ଭୁବନେଶ୍ୱର : ପିଲାମାନଙ୍କୁ ସ୍କୁଲ୍ମୁହାଁ ଏବଂ ଅପପୁଷ୍ଟିରୁ ରକ୍ଷା କରିବା ପାଇଁ ସରକାର ମଧ୍ୟାହ୍ନ ଭୋଜନ ଯୋଜନା କରିଛନ୍ତି। ଅନେକାଂଶରେ ଏହା ସଫଳ ମଧ୍ୟ ହୋଇଛି। ସ୍କୁଲ୍ରେ ପିଲାଙ୍କ ଉପସ୍ଥାନ ବଢ଼ିଛି। ମାତ୍ର ଏହି ଖାଦ୍ୟ ଅପପୁଷ୍ଟି ଦୂର କରିବାରେ କେତେ ସଫଳ, ତାହା ଆଲୋଚନା ସାପେକ୍ଷ। ପିଲାମାନେ ମଧ୍ୟାହ୍ନ ଭୋଜନକୁ କିପରି ଖାଉଛନ୍ତି, କେଉଁ ପରିବେଶରେ ଖାଉଛନ୍ତି, ସେଥିପ୍ରତି କାହାର ଦୃଷ୍ଟି ଥିବା ପରି ମନେ ହେଉନି। ଦୃଷ୍ଟି ଥିଲେ ମଧ୍ୟ ଏହାର ସମାଧାନ ନେଇ ସେପରି କିଛି ବ୍ୟବସ୍ଥା ନାହିଁ। ‘ସମ୍ବାଦ’ ଟିମ୍ ଖୋଦ୍ ରାଜଧାନୀର କେତେକ ସ୍କୁଲ୍ରେ ଏମିତି କିଛି ଦୃଶ୍ୟ ଦେଖିଲା ପରେ ମଧ୍ୟାହ୍ନ ଭୋଜନର ଦୁର୍ବଳ ଭିତ୍ତିଭୂମିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ରିପୋର୍ଟ: ସସ୍ମିତା ସାହୁ, ଫଟୋ: ଅସିତ୍
ଚପଲ ହିଁ ଆସନ
/sambad/media/post_attachments/wp-content/uploads/2018/08/mid2-300x205.jpg)
ସୋମବାର ଅପରାହ୍ଣ ଗୋଟାଏ। ଆମେ ପହଞ୍ଚିଥିଲୁ ରସୁଲଗଡ଼ସ୍ଥିତ ପଳାଶୁଣୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ। ସେତେବେଳକୁ ଖେଳ ଛୁଟି ବେଲ୍ ବାଜି ଯାଇଥାଏ। ପିଲାମାନେ ଦୌଡ଼ି ଆସି ପାଣି ଟ୍ୟାପ୍ରେ ଟ୍ରେ ଧୋଇଲେ। ଧାଡ଼ିରେ ଠିଆ ହୋଇ ଭାତ ଡାଲ୍ମା ନେଲେ। କିନ୍ତୁ ପିଲାମାନଙ୍କ ଖାଇବା ବ୍ୟବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଗଲୁ। କିଏ ଗୋଡ଼ ଉପରେ ତ କିଏ କୋଳରେ ଟ୍ରେ ଧରି ଖାଉଛନ୍ତି। ସ୍କୁଲ ବାରଣ୍ଡାରେ କାଦୁଅ। ତଥାପି କିଏ ନିଜ ଚପଲ ରଖି ବସିଥିଲେ ତ’ ଆଉ କିଏ ଠିଆ ହୋଇ ଖାଉଥିଲେ। ଚପଲ ପିନ୍ଧି ଯିବା ଆସିବା କରୁଥିବାରୁ ଖାଇ ବସିଥିବା ପିଲା ମଧ୍ୟ ନିଜ ଖାଇବାକୁ ଧୂଳି ବାଲି ପଡ଼ିବାରୁ ବାରଣ କରିବାରେ ବ୍ୟସ୍ତ ଥିଲେ। ଏ ନେଇ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଳକାନନ୍ଦ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, ପିଲାମାନେ ଖାଇବା ପାଇଁ ସ୍କୁଲ ହତା ମଧ୍ୟରେ ସେମିତି କିଛି ସ୍ଥାନ ନାହିଁ। ଗଛ ତଳେ ଖାଇଲେ ପୋକଜୋକ ପଡ଼ିବାର ଆଶଙ୍କା ଥିବାରୁ ଏହି ବାରଣ୍ଡାରେ ଖାଇବାକୁ ଦେଉଛୁ। ସ୍କୁଲ ପରିସରରେ ଅନେକ ସ୍ଥାନ ପରିତ୍ୟକ୍ତ ହୋଇ ପଡ଼ିଥିବାରୁ ସେ ସ୍ଥାନକୁ ନେଇ ଏକ ପିଣ୍ଡି ଭଳି କଲେ ପିଲାଙ୍କ ଖାଇବା ପାଇଁ ସୁବିଧା ହୁଅନ୍ତା ବୋଲି ସେ କହିଛନ୍ତି।
ବୁଲି ବୁଲି ଖାଉଥିଲେ
/sambad/media/post_attachments/wp-content/uploads/2018/08/mid-3-300x191.jpg)
ଅପରାହ୍ଣ ପ୍ରାୟ ୧.୨୦ ବେଳକୁ ଆମେ ପହଞ୍ଚିଥିଲୁ ଗଣ୍ଡମୁଣ୍ଡା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିଲେ। କିଏ ବାରଣ୍ଡାରେ ବସି ତ’ ଆଉ କେହି ହାତରେ ଖାଇବା ଟ୍ରେ ଧରି ବୁଲି ବୁଲି ଖାଉଥିଲେ। ବସିବା ପାଇଁ ଜାଗା ଟିକିଏ ନ ଥିଲା। ଆମ ଫଟୋ ସାମ୍ବାଦିକ ଫଟୋ ନେବାକୁ ଉଦ୍ୟମ କରୁଥିଲେ। ସେହି ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ଦେବୀ ଆମକୁ ବାରଣ କରିଥିଲେ। ମଧ୍ୟାହ୍ନ ଭୋଜନର ଦୁର୍ବଳ ଭିତ୍ତିଭୂମି ନେଇ ପ୍ରଶ୍ନ କରିବାରୁ ସେ କହିଲେ, ଗତ ୬ ମାସ ହେଲା ନୂଆ ଶ୍ରେଣୀ ଗୃହ ଓ ଡାଇନିଂ ହଲ୍ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି କାର୍ଯ୍ୟ ସରିବା ପରେ ପିଲାମାନେ ଆଉ ହଇରାଣ ହେବେ ନାହିଁ।
ସେଡ୍ ଅଛି, ତଥାପି ଗଛତଳ ଭରସା
ମଙ୍ଗଳବାର ଅପରାହ୍ଣ ଗୋଟାଏ। ଆମେ ଯାଇ ପହଞ୍ଚିଥିଲୁ ରେଣ୍ଟାଲ କଲୋନି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ପିଲାମାନେ ଥାଳି ଧରି ଧାଡ଼ିରେ ଠିଆ ହୋଇଥାନ୍ତି। ପ୍ଲେଟ୍ରେ ଥାଏ ଅଳ୍ପ ଟିକେ ଭାତ ଓ ମଟର ତରକାରୀ। ଗୋଟିଏ ପିଲାକୁ ଡାକି ପଚାରିଲୁ ଏତିକିରେ ପେଟ ପୂରିଯାଉଛି? ସେ କହିଲା ନା ପୂରେନି। କିନ୍ତୁ ମାଗିବାକୁ ଆଉ ଥରେ ଡର ଲାଗୁଛି। ଦେଖିଲୁ କିଛି ପିଲା ସ୍କୁଲ ବାରଣ୍ଡାରେ ଖାଉଛନ୍ତି। ଆଉ କିଛି ଜାଗା ନଥିବାରୁ ଡହଡହ ଖରା ସତ୍ତ୍ୱେ ବୁଲି ବୁଲି ତ’ ପୁଣି କିଛି ପିଲା ସ୍କୁଲ ପରିସରରେ ଥିବା ଗଛ ତଳେ ଠିଆ ହୋଇ ଓ କିଛି ଟ୍ୟାପ ପାଖରେ ବସି ଖାଉଥିଲେ। ପୁଣି ବାହାରେ ଥିବା ଗୁପ୍ଚୁପ୍ ବାଲାଠାରୁ ଆଚାର କିଣି ପିଲାମାନେ ଭାତ ସହ ଲଗେଇ ଖାଉଥିଲେ। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଏନେଇ ଦୃଷ୍ଟି ନଥିଲା। ସେମାନେ କେବଳ ମଧ୍ୟାହ୍ନ ଭୋଜନ ପରସି ଦେଇ ନିଶ୍ଚିତରେ ବସି ଯାଇଥିଲେ। ଏ ନେଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ରାଉତଙ୍କୁ ପଚାରିବାରୁ ସେ କହିଲେ, ବିଦ୍ୟାଳୟରେ ପ୍ରାୟ ୫୦୦ ପିଲା ମଧ୍ୟାହ୍ନ ଭୋଜନ ଖାଉଛନ୍ତି। କିନ୍ତୁ ସମସ୍ତଙ୍କ ପାଇଁ ବସିବା ଭଳି ମିଡ୍ ଡେ ମିଲ୍ ସେଡ୍ ନାହିଁ। ଫଳରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ଅଧିକ ହଇରାଣ ହେଉଛନ୍ତି। ଗତ ଜାନୁଆରିରେ ସ୍କୁଲ ପରିସରରେ ଏକ ସେଡ୍ ତିଆରି ହୋଇଛି, କିନ୍ତୁ ସେଠାରେ ୫୦୦ ପିଲା ବସି ଖାଇବା ସମ୍ଭବ ନୁହେଁ। ଏଣୁ ଏ ନେଇ ସରକାରୀସ୍ତରରେ କିଛି କରାଯାଇପାରିଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।
Follow Us