁଥିବା ଜଣେ ମାନସିକ ବିକୃତ ଯୁବକ ଏକ ଭୟାନକ କାଣ୍ଡ ଘଟାଇ ଚାଲିଛି। ରାସ୍ତା କଡ଼ରେ ପରିସ୍ରା କରୁଥିବା ଲୋକଙ୍କୁ ପଛରୁ ଲୁହା ରଡ୍ରେ ପିଟି ଲହୁଲୁହାଣ କରୁଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ଜଣ ଏଭଳି ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ଫଳରେ ଏବେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଦେଖାଦେଇଛି।
ବିଏମ୍ସି ହସ୍ପିଟାଲ୍ ଅଞ୍ଚଳର ଲୋକଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ଉକ୍ତ ମାନସିକ ରୋଗୀଟି ଏଠାରେ ବୁଲାଚଲା କରୁଛି। ବହୁ ସମୟରେ ବିଭିନ୍ନ ଅଳିଆ ଗଦାରୁ ଖୋଜି ଖୋଜି ଖାଦ୍ୟ ଖାଉଛି। ବେଳେବେଳେ କେହି କିଛି ଦେଲେ ତାହା ବି ଖାଉଛି। ବିଏମ୍ସି ହସ୍ପିଟାଲ୍ ନିକଟରେ ଶୋଉଛି। ଅଣ୍ଟାରେ ଏକ ବ୍ୟାଗ୍ ଝୁଲାଇଛି ଓ ସେଥିରେ ରହିଛି ୩ଟି ଲୁହା ରଡ୍ ରଖିଛି। ବୁଲାଚଲା କଲା ବେଳେ ଗୋଟିଏ ଲୁହା ରଡ୍ ହାତରେ ଧରି ବୁଲୁଛି। ଯଦି କୌଣସି ବ୍ୟକ୍ତି ବାହାରେ ଖୋଲା ସ୍ଥାନରେ ପରିସ୍ରା କରୁଥିବା ଦେଖୁଛି, ସେ ତାଙ୍କୁ ଆକ୍ରମଣ କରୁଛି। ପରିସ୍ରା କରୁଥିବା ଲୋକଙ୍କୁ ପଛରୁ ଲୁହା ରଡ୍ରେ ପିଟି ଦଉଛି। ଆଜି ବିଏମ୍ସି ହସ୍ପିଟାଲ୍କୁ ଆସିଥିବା ୨ଜଣ ବ୍ୟକ୍ତି ଏପରି ଆକ୍ରମଣର ଶିକାର ହୋଇଛନ୍ତି।
ଧଉଳି ଅଞ୍ଚଳର ମାଧବ ପ୍ରଧାନ ପାପନାଶିନୀ ପୁଷ୍କରିଣୀ ନିକଟ ଖୋଲା ସ୍ଥାନରେ ପରିସ୍ରା କରୁଥିବା ବେଳେ ତାଙ୍କ ମୁଣ୍ଡକୁ ଉକ୍ତ ମାନସିକ ରୋଗୀ ଆକ୍ରମଣ କରିଥିଲା। କିନ୍ତୁ ସୌଭାଗ୍ୟକୁ ତାଙ୍କ କାନ୍ଧରେ ଏହି ପାହାର ବାଜିଥିଲା। ସେହିପରି ପୁରୁଣା ଭୁବନେଶ୍ବରର ମହେଶ ବେହେରା ସେମିତି ଆକ୍ରମଣର ଶିକାର ହେଉ ହେଉ ଅଳ୍ପକେ ବର୍ତ୍ତି ଯାଇଥିଲେ। କିଛି ଦିନ ପୂର୍ବେ ସ୍ଥାନୀୟ ଅଞ୍ଚଳର ରମେଶ ମହାପାତ୍ରଙ୍କୁ ମଧ୍ୟ ଏହି ମାନସିକ ରୋଗୀ ପଛପଟୁ ଲୁହା ରଡ୍ରେ ଆକ୍ରମଣ କରିଥିଲା। ସ୍ଥାନୀୟ ଓମଫେଡ୍ ବ୍ୟବସାୟୀ ବଲ୍ଲଭ ସାହୁ, ଜଳଖିଆ ଦୋକାନୀ ଲକ୍ଷ୍ମୀଧର ବିଶୋୟୀ, ସୁଆର ସେବାୟତ ବାପୁନି ମହାପାତ୍ର, ଏକ କଲ୍ୟାଣ ମଣ୍ଡପର କେୟାର୍ ଟେକର ମାଧବ ନାୟକଙ୍କ ଭଳି ଅନେକ ବ୍ୟକ୍ତି ଉକ୍ତ ମାନସିକ ବିକୃତ ବ୍ୟକ୍ତିର ଆକ୍ରମଣରେ ଆହତ ହୋଇଥିବା କହିଛନ୍ତି। ବିଏମ୍ସି କର୍ତ୍ତୃପକ୍ଷ ତୁରନ୍ତ ଏହି ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବାକୁ ଏକାମ୍ର ମୁରବୀ ମଞ୍ଚର ଉପଦେଷ୍ଟା ଦୀପକ ମହାପାତ୍ର ଦାବି କରିଛନ୍ତି। ଏହି ମାନସିକ ରୋଗୀ ଆକ୍ରମଣରେ କେତେବେଳେ ହୁଏତ ବଡ଼ଧରଣର ଅଘଟଣ ଘଟିବ ବୋଲି ଆଶଙ୍କା କରି ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହୁଥିବା କହିଛନ୍ତି।
Follow Us