ଭୁବନେଶ୍ବର: ସକାଳ ୭ଟା ବାଜିବା ବେଳକୁ ଆରମ୍ଭ ହୋଇଯାଉଛି ଟାଇଁ ଟାଇଁ ଖରା। ୮ଟା ସୁଦ୍ଧା ଆରମ୍ଭ ହୋଇଯାଉଛି ମୁଣ୍ଡଫଟା ଖରା। ୯ଟା ବେଳକୁ ବହୁଛି ଗରମ ପବନ। ୧୦ଟା ବେଳକୁ ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ୁଛି। ସପ୍ତାହେ ହେଲା ୪୦ ଡିଗ୍ରି ତଳକୁ ଖସୁନି ପାରଦ। ବାୟୁମଣ୍ଡଳର ଆର୍ଦ୍ରତା ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି। ଝାଞ୍ଜି ପବନ ମାଡ଼ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ଏପ୍ରିଲ ୧୫ ତାରିଖଠାରୁ ଭୁବନେଶ୍ବର ସହରର ପାରଦ ୪୦ ଡିଗ୍ରି ଉପରେ ରହୁଛି। ଶେଷଥର ପାଇଁ ଏପ୍ରିଲ ୧୪ରେ ରାଜଧାନୀର ତାପମାତ୍ରା ୩୯.୬ ଡିଗ୍ରି ଥିଲା। ଏହାପରେ ଆଉ ୪୦ ଡିଗ୍ରି ତଳକୁ ଖସି ନାହିଁ। ସକାଳୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅସହ୍ୟ ଗରମ ହେଉଛି। ସକାଳ ସାଢ଼େ ୮ଟା ବେଳକୁ ତାପମାତ୍ରା ୩୨ ଡିଗ୍ରି ଡେଇଁଯାଉଥିବା ବେଳେ ପୂର୍ବାହ୍ନ ସାଢ଼େ ୧୧ ବେଳକୁ ୩୮ ଡିଗ୍ରି ପାଖାପାଖି ପହଞ୍ଚୁଛି। ମଧ୍ୟାହ୍ନ ବେଳକୁ ଆକାଶରୁ ଯେମିତି ନିଆଁ ବର୍ଷା ହେଉଛି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ମଣିଷଙ୍କଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପର୍ଯ୍ୟନ୍ତ ସମସ୍ତେ ଖରାରେ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି। ବାହାର ଅବସ୍ଥା ତ ଅସହ୍ୟ ହୋଇପଡ଼ୁଛି, ଘର ଭିତରେ ବି କିଛି କମ୍ ଗରମ ହେଉନାହିଁ। ପଙ୍ଖାରୁ ବାହାରୁଛି ଗରମ ପବନ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଆସନ୍ତା ସପ୍ତାହକ ଯାଏଁ ପାରଦ ୪୦ ଡିଗ୍ରି କିମ୍ବା ଅଧିକ ରହିବ। ରବିବାର ପରି ସୋମବାର ମଧ୍ୟ ତାପମାତ୍ରା ୪୧ ଡିଗ୍ରି ରହିବ। ୨୨, ୨୩ ଓ ୨୪ ତାରିଖରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇପାରେ। ୪୦ ଡିଗ୍ରି ତଳକୁ ଖସିବା ସମ୍ଭାବନା ରହିଛି। କିନ୍ତୁ ୨୫ ତାରିଖ ପରଠୁ ପୁଣି ଥରେ ପାରା ଉପରମୁହାଁ ହେବ। ୨୭ ତାରିଖ ବେଳକୁ ୪୩ ଡିଗ୍ରି ଛୁଇଁପାରେ। ବଡ଼ କଥା ହେଉଛି ମାସର ଶେଷ ଆଡ଼କୁ ପାରଦ ୪୫ ଡିଗ୍ରି ଡେଇଁଯିବ ବୋଲି ଅନୁମାନ କରାଯାଉଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ପଶ୍ଚିମା/ଉତ୍ତର ପଶ୍ଚିମା ଶୁଷ୍କ ପବନ ସାଙ୍ଗକୁ ଭୁବନେଶ୍ବରରେ ଯାନବାହନ ବୃଦ୍ଧି, ଏସିରୁ ନିର୍ଗତ ଗ୍ୟାସ୍ ଯୋଗୁଁ ତାପମାତ୍ରା ବଢ଼ୁଛି। କାଳବୈଶାଖୀଜନିତ ବର୍ଷା ହେତୁ ଭୁବନେଶ୍ବର ଓ ଖୋର୍ଦ୍ଧାରେ ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ସାମାନ୍ୟ କମିବାକୁ ଥିଲେ ମଧ୍ୟ ୪୦ ଡିଗ୍ରି ରହିବ। ୨୫ ତାରିଖରୁ ସାରା ରାଜ୍ୟରେ ତାପମାତ୍ରା ବଢ଼ିବ। ଭୁବନେଶ୍ବର ତାପମାତ୍ରା ୪୬ ଡିଗ୍ରି ଅତିକ୍ରମ କରିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ପଶୁପାଳକ ସତର୍କ କରାଇଛନ୍ତି।
Follow Us