ଶାନ୍ତିସ୍ତୂପରେ ଶାନ୍ତିର ବାର୍ତ୍ତାବହ ସ୍ୱଧର୍ମ ପୀଠ: ମାଧବ ପୂଜାରେ ହିନ୍ଦୁ, ମୁସଲମାନ୍‌ ଓ ଖ୍ରୀଷ୍ଟିଆନ୍‌

Advertisment
ଶାନ୍ତିସ୍ତୂପରେ ଶାନ୍ତିର ବାର୍ତ୍ତାବହ ସ୍ୱଧର୍ମ ପୀଠ: ମାଧବ ପୂଜାରେ ହିନ୍ଦୁ, ମୁସଲମାନ୍‌ ଓ ଖ୍ରୀଷ୍ଟିଆନ୍‌

ଧଉଳି : ସର୍ବଧର୍ମ ସମନ୍ବୟର ସ୍ଥଳ ଭାରତବର୍ଷରେ ଦେଖିବାକୁ ମିଳେ ବିଭେଦତା ଭିତରେ ଏକତା। ଏଠାରେ ହିନ୍ଦୁ, ମୁସ୍‌ଲିମ, ଶିଖ୍‌, ଇସାଇ, ଜୈନ, ବୌଦ୍ଧ ଭଳି ବିବିଧ ଧର୍ମର ଲୋକେ ଗୋଟିଏ ସୂତାରେ ବାନ୍ଧି ହୋଇ ବିଶ୍ବକୁ ଭାଇଚାରର ବାର୍ତ୍ତା ଦେଇ ଆସୁଛନ୍ତି। ଭାରତର ବହୁ ସ୍ଥାନରେ ବିଭିନ୍ନ ଧର୍ମାବଲମ୍ବୀମାନେ ଏକାଠି ପର୍ବ ପାଳନ କରିବାର ପ୍ରାଚୀନ ପରମ୍ପରା ବିଶ୍ବବାସୀଙ୍କୁ ଆଶ୍ଚର୍ଯ୍ୟ କରେ। ସେମିତି ଏକ ସ୍ଥାନ ହେଉଛି ଧଉଳି। ଶାନ୍ତିସ୍ତୂପ ପାଇଁ ବିଶ୍ବବିଦିତ ପର୍ଯ୍ୟଟନସ୍ଥଳ ଧଉଳିଗିରିରେ ରହିଛି ଏମିତି ଏକ ପୀଠ ଯେଉଁଠି ତିନି ପ୍ରମୁଖ ଧର୍ମାବଲମ୍ବୀ ହିନ୍ଦୁ, ମୁସ୍‌ଲିମ ଓ ଖ୍ରୀଷ୍ଟିଆନମାନେ ବିଶ୍ବଶାନ୍ତି ମହାଯଜ୍ଞ‌ ଆୟୋଜନ କରନ୍ତି। ସ୍ବଧର୍ମ ପୀଠ ବା ମାଧବ ବିଜୟମାନ କ୍ଷେତ୍ର ନାମରେ ପରିଚିତ ଏହି ପୀଠ ପରିସରରେ ରହିଛି ତିନି ଧର୍ମର ଆରାଧ୍ୟ ଦେବତାଙ୍କ ପ୍ରାର୍ଥନାସ୍ଥଳ। ଚର୍ଚ୍ଚ ଓ ମସ୍‌ଜିଦ ସହ ରହିଛି ହିନ୍ଦୁ ମନ୍ଦିର। ଭାରତରେ ଏଭଳି ଏକ ପୀଠ ବିରଳ ବୋଲି କୁହାଯାଏ।

ଧଉଳି ଶାନ୍ତିସ୍ତୂପକୁ ଯିବା ରାସ୍ତାରେ ମୁଖ୍ୟରାସ୍ତାର ବାମ ପାର୍ଶ୍ବକୁ ପାଖାପାଖି ଦୁଇ ଶହ ମିଟର ଦୂରରେ ପଡ଼େ ସ୍ବଧର୍ମ ପୀଠ ବା ମାଧବ ବିଜୟମାନ କ୍ଷେତ୍ର। ଏହି ପୀଠର ପରିସରରେ ପୂଜା ପାଉଛନ୍ତି ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀମାନଙ୍କ ଆରାଧ୍ୟ ଦେବତା। ମଝି ମନ୍ଦିରରେ ପୂଜା ପାଉଛନ୍ତି ବିଷ୍ଣୁଙ୍କ ଅବତାର ହୈରଗ୍ରୀବଙ୍କ ମୂର୍ତ୍ତି। ଉକ୍ତ ମନ୍ଦିରରେ ବିଷ୍ଣୁ, ଜଗନ୍ନାଥ ଓ ବୁଦ୍ଧଙ୍କ କାଠନିର୍ମିତ ମୂର୍ତ୍ତି ପୂଜା ପାଉଛନ୍ତି। ମନ୍ଦିର ଆଗରେ ଶୋଭା ବଢ଼ାଉଛି ଗରୁଡ଼ଖମ୍ବ ଓ ଜଟାୟୁଙ୍କ ମୂର୍ତ୍ତି। ହୈରଗ୍ରୀବ ମନ୍ଦିରର ଗୋଟିଏ ପାର୍ଶ୍ବରେ ରହିଛି ଚର୍ଚ୍ଚ ଓ ଅନ୍ୟ ପାର୍ଶ୍ବରେ ରହିଛି ମସ୍‌ଜିଦ। ଧଉଳି ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଏହି ପୀଠକୁ ଦେଖି ବିସ୍ମିତ ହୁଅନ୍ତି। ଶାନ୍ତି, ମୈତ୍ରୀ ଓ ଭାତୃତ୍ବ ଭାବନାର ବାର୍ତ୍ତା ବାଣ୍ଟୁଥିବା ଏହି ପୀଠ ନ ଦେଖିଲେ, ଧଉଳି ଭ୍ରମଣ ଅଧୁରା ରହିଯାଏ।

ବଡ଼ କଥା ହେଉଛି ବୈଶାଖ ମାସରେ ଏଠାରେ ଆୟୋଜିତ ହୁଏ ବିଶ୍ବଶାନ୍ତି ମହାଯଜ୍ଞ। ତିନି ଧର୍ମର ଲୋକେ ଏକାଠି ହୋଇ ଏହି ମହାଯଜ୍ଞ କରନ୍ତି। ଯଜ୍ଞକୁଣ୍ଡରେ ଘିଅ ବଦଳରେ ପଞ୍ଚ ଶସ୍ୟର ଜଡ଼ିବୁଟି ଜ‌ାଳେଣି ଭାବେ ବ୍ୟବହାର କରାଯାଏ। ସମସ୍ତେ ଏକାଠି ବସି ପ୍ରସାଦ ସେବନ କରନ୍ତି। ‌ସେହିଭଳି ଏଠାରେ ରଜ, ପଣାସଂକ୍ରାନ୍ତି, ଦୋଳ, ହୋଲି, ଦୀପାବଳି, ଇଦ୍‌ ଓ ବଡ଼ଦିନ ପାଳନ ହୁଏ। ସବୁ ପର୍ବରେ ସବୁ ଧର୍ମର ଲୋକେ ଏକାଠି ହୁଅନ୍ତି।

ସୂଚନାଯୋଗ୍ୟ, କଟକ ବୟାଳିଶିମୌଜା ଅଞ୍ଚଳର ବାବା ବୈଷ୍ଣବ ଚରଣ ଦେବତାଙ୍କ ଦ୍ବାରା ଏହି ପୀଠ ୨୦୦୩ ମସିହାରେ ପ୍ରତିଷ୍ଠା ହୋଇଥିଲା। ଶାନ୍ତିସ୍ତୂପରେ ଶାନ୍ତିର ବାର୍ତ୍ତା ବାଣ୍ଟିବା ଲକ୍ଷ୍ୟରେ ବାବା ବୈ‌ଷ୍ଣବ ଏହାକୁ ପ୍ରତିଷ୍ଠା କରିଥିଲେ। ପ୍ରାୟ ଦେଢ଼ ଏକର ଜମିରେ ନିର୍ମିତ ଏହି ପୀଠ ସେହି ଦିନରୁ ଭାରତର ଏକ ଅନନ୍ୟ ପୀଠ ହୋଇ ଠିଆ ହୋଇଛି। କିନ୍ତୁ ବାବା ବୈଷ୍ଣବ ଏବେ ୯୬ ବର୍ଷ ବୟସରେ ଉପନୀତ। ଅସୁସ୍ଥତା ହେତୁ ଏବେ ଘରେ ରହୁଛନ୍ତି। ପୀଠର ପରିଚାଳନାରେ ଅଛନ୍ତି ସ୍ଥାନୀୟ ଅଞ୍ଚଳର ବିବେକାନନ୍ଦ ପ୍ରଧାନ। ତାଙ୍କ କହିବାନୁଯାୟୀ, ଏହି ପୀଠ ଥିଲା ବାବା ବୈଷ୍ଣବଙ୍କର ସାଧନାର ସ୍ଥଳ। ଧଉଳି ମାଟିର ମାହାତ୍ମ୍ୟ ନିଆରା। ଏଠି ଚଣ୍ଡାଶୋକ ଧର୍ମଶୋକରେ ପରିଣତ ହୋଇଥିଲେ। ତେଣୁ ବାବା ବୈଷ୍ଣବ ଏହି ସ୍ଥାନକୁ ତାଙ୍କ ସାଧାନର ସ୍ଥଳ ଭାବେ ଗ୍ରହଣ କରି ବିଶ୍ବକୁ ଭାତୃତ୍ବର ବାର୍ତ୍ତା ଦେଉଥିଲେ। ମାଧବ ସେବା ହେଉଛି ପ୍ରକୃତ ମାନବ ଧର୍ମ ବୋଲି ସେ ପୀଠର ନାମକରଣ କରିଥିଲେ ମାଧବ ବିଜୟମାନ କ୍ଷେତ୍ର। ତେବେ ବାବାଙ୍କ ଅସୁସ୍ଥତା କାରଣରୁ ଏହି ପୀଠ ଏବେ ଅବହେଳିତ ଅବସ୍ଥାକୁ ଆସିଗଲାଣି। ଏବେ ପୀଠର ଉନ୍ନତି ପାଇଁ ସରକାରୀ ସହାୟତା ଜରୁରୀ ବୋଲି ବିବେକାନନ୍ଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe