ମେଟ୍ରୋ ରେଳ ପ୍ରକଳ୍ପ: ଟ୍ରାଫିକ୍‌ ଶୃଙ୍ଖଳା ପାଇଁ ବଦଳିଲା ଡିଜାଇନ୍‌

Advertisment

ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପ ଧାର୍ଯ୍ୟ ଅବଧିରେ ସାରିବା ପାଇଁ ଲାଗିପଡ଼ିଛି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ(ବିଏମ୍‌ଆରସି)। ମାଟି ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଟ୍ରାଫିକ୍‌ ଯେଭଳି ଶୃଙ୍ଖଳିତ ହେବ ସେ ଡିଜାଇନ୍‌ ବଦଳିଛି।

ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପ ଧାର୍ଯ୍ୟ ଅବଧିରେ ସାରିବା ପାଇଁ ଲାଗିପଡ଼ିଛି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ(ବିଏମ୍‌ଆରସି)। ମାଟି ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଟ୍ରାଫିକ୍‌ ଯେଭଳି ଶୃଙ୍ଖଳିତ ହେବ ସେ ଡିଜାଇନ୍‌ ବଦଳିଛି।

Metro Train

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ମେଟ୍ରୋ ରେଳ ପ୍ରକଳ୍ପ ଧାର୍ଯ୍ୟ ଅବଧିରେ ସାରିବା ପାଇଁ ଲାଗିପଡ଼ିଛି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ(ବିଏମ୍‌ଆରସି)। ମାଟି ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଟ୍ରାଫିକ୍‌ ଯେଭଳି ଶୃଙ୍ଖଳିତ ହେବ ସେ ଡିଜାଇନ୍‌ ବଦଳିଛି। ମାଟି ପରୀକ୍ଷା ଓ ଖୁମ୍ବ ପୋତିବା ପାଇଁ ରାସ୍ତାର ପ୍ରାୟ ୫୦ ପ୍ରତିଶତ ପ୍ରଭାବିତ ହେଉଥିବାରୁ ଶିଶୁଭବନରୁ ରଘୁନାଥପୁର ଜାଲି ପର୍ଯ୍ୟନ୍ତ ରାସ୍ତାକୁ (ଉଭୟ ପାର୍ଶ୍ବରେ) ୨ରୁ ୩ ମିଟର ପର୍ଯ୍ୟନ୍ତ ଚଉଡ଼ା ହେଉଛି। ଏହି ପ୍ରକ୍ରିୟା ପଟିଆରେ ଆରମ୍ଭ ହୋଇଛି। ଅନ୍ୟପଟେ ରାସ୍ତାକଡ଼ ଓ ମାଟି ତଳେ ଥିବା ବିଭିନ୍ନ ସେବାପାଇଁ ଭିତ୍ତିଭୂମି ସ୍ଥାନାନ୍ତର କରିବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ଭେ ସରିବା ସହ ବିଏମ୍‌ଆର୍‌ସି‌ରେ ରିପୋର୍ଟ ଦାଖଲ ହୋଇଛି। ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ରେଳ ଧାରଣା ମାଟିରୁ ୧୩ ମିଟର ଉଚ୍ଚାରେ ଯିବ। ଏୟାରପୋର୍ଟରୁ ତ୍ରିଶୂଳିଆ ଯିବା ବେଳେ ଏହି ଧାରଣା ରାଜମହଲ ଓ ଜୟଦେବ ବିହାର ଫ୍ଲାଏଓଭର ଓ ବାରଙ୍ଗ ଆରଓବି ଉପର ଦେଇ ଯିବ। ଏଣୁ ସେହି ଅନୁପାତରେ ଉଭୟ ସ୍ଥାନରେ ଡିଜାଇନ୍‌ କରାଯାଇଥିବା ସୂଚନା ମିଳିଛି। 

ଶିଶୁଭବନରୁ ରଘୁନାଥପୁର ଜାଲି ଯାଏଁ ଚଉଡ଼ା ହେବ ରାସ୍ତା
୧୩ ଟ୍ରେନ୍‌ କିଣିବ ବିଏମ୍‌ଆର୍‌ସି
ରାଜମହଲ, ଜୟଦେବବିହାର, ବାରଙ୍ଗ ଆର୍‌ଓବି ଉପରେ ଯିବ ଧାରଣା

୨୦୨୭ ମସିହା ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ (ପ୍ରଥମ ପର୍ଯ୍ୟାୟ) କାମ ସାରିବା ପାଇଁ ଧାର୍ଯ୍ୟ ହୋଇଛି। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରଖିଛି ବିଏମ୍‌ଆର୍‌ସି। ଏହି ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ରେଳପଥ ବିଛା କାର୍ଯ୍ୟକୁ ୩ଟି ପ୍ୟାକେଜ୍‌ କରାଯାଇଛି। ପ୍ରଥମ ପ୍ୟାକେଜ୍‌ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରୁ ଜନପଥ ଦେଇ ଆଚାର୍ଯ୍ୟବିହାର ପର୍ଯ୍ୟନ୍ତ ରହିଛି। ଅର୍ଥାତ୍‌ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ଛକରୁ ଏଜି ଛକ ନ ଯାଇ ଶିଶୁଭବନ ଆସିବ। ସେଠାରୁ ରାଜମହଲ ଫ୍ଲାଏ ଓଭର ଦେଇ ବାଣୀବିହାର ଯିବ। ସେଠାରୁ ଫ୍ଲାଏ ଓଭର ଅତିକ୍ରମ ନ କରି ଆଚାର୍ଯ୍ୟବିହାର ପଟକୁ ବୁଲିଯିବ। ଦ୍ବିତୀୟ ପ୍ୟାକେଜ୍‌ ଜୟ‌ଦେବ ବିହାରରୁ ସିଧା କିଟ୍‌ ଛକ ପର୍ଯ୍ୟନ୍ତ ରହିଛି। ମେଡିଆନ୍‌ର ୧୩ ମିଟର ଉଚ୍ଚାରେ ଏହି ଧାରଣା ଯିବାକୁ ଯୋଜନା ହୋଇଚି। ତୃତୀୟ ପ୍ୟାକେଜ୍‌ ନନ୍ଦନବିହାରରୁ ତ୍ରିଶୁଳିଆ ଯାଏଁ ରହିଛି। ଏହି ପ୍ୟାକେଜ୍‌ରେ ବାରଙ୍ଗ ଆର୍‌ଓବି ଉପର ଦେଇ ଧାରଣା ଯିବ। ଏହି ତିନିଟି ପ୍ୟାକେଜ୍‌ କାର୍ଯ୍ୟକ୍ଷମ ହେବା ପରେ ସଂଯୋଗୀକରଣ କରାଯିବ। ଏହା ପରେ ୧୩ଟି ଟ୍ରେନ୍‌ କିଣାଯିବ। ପ୍ରତ୍ୟେକ ଟ୍ରେନ୍‌ରେ ୩ଟି କୋଚ୍‌ ରହିବ। ପ୍ରତି ୧୦ ମିନିଟ୍‌ ବ୍ୟବଧାନରେ ମେଟ୍ରୋ ଟ୍ରେନ୍‌ ଉପଲବ୍ଧ ହେବ। ୧୩ ଫୁଟ୍‌ ଉଚ୍ଚାକୁ ଚଢ଼ିବା ପାଇଁ ସିଡି ବ୍ୟବସ୍ଥା ହେବ। ଏହି ସିଡ଼ି ତଳେ ଗାଡ଼ିମୋଟର ଯେମିତି ଏବେ ଚାଲୁଛି ସେମିତି ଚାଲିବ। ସାଧାରଣ ଟ୍ରାଫିକ୍‌କୁ ଏହା ପ୍ରଭାବିତ କରିବ ନାହିଁ। ଏନେଇ ବିଏମ୍‌ଆର୍‌ସି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

ଏବେ ମାଟି ପରୀକ୍ଷା ଚାଲିଛି। ଯେଉଁଠି ଧାରଣା ପାଇଁ ଖୁଣ୍ଟ ପୋତାଯିବ ସେଠାରେ ୫୦ରୁ ୬୦ ମିଟର ତଳୁ ମାଟି ନିଆଯାଇ ଦିଲ୍ଲୀ ଓ କଟକ ପରୀକ୍ଷାଗାରରେ ପରୀକ୍ଷା କରାଯାଉଛି। ଏହି ମାଟି ପରୀକ୍ଷା ୨ ମାସ ମଧ୍ୟରେ ସରିବା ପରେ ଖୁଣ୍ଟ ପୋତା ଆରମ୍ଭ ହେବ। ଏଠାରେ ଯେଉଁ ଖୁଣ୍ଟ ‌ପୋତା ଯିବ ତାହାର ଫେବ୍ରିକେସନ କାମ ଏଠାରେ ହେବ ନାହିଁ। ବରଂ ଘାଟିକିଆରେ କାଷ୍ଟିଂ ୟାର୍ଡ ପ୍ରସ୍ତୁତ ହୋଇଛି। ସେଠାରେ ତିଆରି ହେବା ପରେ ଏଠାକୁ ଅଣାଯାଇ ‌ପୋତି ଦିଆଯିବ। ଫଳରେ ଏ ସବୁ ସ୍ଥାପନ କରିବାକୁ ଆଉ ଟ୍ରାଫିକ୍‌ ସମସ୍ୟା ହେବ ନାହିଁ। ତ୍ରିଶୁଳିଆ ଫୁଲପୋଖରୀ ରତାଗଡ଼ଠାରେ ୩୮ ଏକର ଜାଗାରେ ରକ୍ଷଣାବେକ୍ଷଣ ଡିପୋ ପ୍ରସ୍ତୁତି ଚାଲିଛି। ସେଠାରେ ବଗି ଓ ଇଞ୍ଜିନ୍‌ ପ୍ରଭୃତି ମରାମତି ହେବ। ବଡ଼କଥା ହେଉଛି, ଯେଉଁ ଅଟକଳ ଥିଲା ସେଥିରୁ ମଧ୍ୟ ଖର୍ଚ୍ଚ ଅଧିକା ହେବନି ବୋଲି କର୍ତ୍ତୃପକ୍ଷ ଆକଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe